Latest Odisha News

ଆଉ ସହି ହେଉନି ନିର୍ଯାତନା, ଇଚ୍ଛାମୃତ୍ୟୁ ଅନୁମତି ଦିଅନ୍ତୁ-ରାଷ୍ଟ୍ରପତିଙ୍କୁ ଏମିତି ଭାବବିହ୍ୱଳ ଚିଠି ଲେଖିଲେ ଗୃହରକ୍ଷୀ

  ଭୁବନେଶ୍ୱର: ମୁଁ ଜଣେ ଗୃହରକ୍ଷୀ । ଏ ଦେଶର ନାଗରିକ । ମୁଁ ନିଜ ଥାନା, ଓଡ଼ିଶା ହାଇକୋର୍ଟଙ୍କଠାରୁ ନ୍ୟାୟ ପାଇଲିନି । ସୁପ୍ରିମକୋର୍ଟ ନ୍ୟାୟ ଦେଲେ ମଧ୍ୟ ନ୍ୟାୟ ମିଳିଲା ନାହିଁ । ଏବେ ମୁଁ ମୋର ପରିବାର ପୋଷିବାକୁ ଅକ୍ଷମ । ମୁଁ ଏବେ ଅସହାୟ । ମୋର ନ୍ୟାୟ ପାଳିକା, ଆଇନ ବ୍ୟବସ୍ଥା, ସାମାଜିକ ସୁରକ୍ଷା ଉପରୁ ଆସ୍ଥା ତୁଟି ଗଲାଣି । ତେଣୁ ମୋତେ ଇଚ୍ଛା ମୃତ୍ୟୁ ନିମନ୍ତେ ଅନୁମତି ମିଳୁ । ଏମିତି ଭାବବିହ୍ୱଳ ଚିଠି ରାଷ୍ଟ୍ରପତିଙ୍କୁ ଲେଖିଛନ୍ତି ଜଣେ ହୋମଗାର୍ଡ ।

ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ରାଜ୍ୟ ସଭାପତି ରଂଜନ ମଲ୍ଲିକ । ଘର ଜାଜପୁର ଜିଲ୍ଲା ବରି ରାମଚନ୍ଦ୍ର ପୁର ଗାଁରେ  । ସେ ଏବେ ଯାଜପୁର ଜିଲ୍ଲା ଓଡ଼ିଶା ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ଭାବେ କାର୍ଯ୍ୟରତ । ରାଜ୍ୟ ସରକାରଙ୍କ ଆଇଜିଆରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘର ରାଜ୍ୟ ସଭାପତି ଅଛନ୍ତି । ହେଲେ ଗୃହରକ୍ଷୀମାନଙ୍କ ପ୍ରତି ସରକାରୀ ଅବହେଳା ତାଙ୍କ ପାଇଁ ଅସହ୍ୟ ହୋଇପଡିଛି ।

ଗୃହରକ୍ଷୀମାନେ ଏତେ କାମ କରିବା ସତ୍ତ୍ୱେ ସରକାର ସେମାନଙ୍କ ଦରମା ବୃଦ୍ଧି କରୁନାହାନ୍ତି । ଏପରିକି ହୋମଗାର୍ଡ ଅଧିନିୟମ ୧୯୬୧ ଓ ୧୯୬୨ ଧାରା  ଅନୁଯାୟୀ ‘ନୋ ୱର୍କ ନୋ ପେ’ ଅନୁଯାୟୀ ହୋମଗାର୍ଡମାନଙ୍କୁ ଶୋଷଣ କରୁଛନ୍ତି । ତେଣୁ ନିଜକୁ ଅସୁରକ୍ଷିତ ଜାଣିବା ପରେ ମଧ୍ୟ ଶୋଷଣ ଓ ନିର୍ଯାତନାରୁ ମୁକ୍ତ କରି ନ ପାରି ଏପରି ଇଚ୍ଛାମୃତ୍ୟୁ ଆବେଦନ କରିଛନ୍ତି ଗୃହରକ୍ଷୀ ରଞ୍ଜନ ମଲ୍ଲିକ ।

ସେ କହିଛନ୍ତି, ଖାଲି ମୁଁ ଜଣେ ନୁହେଁ, ମୋ ପରି ୧୭ ହଜାର ଗୃହରକ୍ଷୀ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମହାସଂଘର ସଭାପତି ଭାବେ ସେମାନଙ୍କୁ ନ୍ୟାୟ ଦେଇ ପାରୁ ନ ଥିବାରୁ ସେ ମାନସିକଭାବେ ନିଜକୁ ଅପରାଧୀ ମନେ କରିଛନ୍ତି । ଏପରି ସ୍ଥିତିରେ ବଞ୍ଚିବାର କୌଣସି ବିକଳ୍ପ ରାସ୍ତା ନାହିଁ । ଯେହେତୁ ଆତ୍ମହତ୍ୟା ପାପ ତେଣୁ ଆଇନ ବିଭାଗ ପରି ଏକ ଶୃଙ୍ଖଳିତ ବିଭାଗର ଜଣେ କର୍ମଚାରୀ ଭାବେ ସେ ଇଚ୍ଛା ମୃତ୍ୟୁ ଅନୁମତି ମାଗି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଛନ୍ତି ।

Leave A Reply

Your email address will not be published.