ହିନ୍ଦୋଳ:ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବଢୁଛି ସାପୁଆ ଓ ବଡ଼ଜୋରା ନଈ । ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଜଳବନ୍ଦୀ ହୋଇରହିଛି । ଏହି ଉପଖଣ୍ଡର ପ୍ରମୁଖ ସାପୁଆ ଓ ବଡ଼ଜୋରା ନଈର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଜଳସ୍ତର କ୍ରମାଗତ ଭାବେ ବଢୁଥିବା ଯୋଗୁ ବନ୍ୟା ଜଳ ଗାଁରେ ପଶିଥିବା ସୂଚନା ରହିଛି ।
ସାପୁଆ ଏବଂ ବଡ଼ ଯୋଡ଼ା ନଈର ବନ୍ୟାଜଳରେ ଚାଷ ଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି । ସେପଟେ ଉଭୟ ନଦୀର ବନ୍ୟାଜଳ ବିଭିନ୍ନ ପୋଲ ଉପରେ ପ୍ରବାହିତ ହେଉଛି । ହିନ୍ଦୋଳ ଉପଖଣ୍ଡକୁ ଯୋଗାଯୋଗ କରୁଥିବା ବିଭିନ୍ନ ରାସ୍ତା ଘାଟ ଉପରେ ୩-୪ଫୁଟର ବନ୍ୟାଜଳ ପ୍ରବାହିତ ହେବାରେ ଲାଗିଛି। ଯାହା ଫଳରେ ଯାତାୟତ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି ଓ ବର୍ଷା ପାଇଁ ସମସ୍ତେ ହନ୍ତସନ୍ତ ହେଉଛନ୍ତି ।
ସୂଚନାଥାଉକି, ଗିରିଧର ପ୍ରସାଦ ଗାଁ ନିକଟରେ ଥିବା ବ୍ରିଜ ଉପରେ ୩ଫୁଟ ପାଣି ଯୋଗୁଁ ହିନ୍ଦୋଳରୁ ବାଲିମି ଓ ବାବନ୍ଧ ଦେଇ ୫୫ନମ୍ବର ଜାତୀୟ ରାଜପଥକୁ ଯୋଗାଯୋଗ କରୁଥିବା ରାସ୍ତା ବିଛିନ୍ନ ହୋଇଛି । ଏହାଦ୍ବାରା କାରନ୍ଦା, ଖଣ୍ଡତିରି, ଗିରିଧର ପ୍ରସାଦ, ବେଡାପଡା,ବାବନ୍ଧ ଓ ବମ୍ପା ଆଦି ପଞ୍ଚାୟତ ଲୋକେ ପ୍ରଭାବିତ ହେଉଛନ୍ତି। ଏଥିସହ ବାଉଁଶପୋଖରୀ ଓ ହିନ୍ଦୋଳ ରାସ୍ତାର ଗୁଳେହି ନିକଟରେ ଥିବା ବ୍ରିଜ ଉପରେ ସ୍ଥାନୀୟ ନାଳର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ୪/୫ଟି ପଞ୍ଚାୟତର ହିନ୍ଦୋଳ ସହ ସମସ୍ତ ଯୋଗାଯୋଗ ବିଛିନ୍ନ ହୋଇ ଯାଇଛି।
ସେପଟେ ସାପୁଆ ନଈରେ ବନ୍ୟାଜଳ ଆସି ଈଶ୍ୱରପାଳ ବ୍ରିଜ ଉପରେ ୩ଫୁଟ ଉଚ୍ଚରେ ପ୍ରବାହିତ ହେଉଛି । ଏହି ପୋଲ ଉପରେ ପାଣି ଯାଉଥିବାରୁ ହିନ୍ଦୋଳକୁ କିମ୍ୱା ହିନ୍ଦୋଳ ବାହାରକୁ ସମ୍ପୂର୍ଣ୍ଣ ରୂପେ ଯାତାୟତ ବାଧାପ୍ରାପ୍ତ ହୋଇଛି ।
ତେବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦମକଳ ସାହାଯ୍ୟରେ ବନ୍ୟାଜଳ ନିଷ୍କାସନ କରାଯାଉଛି ।