Latest Odisha News

BREAKING NEWS

ରାଜଧାନୀରେ ୨୬ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ବଙ୍ଗୀୟ ଯୁବକ ଗିରଫ

ଭୁବନେଶ୍ୱର:ଡ୍ରଗ ବିରୋଧୀ ଅଭିଯାନରେ କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟକୁ ବଡ଼ ସଫଳତା। ଭୁବନେଶ୍ୱରରେ ସ୍ପେଶାଲ କ୍ରାଇମ ୟୁନିଟ- SCU ୨୬ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରିଛି । ଏହି ମାମଲାରେ ଜଣେ ବଙ୍ଗୀୟ ଯୁବକକୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲ୍ଲା ଲାଲଗୋଲା ଥାନା ଅନ୍ତର୍ଗତ ପାହାଡ଼ପୁରର ଜାକିରୁଲ ଇସଲାମ। ତା’ଠାରୁ ୨୬୩ ଗ୍ରାମର ବ୍ରାଉନସୁଗର ଜବତ କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨୬ଲକ୍ଷ ୫ ହଜାର ଟଙ୍କା ହେବ ବୋଲି ଆକଳନ କରିଛି ପୋଲିସ।

ଅଭିଯୁକ୍ତ ନିକଟରୁ ୨୬୩ ଗ୍ରାମ ବ୍ରାଉନସୁଗର, ଗୋଟିଏ ମୋବାଇଲ ଓ ୭୧୦ ଟଙ୍କା ଜବତ କରାଯାଇଛି । ଏନେଇ ସ୍ପେଶାଲ କ୍ରାଇମ ୟୁନିଟ ଥାନା ପକ୍ଷରୁ NDPS ଆକ୍ଟରେ ମାମଲା (ନଂ.୧୦/୨୦୨୬) ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।

ପୋଲିସ ସୂଚନା ଅନୁଯାୟୀ, ଗତକାଲି (ରବିବାର) ପୂର୍ବାହ୍ନ ସମୟରେ ଲକ୍ଷ୍ମୀସାଗର ହଳଦପଡ଼ିଆ ପଡ଼ିଆରେ ବିକ୍ରି ପାଇଁ ଗରାଖ ଖୋଜୁଥିଲା । ଏନେଇ ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ । ସ୍ପେଶାଲ କ୍ରାଇମ ୟୁନିଟ ଟିମ୍ ହଠାତ୍ ଚଢ଼ାଉ କରିଥିଲା । ପୋଲିସକୁ ଦେଖି ଜାକିରୁଲ୍ ଖସିଯିବାକୁ ପ୍ରୟାସ କରି ଦୌଡ଼ିଥିଲା । ହେଲେ ପୋଲିସ ଟିମ୍ ତାକୁ ଘେରିଯାଇ କାବୁ କରିନେଇଥିଲା ।

ନିଶା କାରବାର ଉପରେ ସୂଚନା ଦେବା ପାଇଁ ସ୍ପେଶାଲ କ୍ରାଇମ ୟୁନିଟର ଲ୍ୟାଣ୍ଡଲାଇନ୍ ନମ୍ବର 0674-2916383କୁ ସକାଳ ୧୦ରୁ ରାତି ୮ଟା ମଧ୍ୟରେ କଲ୍ କରିବାକୁ ଅନୁରୋଧ କରାଯାଇଛି ।ସୂଚନାଦାତାଙ୍କ ପରିଚୟ ଗୋପନ ରଖାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ କହିଛନ୍ତି, ଜାକିରୁଲ୍ ସମ୍ପର୍କରେ ଥିବା ଅନ୍ୟ ବେପାରୀଙ୍କୁ ଗିରଫ କରାଯିବ । ଚଳିତ ବର୍ଷ ସ୍ପେଶାଲ କ୍ରାଇମ ୟୁନିଟ ୯୧୩ ଗ୍ରାମ ବ୍ରାଉନସୁଗର ଜବତ କରିଛି । ସେହିପରି ୫୭ କେଜି ଗଞ୍ଜେଇ ମଧ୍ୟ ଜବତ କରିଛି ।

Leave A Reply

Your email address will not be published.