ନୂଆଦିଲ୍ଲୀ : ଦୁଃଖ ବଖାଣିଲେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା । କେମିତି ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା ଏବଂ କେମିତି ତାଙ୍କୁ ମାରିଦେବାକୁ ତାଙ୍କ ରାଜନୈତିକ ବିରୋଧୀ ଷଡ଼ଯନ୍ତ୍ର କରିଥିଲେ, ତାହା ବଖାଣିଛନ୍ତି ହସିନା । ଆଲ୍ଲାଙ୍କ କୃପାରୁ ସେ ବଞ୍ଚି ଯାଇଥିବା ସେ କହିଛନ୍ତି ।
୨୦୦୪ ଅଗଷ୍ଟ ୫ରେ ବାଂଲାଦେଶର କୋଟାଲିପଡ଼ାରେ ହୋଇଥିବା ଗ୍ରେନେଡ୍ ଆକ୍ରମଣ ତାଙ୍କୁ ଟାର୍ଗେଟ କରାଯାଇ ଥିଲା । ଯେଉଁଥିରେ ୨୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ସେ ଆହତ ହୋଇଥିଲେ । ଗତବର୍ଷ ଅର୍ଥାତ ୨୦୨୪ରେ ମଧ୍ୟ ତାଙ୍କୁ ଅନୁରୂପ ଟାର୍ଗେଟ କରାଯାଇଥିଲା । ମାତ୍ର ୨୦-୨୫ ମିନିଟ ବିଳମ୍ବ ହୋଇଥିଲେ, ସେ ଆଉ ନଥାନ୍ତେ ବୋଲି ଅଡିଓ ମେସେଜରେ କହିଛନ୍ତି ଶେଖ ହସିନା । ବ୍ୟାପକ ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇଥିବା ଶେଖ ହସିନା ଦେଶବ୍ୟାପୀ ଛାତ୍ର ଆନ୍ଦୋଳନକୁ ସାମ୍ନା କରି ନପାରି ଗତବର୍ଷ ଅଗଷ୍ଟ ୫ ତାରିଖରୁ ଆସି ଦିଲ୍ଲୀରେ ଶରଣ ନେଇଛନ୍ତି । ତାଙ୍କ ସହ ତାଙ୍କ ଭଉଣୀ ମଧ୍ୟ ଭାରତରେ ଆସି ଅଛନ୍ତି ।
ସୂଚନା ଥାଉକି, ଶେଖ ହସିନାଙ୍କୁ ପ୍ରତ୍ୟର୍ପଣରେ ନେବାକୁ ବାଂଲାଦେଶ ଦୁଇଥର ଭାରତକୁ ଚିଠି ଲେଖିସାରିଛି । କିଛି ଦିନ ତଳେ ଦ୍ବିତୀୟ ପତ୍ର ଲେଖିଥିଲା ବାଂଲାଦେଶ । ତେବେ ପ୍ରତ୍ୟର୍ପଣ ପ୍ରସଙ୍ଗରେ ମୁହଁ ଖୋଲୁ ନଥିବା ଭାରତ ସରକାର ଶେଖ ହଲିନାଙ୍କ ରହିବା ଅବଧି ଆହୁରି ବଢ଼ାଇଥିଲେ । ସେ କେତେଦିନ ଭାରତରେ ରହିବେ, ତାହା କୁହାଯାଇନି, କିନ୍ତୁ ରହଣି ଦୀର୍ଘ ସମୟ ଯାଏଁ ସଂପ୍ରସାରିତ କରାଯାଇଛି । ବାଂଲାଦେଶରେ ସରକାର ବିରୋଧୀ ଛାତ୍ର ଆନ୍ଦୋଳନ ଉଗ୍ର ହେବା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଅଗଷ୍ଟ ୫ ତାରିଖରୁ ଭାରତରେ ଶରଣ ନେଇଛନ୍ତି ଶେଖ ହସିନା।
ସୂଚନା ଅନୁସାରେ, ୧୯୭୫ରେ ତାଙ୍କ ବାପା ଶେଖ ମୁଜିବୁର୍ ରେହମାନଙ୍କୁ ହତ୍ୟା ପରେ ମଧ୍ୟ ଭାରତରେ ଦୀର୍ଘ ସମୟ ରହିଥିଲେ ଶେଖ ହସିନା । କିଛି ଦିନ ତଳେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ମହମ୍ମଦ ୟୁନୁସ୍ ସରକାର ହସିନା ଏବଂ ଅନ୍ୟ ୯୬ ଜଣଙ୍କର ପାସପୋର୍ଟ ରଦ୍ଦ କରିଥିଲେ ।
Comments are closed.