Latest Odisha News

ସନ୍ଦେଶଖାଲି କାଣ୍ଡ: ମମତା ସରକାରଙ୍କ ବଡ ନିଷ୍ପତି, ଶାହାଜାହାନ ଶେଖ୍ ମାମଲାର ଯାଞ୍ଚ କରିବେ ସିଆଇଡି

କୋଲକାତା; ବହୁଚର୍ଚ୍ଚିତ ସନ୍ଦେଶଖାଲି ବିବାଦରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଶାହାଜାହାନ ଶେଖଙ୍କ ମାମଲାରେ ଏକ ବଡ ପଦକ୍ଷେପ ନେଇଛନ୍ତି ପଶ୍ଚିମବଙ୍ଗ ସରକାର । ଶାହାଜାହାନ ଶେଖ ମାମଲାର ତଦନ୍ତକୁ ସିଆଇଡି ହାତକୁ ହସ୍ତାନ୍ତର କରିଛନ୍ତି ସରକାର । ସନ୍ଦେଶଖାଲି ଘଟଣା ପୁରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ଏହି ଘଟଣାର ତଦନ୍ତ ଭାର ଏବେ ସିଆଇଡିକୁ ହସ୍ତାନ୍ତର କରାଯିବା ପରେ ଏହି ଘଟଣାର ପ୍ରକୃତ ତଦନ୍ତ ହୋଇ ଦୋଷୀକୁ କେଉଁ ଦଣ୍ଡ ଦିଆଯାଉଛି ତାହା ଦେଖିବାକୁ ବାକି ରହିଛି ।

ସୂଚନା ଅନୁସାରେ, ବହୁଚର୍ଚ୍ଚିତ ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ତୃଣମୂଳ କଂଗ୍ରେସ ନେତା ଶେଖ ଶାହାଜାହାନଙ୍କୁ ଉତ୍ତର ୨୪ ପ୍ରଗଣା ଜିଲ୍ଲାରୁ ବେଙ୍ଗଲ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଗିରଫ କରିଥିଲା । ୫୫ଦିନ ଧରି ଫେରାର ଥିବା ଏହି ନେତାଙ୍କୁ ଗତକାଲି ମଧ୍ୟରାତ୍ରୀରେ ଗିରଫ କରିଥିଲେ ପୁଲିସ । ଗିରଫ ହେବା ପୂର୍ବରୁ ପୋଲିସ ଅନେକ ଦିନ ଧରି ନେତାଙ୍କ ଗତିବିଧି ଉପରେ ନଜର ରଖିଥିଲା।

ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ବଶିରହାଟ କୋର୍ଟ ତୃଣମୁଳ କଂଗ୍ରେସ ନେତା ଶାହାଜାହାନ ଶେଖଙ୍କୁ ୧୦ ଦିନିଆ ପୋଲିସ ହେପାଜତକୁ ପଠାଇଛନ୍ତି । ଆଜି ସକାଳ ୧୦.୪୦ରେ ଶାହାଜାହାନ ଶେଖଙ୍କୁ ବଶିରହାଟ କୋର୍ଟରେ ହାଜର କରାଯାଇଥିଲା । ରାଜ୍ୟ ପୋଲିସ ଶେଖଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବାକୁ ଅନୁରୋଧ କରିଥିଲା ​​କିନ୍ତୁ କୋର୍ଟ ୧୦ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ସନ୍ଦେଶଖାଲିରେ ମହିଳାଙ୍କ ଉପରେ ଯୌନ ନିର୍ଯାତନା ଏବଂ ଜମି ଜବରଦଖଲ ଅଭିଯୋଗରେ ଏହି ନେତା ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଅଭିଯୋଗ ରହିଛି। ବାରମ୍ବାର ଅଭିଯୋଗ ପରେ ନ୍ୟାୟ ନମିଳିବାରୁ ପୀଡିତା ମହିଳାମାନେ ଶେଷରେ ରାଜରାସ୍ତାକୁ ଓହ୍ଲାଇଥିଲେ । ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା ।

 

Leave A Reply

Your email address will not be published.