Latest Odisha News

BREAKING NEWS

କଂଗ୍ରେସରେ ବଢୁଛି ବିଜୟଙ୍କ ଗୁରୁତ୍ବ

ଭୁବନେଶ୍ୱର: କଂଗ୍ରେସରେ ସମସ୍ତେ ଏବେ ବିଜୟ ମୁହାଁ। ଦୀର୍ଘ ଦିନ ଧରି ଶାସନ କ୍ଷମତାରୁ ବାହାରେ ଥିବା କଂଗ୍ରେସ ନେତାଙ୍କ ପାଇଁ ବିଜୟ ହିଁ ସଂଜୀବନୀ ହେବେ ବୋଲି ଧାରଣା ସୃଷ୍ଟି ହୋଇଛି। ସେଥିପାଇଁ ବିଜୟଙ୍କ ନିକଟରେ ଏବେ ଭିଡ଼ ଦେଖିବାକୁ ମିଳୁଛି। ଆମେ କହୁଛୁ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକଙ୍କ କଥା।

ବିଜୟ କଂଗ୍ରେସରେ ଯୋଗ ଦେବା ପରେ ଦଳୀୟ ନେତା କର୍ମୀଙ୍କ ମଧ୍ୟରେ ନୂଆ ଆଶାର ସଂଚାର ହୋଇଛି। ଦଳୀୟ ନେତାଙ୍କଠୁ ଆରମ୍ଭ କରି କର୍ମୀ ସମସ୍ତେ ଏବେ ବିଜୟଙ୍କ ଥାର୍ଡ ଫ୍ଲୋରରେ ଭିଡ଼ ଜମାଉଥିବା କୁହାଯାଉଛି। ବିଶେଷ କରି କଂଗ୍ରେସର ଦଳୀୟ ଟିକେଟ ଆଶାୟୀମାନେ ଅଧିକ ସଂଖ୍ୟାରେ ବିଜୟଙ୍କୁ ଭେଟୁଥିବା ଆଲୋଚନା ହେଉଛି।

ଦୀର୍ଘ ଦିନ ଧରି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିବା ସହ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ତୁଲାଇଥିବା ବିଜୟଙ୍କର ରାଜନୈତିକ ପରିଚାଳନା କ୍ଷେତ୍ରରେ ବେଶ ଅଭିଜ୍ଞତା ରହିଛି। ସେ ଥାର୍ଡ ଫ୍ଲୋର ସହ ଦୀର୍ଘ ଦିନ ଧରି ଜଡିତ ଥିବାରୁ କଂଗ୍ରେସ ନେତାଙ୍କର ବିଜୟଙ୍କ ଥାର୍ଡ ଫ୍ଲୋର ଉପରେ ବହୁ ମାତ୍ରାରେ ଭରଷା ରହିଛି। ତେଣୁ ବିଜୟଙ୍କ ଥାର୍ଡ ଫ୍ଲୋରରେ ଏବେ ବହୁ ଗହଳି।

ଏହାକୁ ଏବେ କଂଗ୍ରେସର ଥାର୍ଡ ଫ୍ଲୋର କୁହାଯାଉଛି। ଏପରିକି କଂଗ୍ରେସକୁ ସୁଦୃଢ଼ କରିବାକୁ ବିଜୟ ପଟ୍ଟନାୟକ ମଧ୍ୟ ଜୋରଦାର ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି। ବିଜୟ ନିଜେ ବହୁ ବରିଷ୍ଠ କଂଗ୍ରେସ ନେତାଙ୍କ ଘରକୁ ଯାଇ ଭେଟୁଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ଵୀବଲ୍ଲଭଙ୍କଠୁ ଆରମ୍ଭ କରି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ, ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ତଥା ଅନ୍ୟ ବରିଷ୍ଠ ନେତାଙ୍କୁ ଭେଟି ଆଲୋଚନା କରୁଛନ୍ତି।

ଏପରିକି ବିଜୟଙ୍କର ଡ଼ାଇରେକ୍ଟ ରାହୁଲ ଗାନ୍ଧୀଙ୍କ ସହ କନେକ୍ସନ ଥିବା କୁହାଯାଉଥିବାବେଳେ ଆଗାମୀ ନିର୍ବାଚନରେ ଟିକେଟ ବଣ୍ଟନରେ ମଧ୍ୟ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଚର୍ଚ୍ଚା ହେଉଛି। ଖାଲି ସେତିକି ନୁହେଁ ବିଜୟ ପଟ୍ଟନାୟକ କଂଗ୍ରେସ ପାଇଁ ନିର୍ବାଚନୀ ଫଣ୍ଡ ଯୋଗାଡ଼ରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଆଲୋଚନା ହେଉଛି।

ବିଜୟଙ୍କୁ କେବଳ ନେତା କର୍ମୀ ନୁହଁନ୍ତି ପିସିସି ପକ୍ଷରୁ ମଧ୍ୟ ବହୁ ଗୁରୁତ୍ୱ ଦିଆଯାଉଛି। ବଡ଼ ବଡ଼ ସାମ୍ବାଦିକ ସମ୍ମିଳନୀରେ ବିଜୟଙ୍କୁ ପିସିସି ସଭାପତି ଓ ଅନ୍ୟ ବରିଷ୍ଠ ନେତାଙ୍କ ଗହଣରେ ଦେଖିବାକୁ ମିଳୁଛି। ରାଜ୍ୟରେ କଂଗ୍ରେସ ଦୁର୍ବଳ ଥିବାବେଳେ ବିଜୟଙ୍କ ଭୂମିକା ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

ସ୍ୱତନ୍ତ୍ର ଷ୍ଟ୍ରାଟେଜି ତିଆରି ହେଉ କିମ୍ବା ଦଳୀୟ ନେତାଙ୍କୁ ଏକାଠି କରିବା, ତା ସହିତ ସଠିକ ନେତାଙ୍କୁ ସଠିକ ଦାଇତ୍ୱ ଦେବା ଓ ଆଗାମୀ ନିର୍ବାଚନରେ ଭଲ ପ୍ରାର୍ଥୀ ଦେବା କ୍ଷେତ୍ରରେ ବିଜୟ କେତେ ସଫଳ ହେଉଛନ୍ତି ତା ଉପରେ ନଜର ରହିଛି। ସେପଟେ କଂଗ୍ରେସ ଦଳରେ ବିଜୟଙ୍କୁ ମାନ୍ୟତା ଏକ ଶୁଭ ସଂକେତ ବୋଲି ବିଚାର କରାଯାଉ ଥିବା ବେଳେ ଏହି ମାନ୍ୟତା କେତେଦିନ ବଜାୟ ରହିବ ତାକୁ ନେଇ ସାଧାରଣରେ ଆଲୋଚନା ହେଉଛି।

Leave A Reply

Your email address will not be published.