Latest Odisha News

BREAKING NEWS

ଅଗ୍ନିପଥ ଯୋଜନା କ’ଣ?  ଯୁବ ବର୍ଗଙ୍କ ପାଇଁ ରହିଛି ଦେଶସେବା ସୁଯୋଗ

ଅଗ୍ନିପଥ ଯୋଜନାକୁ ନେଇ ଏବେ ସାରା ଦେଶରେ ଚର୍ଚା । ଅଧିକାଂଶ ଯୁବଗୋଷ୍ଠୀ ଏହାକୁ ସମର୍ଥନ କରୁଥିବାବେଳେ ଅନେକ ସ୍ଥାନରେ ଏହାକୁ କିନ୍ତୁ ବିରୋଧ କରାଯାଉଛି  । ତେବେ ଏହି ଯୋଜନାକୁ ବୁଝିଥିବା ଲୋକମାନେ ଏହା ସପକ୍ଷରେ କହୁଛନ୍ତି । ଏହା ଦ୍ବାରା ଦେଶରେ ସେନାବାହିନୀରେ ବୈପ୍ଲବିକ ପରିବର୍ତ୍ତନ ଆସିପାରିବ ବୋଲି କୁହାଯାଉଛି । ଏହା ସହ ଦେଶର ଯବୁପିଢ଼ିଙ୍କ ମଧ୍ୟରେ ସେନାରେ ସାମିଲ ହେବାପାଇଁ ଯେଉଁ ଆଶା ରହୁଛି ତାହା ପୂରଣ ହୋଇପାରିବ ।

  ପ୍ରଥମେ କହିବାକୁ ଗଲେ ଏହି ଯୋଜନା ସୈନ୍ୟବାହିନୀର ହାରାହାରି ବୟସ ହ୍ରାସ କରିବ। ଇଣ୍ଡିଆନ ଆର୍ମି, ନେଭି ଏବଂ ଏୟାରଫୋର୍ସରେ ୪ ବର୍ଷ ପାଇଁ ନିଯୁକ୍ତି କରାଯିବ। ଆର୍ମିରେ ସୈନିକ(ଯବାନ), ନେଭିରେ ସେଲର ଏବଂ ଏୟାରଫୋର୍ସରେ ଏୟାରମ୍ୟାନ ନିଯୁକ୍ତ ହେବେ। ଏହି ନିଯୁକ୍ତି ଅଗ୍ନିପଥ ଯୋଜନା ଅନ୍ତର୍ଗତ ହେବ। ଏହି ଯୋଜନାରେ ନିଯୁକ୍ତି ପାଇଥିବା ସେନାଙ୍କୁ ‘ଅଗ୍ନିବୀର’ ନାମରେ ନାମିତ କରାଯିବ। ୪ ବର୍ଷ ପରେ ୭୫ ପ୍ରତିଶତ ସୈନିକଙ୍କର ନିଯୁକ୍ତି ଅବଧି ସମାପ୍ତ କରାଯିବ  ।

ବର୍ତ୍ତମାନ ପର୍ଯ୍ୟନ୍ତ ସେନାରେ ହାରାହାରି ବୟସ 32 ବର୍ଷ ଥିଲା, ଯାହା  24 ରୁ 26 ବର୍ଷକୁ ଆସିଯିବ ।  ଅଗ୍ନିପଥ ଯୋଜନା ମାଧ୍ୟମରେ ଯୁବକମାନେ ଭଲ କ୍ୟାରିୟର ଗଠନ କରିବାର ସୁଯୋଗ ପାଇବେ । ଏହି ଯୋଜନା ଅଧୀନରେ ଆବେଦନ କରିବାକୁ ବୟସ 17 ବର୍ଷ 6 ମାସରୁ 23 ବର୍ଷ ରହିବ । ଦଶମ କିମ୍ବା ଦ୍ୱାଦଶ ପାସ୍ କରିବା ଛାତ୍ରଛାତ୍ରୀମାନେ ଏଥିରେ ସୁଯୋଗ ପାଇପାରିବେ । ସେମାନଙ୍କୁ ଉତ୍ତମ ବେତନ, ତାଲିମ ଏବଂ ଭବିଷ୍ୟତ ପାଇଁ ଯୋଜନା କରି ଜୀବନ ଜୀବିକା ଗଢ଼ିବା ପାଇଁ ସୁଯୋଗ ମିଳିପାରିବ ।

ଚାକିରି ମଧ୍ୟରେ ପାଠ ମଧ୍ୟ ପଢ଼ିପାରିବେ ।  ଆଗ୍ନିବୀର ପ୍ରଥମ ବର୍ଷରେ ବାର୍ଷିକ 4.76 ଲକ୍ଷ ଟଙ୍କା ପ୍ୟାକେଜ୍ ପାଇବେ । ଦ୍ବିତୀୟ ଏବଂ ତୃତୀୟ ବର୍ଷ ମଧ୍ୟ ପ୍ୟାକେଜ ବଢ଼ିବ ।  ଚତୁର୍ଥ ବର୍ଷ ଶେଷ ସୁଦ୍ଧା ଏହି ପରିମାଣ 6.92 ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ  ।  ଅଗ୍ନିବୀରମାନେ  4 ବର୍ଷର କାର୍ଯ୍ୟକାଳ ସମାପ୍ତ ପରେ  ଅନ୍ୟ ଅନୁଷ୍ଠାନରେ ନିଯୁକ୍ତି ସୁଯୋଗ ପାଇବେ ଏବଂ ସେମାନଙ୍କୁ ମଧ୍ୟ ପ୍ରାଥମିକତା ଦିଆଯିବ  ।   ପ୍ରଥମ ନିଯୁକ୍ତି 90  ଟ୍ରେନିଂ ପରେ  କରାଯିବ  ।  ଚଳିତ ବର୍ଷ ପ୍ରଥମ ବ୍ୟାଚରେ ମୋଟ 46,000 ଆଗ୍ନିବୀର ନିଯୁକ୍ତ ହେବେ  ।

ମେଡିକାଲ ଟେଷ୍ଟ ଓ ମେରିଟ ଆଧାରରେ ଚୟନ ହେବେ ଅଗ୍ନିବୀର। ୧୦ ସପ୍ତାହରୁ ୬ ମାସ ପର୍ଯ୍ୟନ୍ତ ଏମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏହା ପରେ ମାସିକ ୩୦ରୁ ୪୦ ହଜାର ବେତନରେ ନିଯୁକ୍ତି ପାଇବେ ଅଗ୍ନିବୀର। ଚାକିରୀ ସମୟରେ ସ୍ଥାୟୀ ସୈନିକଙ୍କ ଭଳି ଆୱାର୍ଡ, ମେଡାଲ ଓ ଇନସ୍ୟୁରାନ୍ସର ଅର୍ଥରାଶି ପାଇବେ ଅଗ୍ନିବୀର। ଏମାନଙ୍କୁ ୪୮ ଲକ୍ଷ ଟଙ୍କାର ବୀମା ରାଶି ମିଳିବ।

ନିଯୁକ୍ତ ହୋଇଥିବା ଅଗ୍ନିବୀର ଯଦି ସେବା ସମୟରେ ସହିଦ ହେଲେ କିମ୍ବା ଦିବ୍ୟାଙ୍ଗ ହେଲେ ୪୪ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିବ। ଦିବ୍ୟାଙ୍ଗ ଯବାନଙ୍କୁ ୪ ବର୍ଷ ପୂରଣ ପରେ ଭାରତୀୟ ସେନାରେ ୧୫ ବର୍ଷ ପର୍ଯ୍ୟନ୍ତ ନିଯୁକ୍ତି ପାଇଁ ୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ। ୪ ବର୍ଷର ଚାକିରୀ ପରେ ସେବା ନିଧି ପ୍ୟାକେଜରେ ଅଗ୍ନିବୀରଙ୍କୁ ୧୨ ଲକ୍ଷ ଟଙ୍କା ମିଳିବ। ଏଥିପାଇଁ ସେମାନଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ।

୧୭ ବର୍ଷ ବୟସରେ କିଶୋର କିଶୋରୀମାନଙ୍କୁ ଏଥିରେ ଯଥେଷ୍ଟ ସୁଯୋଗ ଓ ଆର୍ଥିକ ପ୍ୟାକେଜ ମିଳିବ। ଅନେକ ଗରିବ ପରିବାରର ଆର୍ଥିକ ଦୁରାବସ୍ଥା ଦୂରେଇଯିବ । ଯୁବକମାନେ  ଭୁଲରାସ୍ତାକୁ ଯିବାରୁ ନିବୃତ୍ତ ରହିବେ । ସେମାନଙ୍କର ପ୍ରତିଯୋଗିତା ମନୋଭାବ ସୃଷ୍ଟି ହେବ ।  ଏ ସମୟରେ ଆର୍ମିରେ ଯୋଗ ଦେଲେ ଶାରୀରିକ , ମାନସିକ ଏବଂ ବୈାଦ୍ଧିକ ବିକାଶ ହେବ । ୨୨ବର୍ଷ ବୟସରେ ଚାକିରୀରୁ ବିରତି ନେବାବେଳେ  ହାତରେ ଥିବ ୧୨ ଲକ୍ଷ ଟଙ୍କା ଓ ନିଜ ସାଧ୍ୟମୁତାବକ ଯୋଗ୍ୟତାପତ୍ର। ଯାହା କି ସେମାନଙ୍କୁ ଆତ୍ମନିର୍ଭର କରିବାରେ ସାହାଯ୍ୟ ହେବ ।

 ପ୍ରତି ଚାରି ବର୍ଷରେ ଶତକଡ଼ା ୭୫ ଭାଗ ଲୋକ ବିରତି ନେବେ। ତାଙ୍କ ଜାଗାରେ ନୂଆ ଲୋକ ଯୋଗ ଦେବେ। ସେମାନଙ୍କ ମଧ୍ୟରୁ ୭୫ ଭାଗ ବିରତି ନେବେ। ବିରତି ନେଉଥିବା ଲୋକେ ଅନ୍ୟାନ୍ୟ ବିଭିନ୍ନ ଚାକିରି କରିବେ, ସାଧାରଣଲୋକଙ୍କ ସହ ଜୀବନ ବଞ୍ଚିବେ। ସମାଜରେ ଏହି ପ୍ରକାର ଲୋକଙ୍କ ସଂଖ୍ୟା ବଢ଼ିଗଲେ ଶ୍ରମ ଶକ୍ତି ମଧ୍ୟ ବୃଦ୍ଧି ପାଇବ । ଚାକିରୀ ସାଙ୍ଗକୁ ପାଠପଢା ଦକ୍ଷତା, ଅଭିଜ୍ଞତା ମିଳିବ  ଘରୋଇ ଉଦ୍ୟୋଗ ଚାକିରୀରେ ଅଗ୍ରାଧିକାର ମିଳିବ।

ଚୀନ, ପାକିସ୍ତାନ ସହ ସଦାବେଳ ଯୁଦ୍ଧ ଭଳି ପରିସ୍ଥିତି ଉପୁଜୁଥିବାରୁ ଏହିଭଳି ଯୋଜନା ନିହାତି ଆବଶ୍ୟକ ।  ବିଦେଶୀ ଶକ୍ତି ସହ ଯୁଦ୍ଧ ବେଳେ ତାଲିମପ୍ରାପ୍ତ ଜନସମ୍ବଳ ଅଧିକା ରହିବା ଆବଶ୍ୟକ । ଏହାଦ୍ବାରା ଶତ୍ରୁ ଦେଶର ଭାରତକୁ ଭୟ ରହିବ । ବିଶ୍ବରେ ଅନେକ ଶକ୍ତିଶାଳୀ ଦେଶରେ ଏପରି ବ୍ୟବସ୍ଥା ମଧ୍ୟ ସଫଳ ହୋଇଛି ।

ଗୃହଯୁଦ୍ଧ ବା ଦଙ୍ଗାବେଳେ  ତାଲିମପ୍ରାପ୍ତ, ଦେଶପାଇଁ ସମର୍ପିତ ଏକ୍ସ-ଆର୍ମି ବିଶେଷ କରି ଶାନ୍ତି କାର୍ଯ୍ୟରେ କାମରେ ଆସିବେ । ଦେଶରେ ଏକ୍ସ-ଆର୍ମି ସଂଖ୍ୟା ବଢିଗଲେ ସମାଜରେ ମୁଷ୍ଟିମେୟଙ୍କ ଗୁଣ୍ଡାଗିରି  କମିବ? ଯୁବକମାନେ ବର୍ତମାନ କାମ ନପାଇ ଯେଉଁ ଅବାଟରେ ଯାଉଛନ୍ତି,ଅପରାଧ କରୁଛନ୍ତି ତାହା କମିବ ।

ସେନାରେ ଯିବା ଫଳରେ ଯୁବବର୍ଗଙ୍କ ମଧ୍ୟରେ  ଦେଶଭକ୍ତି ବୃଦ୍ଧିପାଇବ । ପିଲାଦିନୁ ବ୍ୟାୟାମ କରିବାକୁ ଚାହିଁବେ । ସେମାନେ ଚାକିରିରୁ ଫେରି ଆତ୍ମନିର୍ଭର ହୋଇପାରିବେ । ଷ୍ଟାର୍ଟଅପ୍ ସଂଖ୍ୟା ବୃଦ୍ଧି ପାଇବ । ମହିଳା ଶିକ୍ଷା ପାଇଁ ଅଧିକ ଆଗ୍ରହୀ ହେବେ । ଚାକିରି କରିବା ପାଇଁ ମହିଳାମାନେ ଅଧାରୁ ପାଠ ଛାଡିବେ ନାହିଁ । ବିଶେଷ କରି ଗାଁର ପିଲାମାନେ ଅଧିକ ଚାକିରି ପାଇପାରିବେ । ସେମାନେ ଦାଦନ ଖଟିବାକୁ ଯିବା ପାଇଁ ଚାହିଁବେ ନାହିଁ ।

ଛାତ୍ରଛାତ୍ରୀମାନେ ସ୍ବାଭିମାନୀ ହେବା ସହ ଆତ୍ମନିର୍ଭର ହେବେ  । ନେତାଙ୍କ ପଛରେ  ଯୁବକମାନେ କମ ଗୋଡ଼ାଇବେ ରାଜନୀତିରେ ଛାତ୍ରସମୟରୁ ସମୟ ବରବାଦ କରିବାକୁ ଚାହିଁବେ ନାହିଁ ।

 ତେଣୁ ଏଥିରୁ ଦେଖିବାକୁ ଗଲେ ଆମେ ତ କହିବୁ ଅଗ୍ନିପଥ ଯୋଜନା ଦେଶପାଇଁ ଏବଂ ଯୁବ ବର୍ଗଙ୍କ ପାଇଁ ସର୍ବ ଶ୍ରେଷ୍ଠ ଯୋଜନା । ଏହାକୁ ଭାରତ ଭଳି ଦେଶରେ ନିହାତି ଲାଗୁ କରିବା କଥା । ଏବଂ ସମସ୍ତେ ଏହାକୁ ଗ୍ରହଣ କରିବା କଥା । ଏପରିକି ସବୁ ରାଜ୍ୟରେ ଥିବା ପୋଲିସ ବ୍ୟବସ୍ଥାରେ ମଧ୍ୟ ଅଗ୍ନିପଥ ଭଳି ଯୋଜନା ଲାଗୁ କରିବା କଥା । ତେବେ ଦେଖାଯାଉ ଏଭଳି ଯୋଜନା ଆଗକୁ କିପରି ସମର୍ଥନ ପାଉଛି । ଏହା ସହ କେଉଁ କେଉଁ ରାଜ୍ୟ ଏହି ଯୋଜନାକୁ କପି କିର ପୋଲିସ ସଂସ୍କାର କରୁଛନ୍ତି ।

Leave A Reply

Your email address will not be published.