Latest Odisha News

‘ଗେହଲଟଙ୍କୁ ମୋଦୀଙ୍କ ପ୍ରଶଂସା’ କିଛି ଉଦ୍ଦେଶ୍ୟ ନାହିଁ ତ ?

ଭୁବନେଶ୍ୱର: ରାହୁଲ ଗାନ୍ଧୀ ପ୍ରସଙ୍ଗ ନେଇ ଗୋଟିଏ ପଟେ କଂଗ୍ରେସ ପ୍ରତି ସମର୍ଥନ ବଢୁଥିବା କୁହାଯାଉଛି। ଏପରିକି ଏହି ପ୍ରସଙ୍ଗ କଂଗ୍ରେସ ନେତା କର୍ମୀଙ୍କ ଭିତରେ ଜୋଶ ଭରିବା ସହ ବିରୋଧୀଙ୍କୁ ଗୋଟିଏ ମଞ୍ଚକୁ ଆଣିଛି। କିନ୍ତୁ ଏଭଳି ସମୟରେ ଦଳର କନ୍ଦଳ କଂଗ୍ରେସକୁ ଅଡୁଆରେ ପକାଇଛି।

ରାଜସ୍ଥାନରେ ପାଇଲଟ ଗେହଲଟ ବିବାଦ ଏବେ ପୁଣି ଉଗ୍ର ରୂପ ନେବା ଆରମ୍ଭ କରିଛି। ଏପରିକି ଛତିଶଗଡ଼ରେ ମଧ୍ୟ ନେତାଙ୍କ ଭିତରେ ବିବାଦ ତେଜିଥିବା କୁହାଯାଉଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଓ ବରିଷ୍ଠ ନେତା ଟିଏସ ସିଂଦେଓଙ୍କ ଗୋଷ୍ଠୀ ମଧ୍ୟରେ ଲଢେ଼ଇ ଜୋରଦାର ହେଉଥିବା ଚର୍ଚ୍ଚା ହେଉଛି।

କିନ୍ତୁ ରାଜସ୍ଥାନରେ ଗେହଲଟ ଓ ପାଇଲଟଙ୍କ ମଧ୍ୟରେ ଜୋରଦାର ଲଢେଇ ସାରା ଦେଶରେ କଂଗ୍ରେସର ଛବିକୁ ମଳିନ ପକାଇଥିବା ଆଲୋଚନା ହେଉଛି। ଠିକ ଏଭଳି ସମୟରେ ରାଜସ୍ଥାନ ସ୍ଥିତିକୁ ଦେଖି ବିଜେପି କୂଟନୈତିକ ଚାଲ ଖେଳିଥିବା କୁହାଯାଉଛି। ରାଜ୍ୟର ପ୍ରଥମ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ ଅବସରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ।

ଗେହଲଟ ରାଜନୈତିକ ସଙ୍କଟ ଦେଇ ଗତି କରୁଥିଲେ ମଧ୍ୟ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ସମୟ କାଢ଼ିଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଦେଇଥିଲେ। ଏହାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

ଏଭଳି ସମୟରେ ମୋଦୀଙ୍କ ଏହି ମନ୍ତବ୍ୟର ଇସାରା କୁଆଡେ ବୋଲି ରାଜନୈତିକ ସ୍ତରରେ ଆଲୋଚନା ହେଉଛି। ଗେହଲଟ ଗାନ୍ଧୀ ପରିବାରର ଅତ୍ୟନ୍ତ ଘନିଷ୍ଠ କୁହାଯାଉଥିବା ବେଳେ ସଚିନ ପାଇଲଟ ମଧ୍ୟ ରାହୁଲଙ୍କ ଯୁବ ଗୋଷ୍ଠୀର ନେତା ଭାବେ ଜଣାଶୁଣା।

କିନ୍ତୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଉଭୟଙ୍କ ମଧ୍ୟରେ ଲଢେ଼ଇ ଆଗରୁ ରହିଛି। ଏଭଳି ସ୍ଥିତିରେ ଆଗକୁ ରାଜସ୍ଥାନ ନିର୍ବାଚନ ଆସୁଛି। ତେଣୁ ଏଭଳି ମୁହୂର୍ତ୍ତରେ ଉଭୟଙ୍କ ଲଢେଇ ଏବଂ ଠିକ ପରେ ପରେ ଗେହଲଟଙ୍କୁ ମୋଦୀଙ୍କ ପ୍ରଶଂସା ଚର୍ଚ୍ଚାକୁ ଆହୁରି ବଢ଼ାଇଛି। ରାଜସ୍ଥାନରେ ରାଜନୈତିକ ଚିତ୍ର କିଛି ବଦଳିବ କି ବୋଲି ଆଲୋଚନା ଆରମ୍ଭ ହୋଇଛି।

Leave A Reply

Your email address will not be published.