Latest Odisha News

ସ୍ୱାଧୀନତା ପ୍ରାପ୍ତି ବେଳେ ଗାନ୍ଧୀ କରୁଥିଲେ କ’ଣ?

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’

ତିନି ଶତାଦ୍ଦୀର ବ୍ରିଟିଶ୍ ଶାସନର ଅବସାନ ଘଟାଇ ଭାରତ ସ୍ୱାଧୀନ ହେଲା ୧୯୪୭ ଅଗଷ୍ଟ ୧୫ରେ । ଏହି ଅବିସ୍ମରଣୀୟ ସ୍ମୃତିକୁ ପଖାଳିବା ପାଇଁ ଏବେ ଆମେ ପାଳୁଛୁ ସ୍ୱାଧୀନତାର ଅମୃତ ମହୋତ୍ସବ । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ସତ୍ୟାଗ୍ରହ ସଂଗ୍ରାମର ଫଳ ସ୍ୱରୂପ ସ୍ୱାଧୀନତାର ସୂର୍ଯ୍ୟୋଦୟ ହେଲା ଭାରତ ଭୂଖଣ୍ଡରେ । ତେବେ ଏହି ସଂଗ୍ରାମର ସଫଳ ସେନାପତି ଗାନ୍ଧୀଜୀ ସେଦିନ ଥିଲେ କେଉଁଠି, କରୁଥିଲେ କ’ଣ, କିପରି ଥିଲା ତାଙ୍କ ମାନସିକ ଅବସ୍ଥା?

ଗାନ୍ଧୀଜୀଙ୍କ ଇଚ୍ଛା ବିରୋଧରେ ଦେଶ ବିଭାଜନ ହେଲା । ଇଂରେଜମାନଙ୍କ କୂଟନୀତିର ଫାଶରେ କଂଗ୍ରେସ, ମୁସଲିମ୍‍ ଲିଗ୍‍ ଓ ହିନ୍ଦୁ ମହାସଭା ଫସିଗଲେ । ଏହି କାରଣରୁ ସ୍ୱାଧୀନତା ପ୍ରାପ୍ତି ପୂର୍ବରୁ ସାମ୍ପ୍ରଦାୟିକ ଦଙ୍ଗାର ଭୟଙ୍କର ସ୍ଥିତିକୁ ସାମ୍‍ନା କଲେ ଆମ ଦେଶବାସୀ, ଯେଉଁ ଘା’ ଏବେ ବି ଶୁଖିନାହିଁ । ୧୯୪୭ ଅଗଷ୍ଟ ୧୪ରେ ଜନ୍ମ ନେଲା ସ୍ୱାଧୀନ ପାକିସ୍ତାନ । ୧୯୪୭ ଅଗଷ୍ଟ ୧୪-୧୫ ମଧ୍ୟ ରାତ୍ରିରେ ଭାରତର ସମ୍ବିଧାନ ପ୍ରଣୟନ ସଭା ବସିଲା ଏହାର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦଙ୍କ ସଭାପତିତ୍ୱରେ । ସେ କହିଲେ, ‘ଏହି ସମ୍ବିଧାନ ପାଇଁ ଅନେକ ବଳିଦାନ ଦେଇଛନ୍ତି । ଆମେ ସବୁ ହସି ହସି ଜେଲ୍‍ ଯାଇଛୁ । ମହାତ୍ମାଗାନ୍ଧୀଙ୍କ ନେତୃତ୍ୱ ଓ ତ୍ୟାଗ ଏ ପରିପ୍ରେକ୍ଷୀରେ ଅନନ୍ୟ ।’ ଅଗଷ୍ଟ ୧୪-୧୫ ମଧ୍ୟରାତ୍ରିରେ ଘଣ୍ଟାରେ ଠିକ୍‍ ୧୨ଟା ବାଜିଲା ବେଳକୁ ଜଣେ ସଦସ୍ୟ ଶଙ୍ଖଧ୍ୱନି କରି ସ୍ୱାଧୀନତାର ଶୁଭ ମୁହୂର୍ତ୍ତକୁ ସୂଚାଇଦେଲେ । ସଭାପତି ରାଜେନ୍ଦ୍ର ପ୍ରସାଦ ଘୋଷଣା କଲେ, ‘ଭାରତର ଶାସନ କ୍ଷମତା ଏହି ମୁହୂର୍ତ୍ତରୁ ସମ୍ବିଧାନ ପ୍ରଣୟନ ସଭା ଗ୍ରହଣ କରୁଛି ଓ ଭାଇସ୍‍ରାୟ ଏଣିକି ହେବେ ସ୍ୱାଧୀନ ଭାରତର ଗଭର୍ଣ୍ଣର ଜେନେରାଲ ।’

ସେହି ଗୁରୁବାର-ଶୁକ୍ରବାର ମଧ୍ୟରାତ୍ରିରେ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ସ୍ୱାଧୀନ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥପାଠ କରାଇଲେ ମାଉଣ୍ଟବ୍ୟାଟେନ୍‍ । ନେହେରୁ କହିଲେ, ‘ଏବେ ସମଗ୍ର ପୃଥିବୀ ଶୋଇଥିବା ବେଳେ ଭାରତ ସ୍ୱାଧୀନତା ଲାଭ କରି ଚେଇଁ ଉଠିଛି । ଏମିତି ସମୟ କ୍ୱଚିତ୍ ଆସେ, ଯେତେବେଳେ ଆମେ ପୁରୁଣାରୁ ନୂଆକୁ ଆଦରି ନେଉ ଓ ନିର୍ଦ୍ଦିଷ୍ଟ ସମୟ ଶେଷରେ ବର୍ଷ ବର୍ଷ ଧରି ଶୋଷଣର ଶିକାର ହେଉଥିବା ଗୋଟିଏ ଜାତିର ଆତ୍ମା କଥା କୁହେ । ଭାରତବର୍ଷ ତଥା ମଣିଷ ଜାତିର ସେବା ପାଇଁ ଆମକୁ ସମର୍ପଣ କରିଦେବାର ଏହା ହିଁ ହେଉଛି ପବିତ୍ର ସମୟ…… ଆମ ପାଇଁ ଶପଥ ନେବାର ଏବେ ସମୟ ଆସିଛି । ବହୁ ବର୍ଷ ତଳେ ଭାଗ୍ୟ ସହିତ ଆମର ଅନୁବନ୍ଧନ ଥିଲା । ନିୟତି ସହ ଆମେ ସଙ୍କଳ୍ପ କରିଥିଲୁ । ଏବେ ଭାରତ ପରି ଏକ ପ୍ରାଚୀନ ରାଷ୍ଟ୍ର ବିଶ୍ୱରେ ତାହାର ଉଚିତ୍‍ ସ୍ଥାନ ପାଇଛି ।’ ମାଉଣ୍ଟବ୍ୟାଟେନ୍‍ ସମ୍ବିଧାନ ପ୍ରଣୟନ ସଭାରେ ଘୋଷଣା କଲେ, ‘ସ୍ୱାଧୀନ ଭାରତର ଗଭର୍ଣ୍ଣର ଜେନେରାଲ ହୋଇ ମୁଁ ଗର୍ବିତ । ଆପଣମାନଙ୍କର ମୁଁ ଜଣେ ସେବକ ମାତ୍ର । ଏମିତିି ଏକ ଐତିହାସିକ ମୁହୂର୍ତ୍ତରେ ଆମେ ସବୁ ଭୁଲିଯିବା ଉଚିତ୍‍ ନୁହେଁ ଯେ ଯେଉଁ ସ୍ୱାଧୀନତା ମିଳିଛି ତାହା ଗାନ୍ଧୀଙ୍କ ପାଇଁ ଆସିଛି । ଗାନ୍ଧୀଜୀଙ୍କ ଅହିଂସା ପାଇଁ ଏ ସ୍ୱାଧୀନତା ମିଳିଛି । କିନ୍ତୁ ଆମେ ଦୁଃଖିତ ଯେ ଆମର ଏହି ଉତ୍ସବରେ ଅଂଶଗ୍ରହଣ କରିବାକୁ ଗାନ୍ଧୀଜୀ ଏଠାରେ ନାହାନ୍ତି । ଆମେ ତାଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଯେ ଗାନ୍ଧୀଜୀ ଆମ ଚିନ୍ତାରେ ସବୁବେଳେ ଅଛନ୍ତି ଓ ରହିବେ ।’ ଗାନ୍ଧୀଜୀଙ୍କ ନାମ ଉଚ୍ଚାରଣ ମାତ୍ରେ ସମ୍ବିଧାନ ପ୍ରଣୟନ ସଭାର ସମସ୍ତ ସଦସ୍ୟ ଟେବୁଲ୍‍ ବାଡ଼େଇ, କରତାଳି ଦେଇ ଗାନ୍ଧୀଜୀଙ୍କ ପ୍ରତି ସେମାନଙ୍କ ସଦିଚ୍ଛା ଜଣାଇଲେ ।

ରାଜଧାନୀ ଦିଲ୍ଲୀ ଏବଂ ଦେଶର ବିଭିନ୍ନ ପ୍ରାନ୍ତରେ ଲୋକେ ସ୍ୱାଧୀନତା ପ୍ରାପ୍ତିର ଉତ୍ସବ ମନାଉଥିବା ବେଳେ ୧୯୪୭ ଅଗଷ୍ଟ ୧୫ରେ ଗାନ୍ଧୀଜୀ କିନ୍ତୁ ଦିଲ୍ଲୀ ଠାରୁ ଢେର୍‍ ଦୂର ରକ୍ତସ୍ନାତ ମହନାଗରୀ କଲିକତାର ଦଙ୍ଗା ବିଧ୍ୱସ୍ତ ବେଲିଆଘାଟ ଅଞ୍ଚଳରେ ଥିବା ହାଇଦରୀ ଭବନରେ ଗଭୀର ମନସ୍ତାପ ମଧ୍ୟରେ ଉପବାସ ଓ ମୌନତାର ସହ ଅନ୍ଧକାରରେ କାଟିଥିଲେ ବିନିଦ୍ର ରଜନୀ । ବିଷାଦ ମଧ୍ୟରେ ସେଦିନ ସେ କେବଳ ଗୀତା ପଢ଼ୁଥିଲେ ଓ ଚରଖାରେ ବସି ସୂତା କଟୁଥିଲେ । ସ୍ୱାଧୀନତା ପ୍ରାପ୍ତି ପୂର୍ବରୁ ଗାନ୍ଧୀଜୀଙ୍କ ସନ୍ଦେଶ ରେଡ଼ିଓରେ ପ୍ରସାର ଲାଗି ସରକାର ଚାହୁଁଥିଲେ । ଏଥିପାଇଁ ରେକର୍ଡିଂ କରିବାକୁ ବି ସୂଚନା ଓ ପ୍ରସାରଣ ବିଭାଗ ଅଧିକାରୀ ଆସିଥିଲେ । ଗାନ୍ଧୀଜୀ ଏଥିରୁ ନିଜକୁ ନିବୃତ୍ତ ରଖି କହିଥିଲେ ଯେ ତାଙ୍କର କିଛି କହିବାର ନାହିଁ । ଏହା ପୂର୍ବରୁ ବିବିସିର ସାମ୍ବାଦିକ ମଧ୍ୟ ଗାନ୍ଧୀଜୀଙ୍କୁ ଅନୁରୋଧ କରିଥିଲେ ବିଶ୍ୱବାସୀଙ୍କ ପାଇଁ ତାଙ୍କ ବାର୍ତ୍ତା ଦେବାକୁ । ଗାନ୍ଧୀଜୀ ନମ୍ରତାର ସହ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି କହିଥିଲେ, ‘ମୁଁ ଇଂରାଜୀ ଜାଣିଛି ବୋଲି ତମେ ଭୁଲିଯାଅ । ମୁଁ ତ କୌଣସି ଲୋଭରେ ନାହିଁ ।’

ଗାନ୍ଧୀ ଅଗଷ୍ଟ ୧୩ ଉପରବେଳାଠାରୁ ଯାଇ ରହିଥିଲେ ହାଇଦରୀ ଭବନରେ । ସାମ୍ପ୍ରଦାୟିକ ଦଙ୍ଗାରେ ଏହି ତିନି ବଖରା ବିଶିଷ୍ଟ ଘରର ଝରକା, କବାଟ ସବୁ ଭାଙ୍ଗି ଯାଇଥିଲା । ଘର ଭିତରେ ଗୋଟିଏ ମାତ୍ର ପାଇଖାନା । ରାତିର ଅନ୍ଧାର ସମୟରେ ବ୍ୟବହାର ପାଇଁ ଥିଲା କିରୋସିନି ଲଣ୍ଠନଟିଏ । ଏକଦମ୍‍ ସନ୍ତସନ୍ତିଆ ଓ ଅସ୍ୱାସ୍ଥ୍ୟକର ପରିବେଶ । ଏଭଳି ବାତାବରଣରେ ପରସ୍ପରର ମୁହାଁମୁହିଁ ଅବସ୍ଥାରେ ଥିବା ଉଭୟ ହିନ୍ଦୁ ଓ ମୁସଲମାନ ଗୋଷ୍ଠୀ ବି ଗାନ୍ଧୀଙ୍କୁ ବିରୋଧ କରୁଥାନ୍ତି । ଏମିତିକି ତାଙ୍କ ଉଦ୍ଦେଶ୍ୟରେ ଟେକା, ପଥର, ଲାଠି ମଧ୍ୟ ଫିଙ୍ଗା ଯାଉଥାଏ । କିନ୍ତୁ ସତ୍ୟାଗ୍ରହୀ ଗାନ୍ଧୀ ଏହାର ସାମ୍‍ନା କରୁଥାନ୍ତି । ଦଙ୍ଗା ପାଇଁ ସେଠାରେ ଜମିଥିବା କିଛି ଯୁବକଙ୍କୁ ଆହ୍ୱାନ ଦେଇ ଗାନ୍ଧୀ କହିଲେ, ‘ମୋର ଯଦି ହତ୍ୟା ହେବ ତାହା ଆପଣମାନଙ୍କ ଭିତରୁ କିଏ ଜଣେ କରିବ । ମୋର ମୃତ୍ୟୁକୁ ଭୟ ନାହିଁ । ବୁଢ଼ା ତ ହେଲିଣି, ଆଉ ବା କେତେ ଦିନ ବଞ୍ଚିବି । ତୁମେମାନେ ମୋତେ ବଳ ପ୍ରୟୋଗ କରି ଏଠାରୁ ହଟାଇପାରିବ ନାହିଁ କିମ୍ବା ତୁମମାନଙ୍କୁ ଜବତ କରିବା ପାଇଁ ପୋଲିସ କି ସେନାବାହିନୀକୁ ମୁଁ ବି ଏଠାକୁ ଡାକିବି ନାହିଁ । ମୁଁ ମଧ୍ୟ ତମମାନଙ୍କ ପରି ଜଣେ ହିନ୍ଦୁ । କେବଳ ଜନ୍ମରେ ହିନ୍ଦୁ ନୁହେଁ, ଆଚାର ବ୍ୟବହାରରେ ମଧ୍ୟ ମୁଁ ଜଣେ ହିନ୍ଦୁ ।’ ଗାନ୍ଧୀଜୀଙ୍କ ଏଇ କେତେ ପଦ ମର୍ମସ୍ପର୍ଶୀ କଥା ଦଙ୍ଗା ପାଇଁ ଜମିଥିବା ଯୁବକମାନଙ୍କୁ ଶାନ୍ତ କରିଦେଲା ।

ଦିଲ୍ଲୀରେ ଅନୁଷ୍ଠିତ ସ୍ୱାଧୀନତା ଉତ୍ସବରେ ଗାନ୍ଧୀଜୀଙ୍କୁ ସାମିଲ କରିବାପାଇଁ ନେହେରୁ ପଠାଇଥିଲେ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ । ସେ ଏଥିଲାଗି ବାରମ୍ବାର ଅନୁରୋଧ କରିବାରେ ଗାନ୍ଧୀଜୀ ତାଙ୍କ ପ୍ରକୋଷ୍ଠରୁ ବାହାରିଯାଇ ନିରବରେ ବସିଥିଲେ ଏକ ଗଛମୂଳେ । ଆଖିରୁ ତାଙ୍କର ଟୋପା ଟୋପା ଲୁହ ଝରୁଥିଲା । ଯେଉଁ ସ୍ୱାଧୀନତା ପାଇଁ ହଜାର ହଜାର ସଂଗ୍ରାମୀ ବଳିଦାନ ଦେଲେ ଏବଂ ଲକ୍ଷାଧିକ ନିର୍ଯ୍ୟାତନା ଓ କାରାବରଣ କଲେ ତାହାର ସ୍ମୃତି ପଖାଳୁଥିଲେ ବିଷର୍ଣ୍ଣ ବାପୁ । ଏହାରି ଭିତରେ ତାଙ୍କ ଉପରେ ଝରିପଡିଥିବା କେତୋଟି ଶୁଖିଲା ପତ୍ର ବି ବାପୁଙ୍କ ଲୁହରେ ଭିଜି ସାରିଥାଏ । ପୁଣି ନେହେରୁଙ୍କ ଦୂତ ଗାନ୍ଧୀଙ୍କୁ ଦିଲ୍ଲୀ ଯିବାପାଇଁ ଅନୁରୋଧ ଜଣାଇ ତାଙ୍କୁ ନେବା ଲାଗି ସ୍ୱତନ୍ତ୍ର ବିମାନ ଅପେକ୍ଷା କରିଥିବା କଥା କହିଲେ । ଜୀବନରେ କେବେ ଉଡାଜାହାଜ ବ୍ୟବହାର କରି ନଥିବା ବାପୁ କିଛି ନ କହି ଲୁହଭିଜା ପତ୍ରଟିଏ ତାଙ୍କ ହାତକୁ ବଢ଼ାଇଦେଲେ ନେହେରୁଙ୍କ ଉଦ୍ଦେଶ୍ୟରେ ।

ସ୍ୱାଧୀନତା ସହିତ ଦେଶ ବିଭାଜନ କାରଣରୁ ଗାନ୍ଧୀଜୀ ଚିନ୍ତାରେ ଥିଲେ । ଯେଉଁଭଳି ଭାବରେ ଭାରତ ଓ ପାକିସ୍ତାନର ନେତା ଏବଂ ଜନତା ଆଚରଣ କରୁଛନ୍ତି ତାହା ପୃଥକ ହୋଇଯାଇଥିବା ଦୁଇ ଦେଶ ପାଇଁ ଶୁଭଙ୍କର ନୁହେଁ ଏବଂ ଏହି ଘୃଣା ଓ ହିଂସା ଯୋଗୁ ଦୁଇ ଦେଶ ମଧ୍ୟରେ ଶତୃତା ବୃଦ୍ଧି ପାଇ ବାରମ୍ବାର ପ୍ରତ୍ୟକ୍ଷ ଓ ପରୋକ୍ଷ ଯୁଦ୍ଧ ହେବ ବୋଲି ସେତେବେଳୁ ସେ ସତର୍କ କରୁଥିଲେ । ଏମିତିକି ଯେଉଁ ସ୍ୱାଧୀନତା ପାଇଁ ଦେଶବାସୀ ଦୀର୍ଘ ଲଢ଼େଇ କରିଥିଲେ ତାହା ୧୯୪୭ ଅଗଷ୍ଟ ୧୫ରେ ଆସୁନାହିଁ ବୋଲି ପୂର୍ବରୁ ଚେତାଇ ଦେଇ ଏଥିଲାଗି ପୁଣି ଲମ୍ବା ଲଢ଼େଇ ପାଇଁ ପ୍ରସ୍ତୁତ ହେବାକୁ ସେ ଦେଶବାସୀଙ୍କୁ ନିବେଦନ କରିଥିଲେ । ତେବେ ଅଗଷ୍ଟ ୧୫ ତାରିଖରେ ଉପବାସରେ ଥିବା ଗାନ୍ଧୀଙ୍କ ସମ୍ମାନାର୍ଥେ କଲିକତା ମହାନଗରୀରେ ହିନ୍ଦୁ-ମୁସଲମାନ କାନ୍ଧରେ କାନ୍ଧ ମିଳାଇ ଅନେକ ସ୍ଥାନରେ ଶାନ୍ତି ଶୋଭାଯାତ୍ରାମାନ କାଢ଼ିଥିଲେ । କେଉଁଠି “ବନ୍ଦେ ମାତରମ୍‍” ତ ଆଉ କେଉଁଠି “ସାରେ ଜହାଁ ସେ ଆଚ୍ଛା”, ସ୍ଥାନେ ସ୍ଥାନେ ବି ଯଦି “ତୋର୍‍ ଡାକ୍‍ ସୁନେ କେଉ ନ ଆସେ ତବେ ଏକ୍‍ଲା ଚଲୋରେ” ଆଦି ସଙ୍ଗୀତର ଧ୍ୱନିରେ ଗଗନ ପବନ ମୁଖରିତ ହେଉଥିଲା ।

ଉଭୟ ସମ୍ପ୍ରଦାୟର ଲୋକଙ୍କୁ ସାଙ୍ଗରେ ଧରି ବିନା ନିରାପତ୍ତାରକ୍ଷୀରେ ଗାନ୍ଧୀଜୀ ପରିକ୍ରମା କରୁଥିଲେ କଲିକତା ମହାନଗରୀରେ । ସେଦିନ ବଙ୍ଗଳାର ରାଜ୍ୟପାଳ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ଓ ମୁଖ୍ୟମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘୋଷଙ୍କ ସମେତ ସମସ୍ତ ମନ୍ତ୍ରୀ ଓ ବିଭିନ୍ନ ବର୍ଗର ଲୋକେ ଗାନ୍ଧୀଜୀଙ୍କୁ ଭେଟି ସ୍ୱାଧୀନତାର ବଧେଇ ଜଣାଉଥିଲେ । କିନ୍ତୁ ଗାନ୍ଧୀ ଥିଲେ ବିମର୍ଶ । ସେତେବେଳକୁ ରାଜଧାନୀ ଦିଲ୍ଲୀ ସମେତ ପଶ୍ଚିମ ସୀମାନ୍ତରେ ସାମ୍ପ୍ରଦାୟିକ ଦଙ୍ଗାର ତାଣ୍ଡବଲୀଳା ଚାଲିଥାଏ । କିନ୍ତୁ ମୋହନ ଦାସଙ୍କ ମୋହିନୀ ଶକ୍ତି କଲିକତାକୁ କରିଦେଇଥାଏ ଶାନ୍ତ । ଏ ପରିପ୍ରେକ୍ଷୀରେ ବଙ୍ଗଳାର ରାଜ୍ୟପାଳ ରାଜାଜୀ ୧୯୪୭ ସେପ୍ଟେମ୍ବର ୬ ତାରିଖର ଷ୍ଟେଟ୍‍ସମ୍ୟାନ କାଗଜରେ ଲେଖିଲେ, ‘ଗାନ୍ଧୀଜୀଙ୍କ ଦ୍ୱାରା ଅନେକ ସାଫଲ୍ୟ ସମ୍ଭବ ହୋଇଛି । କିନ୍ତୁ ମୋ ବିଚାରରେ କଲିକତାକୁ ଗ୍ରାସିଥିବା ସାମ୍ପ୍ରଦାୟିକ ରାକ୍ଷସ କବଳରୁ ଏ ସହରକୁ ମୁକ୍ତ କରିବା ତାଙ୍କର ସର୍ବୋତ୍ତମ ସାଫଲ୍ୟ । ଏପରିକି ଏହାକୁ ମୁଁ ଦେଶର ସ୍ୱାଧୀନତା ଠାରୁ ବଡ଼ ମନେକରେ ।’ ଲର୍ଡ ମାଉଣ୍ଟବ୍ୟାଟେନ୍‍ ଲେଖିଲେ ଯେ ଭାରତର ପଶ୍ଚିମ ସୀମାନ୍ତ ପଞ୍ଜାବରେ ସରକାରଙ୍କର ୫୫ ହଜାର ସୈନିକ ଶାନ୍ତି ପାଇଁ ମୁତୟନ ଥିଲେ ବି ସେଠାରେ ହାଣ କାଟ ଚାଳିଛି । କିନ୍ତୁ ବଙ୍ଗଳାରେ ଗାନ୍ଧୀଜୀ ଏକକ ସୀମାନ୍ତ ରକ୍ଷୀ ସୈନିକ ଭାବେ ସମ୍ପୂର୍ଣ୍ଣ ଶାନ୍ତି ରକ୍ଷା କରିଛନ୍ତି । ସେଠାରେ ଦଙ୍ଗା ନାହିଁ ।

ଅବଶ୍ୟ ଅଶାନ୍ତ ବଙ୍ଗକୁ ଶାନ୍ତ କରିବା ପାଇଁ ଗାନ୍ଧୀଜୀଙ୍କୁ ଅନଶନ କରିବାକୁ ପଡ଼ିଥିଲା । ଯେଉଁମାନେ ପରସ୍ପରର ରକ୍ତରେ ସ୍ନାନ କରିବା ପାଇଁ ଉଦ୍ୟତ୍ତ ଥିଲେ ସେମାନେ ଗାନ୍ଧୀଙ୍କ ନିକଟରେ ତରବାରୀ ସମର୍ପଣ କରିଦେଇ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଓ ଭାଇଚାରାର ବାର୍ତ୍ତା ବାଣ୍ଟିଲେ । କଲିକତା ଶାନ୍ତ ହେବା ପରେ ଗାନ୍ଧୀଜୀ ଦିଲ୍ଲୀ ଫେରିଲେ । ସେଠି ବି ଦଙ୍ଗା କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟିବା ସହ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଜୀବନକୁ ବାଜି ଲଗାଇ ଦେଲେ । ଏଭଳି ଜଣେ ଅଦ୍ଭୂତ ମହାତ୍ମାଙ୍କ ଚିନ୍ତା, କାମ ଓ କଥା ଦେଖି ସମଗ୍ର ବିଶ୍ୱ ବିସ୍ମିତ ହେଲା । ବିଶ୍ୱବିଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନ୍‍ଷ୍ଟାଇନ୍‍ ତ ପୂର୍ବରୁ କହିସାରିଥିଲେ ଯେ ହୁଏତ ଭବିଷ୍ୟତର ବଂଶଧରମାନେ ବିଶ୍ୱାସ କରିବେ ନାହିଁ ଯେ ରକ୍ତ ମାଂସର ଶରୀର ଧରି ଗାନ୍ଧୀଜୀଙ୍କ ଭଳି ଜଣେ ମଣିଷ ଏ ଧରାପୃଷ୍ଠରେ ଦିନେ ବିଚରଣ କରୁଥିଲେ ।

ଦେଶ ବିଭାଜନ, ଦଙ୍ଗା ଏବଂ ବିଶେଷ କରି ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଶତୃତା ଘେନି ଗାନ୍ଧୀଜୀଙ୍କର ସମାଧାନର ସୂତ୍ରକୁ ଦୁଇଟିଯାକ ଦେଶର ନେତା ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲେ । କ୍ଷମତା ନିଶାରେ ସେମାନେ ଏକ ପ୍ରକାର ଅନ୍ଧ ହୋଇଯାଇଥିଲେ । ଗାନ୍ଧୀଜୀଙ୍କ ସେତେବେଳର ସୂତ୍ର ଗ୍ରହଣ କରାଯାଇଥିଲେ ହୁଏତ ସ୍ୱାଧୀନତାର ୭୫ ବର୍ଷ ମଧ୍ୟରେ ଭାରତ-ପାକିସ୍ତାନ ମଧ୍ୟରେ ବାରମ୍ବାର ଯୁଦ୍ଧ ହେଉନଥାନ୍ତା, ସୀମାନ୍ତରେ ସେନା ଛାଉଣୀ ନ ଥାନ୍ତା, ସନ୍ତ୍ରାସବାଦୀ ଆତଙ୍କ ନ ଥାନ୍ତା କି ଉଭୟ ଦେଶର ଲକ୍ଷ ଲକ୍ଷ କୋଟି ଟଙ୍କାର ବରବାଦ ହେଉନଥାନ୍ତା । ବସ୍ତୁତଃ ସ୍ୱାଧୀନତା ପ୍ରାପ୍ତିର ୬ ମାସ ନ ପୁରୁଣୁ ଏକ ବିକୃତ ସାମ୍ପ୍ରଦାୟିକ ବିଚାରରେ ସଢୁଥିବା କିଛି ଲୋକଙ୍କ ଷଡ଼ଯନ୍ତ୍ରରେ ଗାନ୍ଧୀଜୀଙ୍କୁ ହତ୍ୟା କରାଗଲା । ଗାନ୍ଧୀଜୀ ମରି ବି ଆଜି ଅମର । କିନ୍ତୁ ସେ ଯେଉଁ ସ୍ୱାଧୀନ ଭାରତର ପରିକଳ୍ପନା କରିଥିଲେ ତାହା ସ୍ୱାଧୀନତାର ୭୫ ବର୍ଷ ପରେ ବି ଅଧୁରା ରହିଛି । ଏହାକୁ ରୂପାୟିତ କରିବା ପାଇଁ ଆଜି ଭାରତମାତା ଖୋଜୁଛି ଗାନ୍ଧୀ ଆଦର୍ଶର ଏମିତିକି କିଛି ସଂକଳ୍ପବଦ୍ଧ ସାଧକଙ୍କୁ ଯେଉଁମାନେ ଆଦର୍ଶରେ ଅବିଚଳିତ ବିଶ୍ୱାସ ରଖି ଇତିହାସର ମୋଡ଼ ବଦଳାଇ ଦେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବା ଲାଗି ପ୍ରସ୍ତୁତ ଥିବେ ।

E-mail: prahalladsinha@gmail.com
ଫୋନ : ୯୪୩୭୦୧୭୩୯୫

Comments are closed.