Latest Odisha News

BREAKING NEWS

ଟାର୍ଗେଟ୍ ଯେବେ ଚାଷୀଙ୍କ ମୁଣ୍ଡ ହୁଏ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’…

ଇତିହାସ ସାକ୍ଷୀ ଅଛି, ଚାଷୀ ଓ ଆଦିବାସୀମାନେ ହିଁ ସର୍ବାଧିକ ସରକାରୀ ଅବହେଳା ଓ ସରକାରୀ ଦମନଲୀଳାର ଶିକାର ହୋଇ ଆସୁଛନ୍ତି । ଆଜି ସେହିକଥା ପୁଣିଥରେ ପୁନରାବୃତି ହୋଇଛି । କିନ୍ତୁ ଫରକ୍ କେବଳ ଏତିକି ଯେ, ଏଥର ସରକାର କେବଳ ଚାଷୀଙ୍କ ସ୍ୱରକୁ ଦବେଇ ଦେବାରେ ସନ୍ତୁଷ୍ଟ ନୁହଁନ୍ତି । ସରକାରଙ୍କ ଟାର୍ଗେଟ୍ ଏଥର ସିଧା ଚାଷୀଙ୍କ ମୁଣ୍ଡ ।

କେନ୍ଦ୍ର ସରକାରଙ୍କ ଚାଷୀମାରଣ ଆଇନ୍ ତିନୋଟି ବିରୁଦ୍ଧରେ ଚାଷୀମାନେ ଦୀର୍ଘ ନଅ ମାସ ହେବ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଜାରି ରଖିଛନ୍ତି । ନଅ ମାସ ସାଧାରଣ ଜନଜୀବନରେ ଆଦୌ କମ୍ ସମୟ ନୁହେଁ । କେନ୍ଦ୍ର ସରକାର ଶେଷ ଥର ପାଇଁ ଚାଷୀଙ୍କ ସହିତ ଗତ ଜାନୁଆରୀ ମାସରେ କଥା ହୋଇଥିଲେ । ତା’ପରଠୁ ସରକାର ସଂପୂର୍ଣ୍ଣ ନୀରବ ବସିଛନ୍ତି । ଚାଷୀମାନେ ଖରା, ବର୍ଷା, ଶୀତ, କାକରରେ ରାସ୍ତା ଉପରେ ବସିଥିଲେ ବି ସରକାର ସେମାନଙ୍କ ସହ କଥା ହେବାକୁ ଆଉ ଉଚିତ୍ ମଣୁନାହାନ୍ତି କିମ୍ବା ଆଇନ୍ ତିନୋଟିକୁ ପୁନଶ୍ଚ ତର୍ଜ୍ଜମା କରିବାକୁ ବି ରାଜି ନୁହଁନ୍ତି । କାରଣ ଘରୋଇ କଂପାନୀମାନଙ୍କୁ ଲାଭ ଦେବାର ଜିଦ୍‌ରେ ସରକାର ଅଟଳ । ଚାଷୀମାନେ ମଧ୍ୟ ନିଜ ଜୀବନ ଜୀବିକା ପାଇଁ ଅଟଳ ହେବା ସ୍ୱଭାବିକ । ସରକାରଙ୍କ ଘରୋଇ କଂପାନୀ ପ୍ରେମର ଏହା ଠାରୁ ବଡ଼ ନିଦର୍ଶନ ଆଉ କ’ଣ ଥାଇପାରେ! ଅବଶ୍ୟ ଏହା ପଛରେ ସରକାରଙ୍କର ନିର୍ବାଚନ ଫଣ୍ଡିଙ୍ଗ୍‌ର ପ୍ରତିଦାନ ଦେବାର ବି ଉଦ୍ଦେଶ୍ୟ ଅଛି ।

 

ସରକାରଙ୍କର ସଂପ୍ରତି ନୀରବତାରୁ ବୁଝାପଡ଼ୁଛି ଯେ, ସରକାର ପୂର୍ବରୁ ଚାଷୀମାନଙ୍କ ସହିତ ଯେଉଁ କଥାବାର୍ତା କରିଥିଲେ, ତାହା କେବଳ ପଶ୍ଚିମବଙ୍ଗ, କେରଳ, ଆସାମ୍ ଆଦି ରାଜ୍ୟରେ ମୁଣ୍ଡ ଉପରେ ନିର୍ବାଚନ ଥିବାରୁ । ନିର୍ବାଚନ ସରିଯିବା ପରେ ଏବେ ମୋଦି ସରକାର ତାର ଅସଲ ରୁପ ଦେଖାଉଛି ।

ଗତ ଅଗଷ୍ଟ ୨୯ ତାରିଖରେ ଚାଷୀମାନେ ହରିୟାଣାର କାର୍‌ନଲ ଠାରେ ବିକ୍ଷୋଭ କରୁଥିବା ସମୟରେ ହରିୟାଣା ସରକାର ଚାଷୀମାନଙ୍କୁ ରକ୍ତାକ୍ତ କରିବାର ଫଟୋ ଆମେ ଗଣମାଧ୍ୟମରୁ ଦେଖିଲେ । ଯେଉଁ ଚାଷୀ ଝାଳ ବୁହାଇ ସମସ୍ତଙ୍କୁ ଖାଇବାକୁ ଦେଉଛି ତା ଦେହରୁ ହରିୟାଣା ସରକାର ରକ୍ତ ବି ଝରେଇବାକୁ ପଛେଇଲେ ନାହିଁ । ସେହି ବିକ୍ଷୋଭରେ ପୋଲିସ୍ ଆକ୍ରମଣର ଶିକାର ହୋଇଥିବା ରକ୍ତାକ୍ତ ଚାଷୀମାନଙ୍କୁ ଦେଖିଲେ ସଂପ୍ରତି ଘଟୁଥିବା ତାଲିବାନୀ ବର୍ବରତା ମନେ ପଡ଼ିଯାଉଛି । ସତରେ କ’ଣ ଆମେ ଏକ ଗଣତନ୍ତ୍ରରେ ବାସ କରୁଛେ! ସତରେ କ’ଣ ଚାଷୀଙ୍କ ପରିଶ୍ରମର ଫଳ ରକ୍ତ ହୋଇ ଆମ ଦେହରେ ବୋହୁଛି! ସତରେ କ’ଣ ଶାସନ କଳ ଏତେ କୃତଘ୍ନ! ସତରେ କ’ଣ କଂପାନୀର ଟଙ୍କା ଠାରୁ ଚାଷୀର ରକ୍ତ ଏତେ ଇତର ଯେ, ସେଥିପାଇଁ ବାଡ଼େଇ ବାଡ଼େଇ ଅନ୍ନଦାତାଙ୍କ ରକ୍ତ ବି ଝରାଯାଇପାରେ! କେବଳ ରକ୍ତ ନୁହେଁ, ସେହି ବିକ୍ଷୋଭରେ ପୋଲିସ୍ ଆକ୍ରମଣରେ ଜଣେ ଚାଷୀ ମୃତ୍ୟବରଣ ମଧ୍ୟ କରିଛନ୍ତି । ଏହା ଠାରୁ ଅଧିକ ବର୍ବରତା ଆଉ କ’ଣ ହୋଇପାରେ!

ସେଦିନର ସେହି ଚାଷୀମାନଙ୍କର ବିକ୍ଷୋଭକୁ ଅଟକେଇବା ପାଇଁ କାର୍‌ନେଲ୍‌ର ଏସ୍‌.ଡି.ଏମ୍‌.ଓ. ଆୟୁଷ୍ ସିଂ ପୋଲିସ୍ ମାନଙ୍କୁ ନିର୍ଦ୍ଦେଶ ଦେଉଥିବାର ଭିଡ଼ିଓ ଏବେ ଭାଇରାଲ୍ ହୋଇଛି । ସେହି ଭିଡ଼ିଓରେ ଏସ୍‌.ଡି.ଏମ୍‌.ଓ. ସିଂ ପୋଲିସ୍ ମାନଙ୍କୁ କହୁଛନ୍ତି, ଚାଷୀମାନଙ୍କ ମୁଣ୍ଡକୁ ଟାର୍ଗେଟ୍ କର । ଯିଏ ବି ବ୍ୟାରିକେଡ଼୍ ଟପିବ କାହାକୁ ବି ଛାଡ଼ିବ ନାହିଁ । ମୁଣ୍ଡରେ ମାଡ଼ ହେବା ଦରକାର । କହିସାରିବା ପରେ ଅଫିସର ଜଣକ ନିଶ୍ଚିତ ହେବା ପାଇଁ ଦୁଇ ଥର୍ ‘କୋଇ ସକ’, ‘କୋଇ ସକ୍‌’ ବି ପଚାରୁଛନ୍ତି । ସମୟ ଥିଲା ପ୍ରଥମେ ବିକ୍ଷୋଭକାରୀଙ୍କ ଗୋଡ଼କୁ ମାରିବା ପାଇଁ କୁହାଯାଉଥିଲା । କିନ୍ତୁ ସଂପ୍ରତି ବିଜେପି ସରକାରରେ ଦମନଲୀଳାର ବ୍ୟାକରଣ ବଦଳି ଯାଇଛି । ସିଧା ମୁଣ୍ଡକୁ ମାରିବାକୁ ଆଦେଶ ଦିଆଯାଉଛି । ସେହି ଅଫିସରଙ୍କ କଥା ମାନି ପୋଲିସ୍ ବାହିନୀ ବିକ୍ଷୋଭ ସ୍ଥଳକୁ ରକ୍ତରଞ୍ଜିତ କରିଦେଲେ ।

ଚାଷୀଙ୍କ ଆୟକୁ ଦୁଇଗୁଣ କରିବାକୁ ଭାଷଣ ମାରୁଥିବା, ମନ୍ କି ବାତ୍‌ରେ ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ପ୍ରଧାନମନ୍ତ୍ରୀ ମୋଦି ସେହି ଅଫିସରଙ୍କ ଏପରି ବକ୍ତବ୍ୟରେ ଏଯାଏ ବି ନୀରବତା ଅବଲମ୍ବନ କରିବାକୁ ପସନ୍ଦ କରିଛନ୍ତି । ସତେ ଯେମିତି ତାଙ୍କ ସରକାରର ଗଳାରେ କଂଟା ହୋଇ ଲାଖିଥିବା ଚାଷୀ ଆନ୍ଦୋଳନ ବିଷୟରେ ସେହି ଅଫିସର ଜଣକ ପ୍ରଧାନମନ୍ତ୍ରୀଙ୍କ ମନର କଥା କହିଛନ୍ତି । ଏହା କେବଳ ସେହି ଅଫିସର ଜଣଙ୍କର କଥା ନୁହେଁ । ଗତ ନଅ ମାସ ହେବ ଚାଷୀ ଆନ୍ଦୋଳନ ପ୍ରତି ସରକାର ଓ ସରକାରୀ ଦଳର ପ୍ରବକ୍ତାମାନଙ୍କର ମତାମତ ଓ ତାଚ୍ଛଲ୍ୟ ଦେଖି ଏହା ବୁଝା ପଡ଼ୁଛି ଯେ, ସରକାରଙ୍କ ଟାର୍ଗେଟ୍ ବି ସିଧା ଚାଷୀଙ୍କ ମୁଣ୍ଡ । କେତେବେଳେ ଚାଷୀଙ୍କୁ ଖଲିସ୍ତାନୀ କୁହାଯାଉଛି, ତ କେତେବେଳେ ଆତଙ୍କବାଦୀ କୁହାଯାଉଛି ତ କେତେବେଳେ ଲାଠି ପ୍ରହାର କରାଯାଉଛି ।

ଭୂଲିଯିବା ଉଚିତ୍ ନୁହେଁ ଯେ, ଚାଷୀମାନେ ହେଉଛନ୍ତି ଅନ୍ନଦାତା । ଯାହାଙ୍କ ଝାଳର ପ୍ରତିଦାନ ସ୍ୱରୁପ ଆମ ଦେହରେ ରକ୍ତ ବୋହୁଛି । ସେମାନଙ୍କ ମୁଣ୍ଡକୁ ଟାର୍ଗେଟ୍ ହେବା ଅର୍ଥ ମଣିଷ ହିସାବରେ ଆମେ କୃତଘ୍ନତାର ସୀମା ଟପି ଯାଉଛେ । ନିଜ ଭାତ ଥାଳୀକୁ ଗୋଇଠା
ମାରୁଛେ । ଓଡ଼ିଆରେ ଗୋଟେ କଥା ଅଛି, ଲକ୍ଷ୍ମୀ ଛାଡ଼ିଯିବ । ସାବଧାନ! ଚାଷୀଙ୍କ ମୁଣ୍ଡକୁ ଟାର୍ଗେଟ୍ କରନାହିଁ ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮
ମୋ- ୯୪୩୮୪୬୮୪୭୪

Leave A Reply

Your email address will not be published.