Latest Odisha News

ଆଗାମୀ ୬ରୁ ୭ ମାସ ମଧ୍ୟରେ ଆସିପାରେ କରୋନାର ତୃତୀୟ ପ୍ରବାହ

ନୂଆଦିଲ୍ଲୀ: ଦେଶ କରୋନାର ଦ୍ୱିତୀୟ ପ୍ରବାହ ସହ ଲଢ଼ୁଛି । ଅନ୍ୟପଟେ କରୋନାର ତୃତୀୟ ପ୍ରବାହ ଆସିବା ନେଇ ବିଶେଷଜ୍ଞ ଚେତାବନୀ ଦେଲେଣି । କରୋନର ତୃତୀୟ ପ୍ରବାହ ଆସିବ, ଏହାକୁ ସମସ୍ତ ବିଶେଷଜ୍ଞ ମାନୁଛନ୍ତି । ତେବେ କରୋନାର ତୃତୀୟ ପ୍ରବାହ କେବେ ଆସିବ ସେନେଇ କିଛି କୁହାଯାଉ ନାହିଁ ।

କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ବିଜୟ ରାଘବନ ବୁଧବାର କହିଛନ୍ତି, ଦ୍ୱିତୀୟ ପ୍ରବାହ ପରେ କରୋନାର ତୃତୀୟ ପ୍ରବାହ ଆସିବ । ତେବେ ତୃତୀୟ ଲହର କେବେ ଆସିବ ଏବଂ କେତେ ମାରାତ୍ମକ ହେବ । ଏନେଇ ଏବେଠୁ କିଛି କୁହାଯାଇ ପାରିବ ନାହିଁ । କରୋନା ଭୂତାଣୁ ନିୟମିତ ବ୍ୟବଧ୍ୟାନରେ ଭାରିଆଣ୍ଟ ବଦଳାଉଛି । ଏଥିପାଇଁ ଆମକୁ ତୃତୀୟ ପ୍ରବାହ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ । ସେ ଆହୁରି କହିଛନ୍ତି, ଭ୍ୟାକ୍ସିନ୍ ପ୍ରଭାବଶାଳୀ ଅଟେ । ଭ୍ୟାକ୍ସିନକୁ ଆହୁରି ଅପଗ୍ରେଡ୍ ପାଇଁ ବୈଜ୍ଞାନିକ କାମ କରୁଛନ୍ତି ।

କେବେ ଆସିବ କରୋନାର ତୃତୀୟ ପ୍ରବାହ ? ଏହାକୁ ନେଇ ବେଙ୍ଗଳୁରୁସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ ହେଲଥର ବିଶେଷଜ୍ଞ ଡକ୍ଟର ଗିରିଧର ବାବୁ କୁହନ୍ତି, ଥଣ୍ଡା ସମୟରେ ତୃତୀୟ ପ୍ରବାହ ଆସିପାରେ । ନଭେମ୍ବର ଶେଷ ଅଥବା ଡିସେମ୍ବର ଆରମ୍ଭରେ କରୋନାର ତୃତୀୟ ପ୍ରବାହ ଆସିପାରେ । ଏଥିପାଇଁ ଏହି ଯେଉଁମାନଙ୍କୁ ସବୁଠୁ ଅଧିକ ବିପଦ ରହିଛି, ସେମାନଙ୍କୁ ତୁରନ୍ତ ଟିକା ଦେବା ଉଚିତ୍ । ତୃତୀୟ ପ୍ରବାହ ଯୁବଗୋଷ୍ଠୀଙ୍କୁ ପ୍ରଭାବିତ କରିପାରେ ।

ତାଙ୍କ ଅନୁସାରେ, ତୃତୀୟ ଲହର ତିନୋଟି ଦିଗ ଉପରେ ନିର୍ଭର କରେ । ପ୍ରଥମ- ଡିସେମ୍ବର ସୁଦ୍ଧା ଆମେ କେତେ ଲୋକଙ୍କୁ ଟିକା ଦେଇ ପାରୁଛେ । ଦ୍ୱିତୀୟ- ଆମେ ସୁପରସ୍ପ୍ରେଡର ଇଭେଣ୍ଟକୁ କେତେ ରୋକି ପାରୁଛେ । ତୃତୀୟ- ଆମେ କେତେ ଶୀଘ୍ର ଭୂତାଣୁର ନୂଆ ରୂପ ବା ଭାରିଆଣ୍ଟକୁ ଚିହ୍ନଟ କରି ତାକୁ ରୋକି ପାରୁଛେ ।

Leave A Reply

Your email address will not be published.