Latest Odisha News

BREAKING NEWS

ସରିଛି ମାଟ୍ରିକ ମୂଲ୍ୟାୟନ, କେବେ ପ୍ରକାଶ ପାଇବ ଫଳ ?

କଟକ: ମାଟ୍ରିକ ଖାତା ଦେଖା ସରିଥିବା ବେଳେ ତ୍ରୁଟିଶୂନ୍ୟ ରେଜଲ୍ଟ ପ୍ରକାଶନ ନେଇ ପ୍ରକ୍ରିୟା ଜାରି ରହିଛି । ଖୁବଶୀଘ୍ର ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶନ ପାଇଁ ପ୍ରୟାସ କରାଯାଉଥିବା କହିଛନ୍ତି ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି ।

ପ୍ରେମସିଟରେ ବୋର୍ଡ ଉପସଭାପତି କହିଛନ୍ତି, ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ କରିବା ନେଇ ନିର୍ଦ୍ଦେଶ ରହିଛି । କେବେ ମାଟ୍ରିକ ପରୀକ୍ଷା ଫଳ ବାହାରିବ କହି ହେବନି, ତଥାପି ଶୀଘ୍ର ସାରିବାକୁ ଚେଷ୍ଟା କରାଯାଉଛି । ଅନ୍ୟ ବୋର୍ଡ ତୁଳନାରେ ଆଗୁଆ ରେଜଲ୍ଟ ବାହାର କରିବାକୁ ଆଶାବାଦୀ ଥିବା କହିଛନ୍ତି ବୋର୍ଡ ଉପସଭାପତି ।

ତେବେ ସୋସିଆଲ ସାଇନ୍ସ ବି ସେଟ୍‌ ପ୍ରଶ୍ନପତ୍ର ତ୍ରୁଟିକୁ ନେଇ ଛାତ୍ରଛାତ୍ରୀ ବିଚଳିତ ନ ହେବାକୁ ସେ ନିବେଦନ କରିଛନ୍ତି । ଏହାଦ୍ୱାରା ୩ରୁ ୫ ହଜାର ପିଲା ପ୍ରଭାବିତ ହୋଇଥିବା ବେଳେ, ସର୍ଟଆଉଟ ହୋଇଥିବା ବୋର୍ଡ ଉପସଭାପତି କହିଛନ୍ତି ।

ଶୃଙ୍ଖଳାର ସହ ରାଜ୍ୟର ୫୫ଟି ଖାତାଦେଖା କେନ୍ଦ୍ରରେ ତ୍ରୁଟିଶୂନ୍ୟ ଭାବେ ମାଟ୍ରିକ୍ ଖାତା ଦେଖା ଯାଇଛି । ଦୁଇରୁ ତିନୋଟି କେନ୍ଦ୍ରକୁ ବାଦ୍ ଦେଲେ ସବୁଠି ଏପ୍ରିଲ୍ ୧୩ରୁ ଖାତା ଦେଖା ସରିଛି । ଖାତାଦେଖାର ପ୍ରଥମ ଦୁଇ ପର୍ଯ୍ୟାୟ ସରିଥିବା ବେଳେ ତୃତୀୟ ପର୍ଯ୍ୟାୟରେ ଟାବୁଲେସନ୍ ଚାଲିଛି । ଏହା ପରେ ପରୀକ୍ଷା ଫଳ ପ୍ରକାଶ ପାଇବ ।

ସୂଚନାଯୋଗ୍ୟ, ଚଳିତବର୍ଷ ମାର୍ଚ୍ଚ ୧୦ରୁ ୨୦ ଯାଏ ମାଟ୍ରିକ୍ ସମ୍ମେଟିଭ୍ ୨ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ୩ ହଜାର ୨୧୮ଟି ପରୀକ୍ଷା କେନ୍ଦ୍ରରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିଲେ ।

Leave A Reply

Your email address will not be published.