Latest Odisha News

ମନ୍ତ୍ରୀଙ୍କୁ ଗୁଳି ମାରିଥିବା ଏଇ ଗୋପାଳକୃଷ୍ଣ କିଏ ? କେମିତି ହେଲେ ASI

ଭୁବନେଶ୍ୱର:  ଦିନ ଦ୍ବିପହରରେ ବ୍ରଜରାଜନଗରରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବଙ୍କୁ ଗୁଳିମାଡ଼ ଘଟଣା ପୋଲିସ ପ୍ରସାଶନକୁ ଏକ ଖୋଲା ଚାଲେଞ୍ଜ । ସବୁଠାରୁ ବଡ କଥା ହେଉଛି, ଜଣେ ପୋଲିସ କର୍ମଚାରୀ ମନ୍ତ୍ରୀଙ୍କୁ ଗୁଳି କରିଛନ୍ତି । ଏହିଂ ପିଲିସ କର୍ମଚାରୀ ହେଉଛନ୍ତି ASI ଗୋପାଳକୃଷ୍ଣ ଦାସ । ତେବେ ଏହି ଗୋପାଳକୃଷ୍ଣ  କିଏ ? କାହିଁକି ସେ ମନ୍ତ୍ରୀଙ୍କୁ ଏମିତି ଗୁଳି କଲେ ? ମନ୍ତ୍ରୀଙ୍କ ସହ ତାଙ୍କର କି ଶତ୍ରୁତା ଥିଲା ?

ମନ୍ତ୍ରୀ ନବ ଦାସଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ବର ଅଣାଯାଇ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଗୁଳିମାଡ଼ କରିଥିବା ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କୁ ନେଇ ଏବେ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ।

ଏଏସଆଇ ଗୋପାଳ ଦାସଙ୍କ ଘର ଗଞ୍ଜାମ ଜିଲ୍ଲା ଜଳେଶ୍ବରଖଣ୍ଡିରେ । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରସ୍ଥିତ ଗାନ୍ଧି ଛକ ଫାଣ୍ଡିରେ ଇନଚାର୍ଜ ଦାୟୀତ୍ୱରେ ସେ ଥିଲେ। ସେ ବ୍ରଜରାଜନଗରରେ ରହୁଥିବା ବେଳେ ତାଙ୍କ ପରିବାର ଗଂଜାମ ଜିଲ୍ଲା ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ଶିଳ୍ପାଞ୍ଚଳରେ ରହୁଥିଲେ ।

ସେ କନେଷ୍ଟବଳ ଭାବେ ପ୍ରଥମେ ଚାକିରୀରେ ଯୋଗ ଦେଇଥିଲେ । ବ୍ରହ୍ମପୁରରେ କନଷ୍ଟେବଲ ଭାବେ ଥିବାବେଳେ କିଛିଦିନ ତଳେ ପ୍ରମୋଶନ ପାଇ ଝାରସୁଗୁଡା ବଦଳି ହୋଇଥିଲେ । ASI ଭାବେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଥାନାରେ ସେ ମୁତୟନ ହୋଇଥିଲେ । ପତ୍ନୀ ଜୟନ୍ତୀ ଦାସଙ୍କ କହିବା ଅନୁସାରେ,  ସେ ମାନସିକ ଅବସାଦଗ୍ରସ୍ତ ଥିଲେ । ତାଙ୍କର ଚିକିତ୍ସା ମଧ୍ୟ ଚାଲୁଥିଲା । ସେ ନିୟମିତ ଔଷଧ ଖାଉଥିଲେ । ପତ୍ନୀଙ୍କ କହିବା ଅନୁଯାୟୀ ମାନସିକ ଅବସାଦ ବଢିଗଲେ ସେ କୁଆଡେ  ଅଧିକ ଖାଆନ୍ତି, ସପିଙ୍ଗ କରନ୍ତି ।

ତେବେ ହଠାତ ଆଜି ସେ ଏମିତି ପଦକ୍ଷେପ କାହିଁକି ନେଲେ ?  ଯଦି ମାନସିକ ରୋଗୀ ଥିଲେ ତେବେ ଚାକିରୀ କେମିତି କରୁଥିଲେ ? ପତ୍ନୀଙ୍କ କହିବା ଅନୁଯାୟୀ ସେ ୪ ରୁ ୫ ମାସ ଧରି ଘରକୁ ଆସି ନ ଥିଲେ । ଏଠି ପ୍ରଶ୍ନ ଉଠେ ୪-୫ ମାସ ଧରି ଜଣେ ମାନସିକ ରୋଗୀ କେମିତି ଏକୁଟିଆ ରହୁଥିଲେ। ପରିବାର ଲୋକ କେମିତି ତାଙ୍କୁ ଏକୁଟିଆ ରହିବାକୁ ଦେଇଥିଲେ ?

ପତ୍ନୀ ଜୟନ୍ତୀ ଦାସ ଆହୁରି କହିଛନ୍ତି, ଆଜି ସକାଳୁ ଝିଅଙ୍କ ସହିତ  ଭିଡିଓ କଲିଂରେ କଥା ହୋଇଥିଲେ ASI ଗୋପାଳ। ହଠାତ କାମ ଅଛି କହି କଲ୍ କାଟି ଦେଇଥିଲେ। ଆଉ ତା ପରେ ଏପରି ଘଟଣା ଶୁଣିବାକୁ ମିଳିଥିଲା । ମନ୍ତ୍ରୀଙ୍କ ସହିତ ଶତ୍ରୁତା ନେଇ ମଧ୍ୟ ପତ୍ନୀ କିଛି ଜାଣି ନଥିବା କହିଛନ୍ତି । ତେବେ ଗୋପାଳଙ୍କର ଏପରି କାମକୁ ନେଇ ସେ ଓ ପିଲାମାନେ ଚିନ୍ତାରେ ଥିବା କହିଛନ୍ତି  ।

ଅନ୍ୟ ଏକ କଥା ବି ଶୁଣିବାକୁ ମିଳୁଛି । କୁହାଯାଉଛି, ମାସକ ତଳେ ମନ୍ତ୍ରୀ ନବ ଦାସ କୁଆଡେ ତାଙ୍କୁ ଗାଳି ଦେଇଥିଲେ । ଯଦି ଏହା ସତ ହୋଇଥାଏ , ତା’ହେଲେ ଗୋପାଳ ଦାସ ରାଗରେ କଣ ଏପରି କାଣ୍ଡ ଘଟାଇଛନ୍ତି ? ଏ ପର୍ଯ୍ୟନ୍ତ ଗୁଳିକାଣ୍ଡ ସମ୍ପର୍କିତ କୌଣସି ଖବର ସାମ୍ନାକୁ ଆସିନାହିଁ। ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ପରେ ସତ ସାମ୍ନାକୁ ଆସିବ ।

Leave A Reply

Your email address will not be published.