Latest Odisha News

BREAKING NEWS

କିଏ ସେହି ଆଶାୟୀ କଂଗ୍ରେସ ନେତା ଯିଏ ବିଜେଡି ନେତାଙ୍କ ସହ ବୈଠକ କରିଛନ୍ତି ?

ଭୁବନେଶ୍ୱର: ନିକଟରେ କଂଗ୍ରେସ ନେତା ସୁରେଶ ରାଉତରାୟ କହିଥିଲେ ରାଜ୍ୟରେ ପିସିସି ସଭାପତି କିଏ ହେବ ତାହା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ଥିର କରନ୍ତି । ଏହାପରେ ଯଦିଓ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ହେଲେ ଇତି ମଧ୍ୟରେ ଏପ୍ରିଲ ୨୮ରେ ଜଟଣୀ ସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପିସିସି ସଭାପତି ରେସରେ ଥିବା ଜଣେ ନେତା ବିଜେଡିର ଜଣେ ପ୍ରଭାବଶାଳୀ ନେତାଙ୍କ ସହ ବୈଠକ କରିଥିବା କୁହାଯାଉଛି। ଯାହାକୁ ନେଇ ଦିଲ୍ଲୀରେ ଜୋରଦାର ଚର୍ଚ୍ଚା ।

ଆସନ୍ତା ୯ ତାରିଖ ଦିନ ରାଜ୍ୟ କଂଗ୍ରେସର ବିଧାୟକ ଏବଂ ସାଂସଦଙ୍କ ସହ ବୈଠକ କରିବେ ରାହୁଲ ଗାନ୍ଧୀ । ଏଥିପାଇଁ ଓଡିଶାର ଏହି କଂଗ୍ରେସ ନେତାଙ୍କୁ ଦିଲ୍ଲୀରେ ପହଞ୍ଚିବାକୁ କୁହାଯାଇଛି। ପୂର୍ବରୁ ପ୍ରସାଦ ହରିଚନ୍ଦନ ପିସିସି ସଭାପତିରୁ ହଟିବା ବେଳେ ଏବଂ ନିରଞ୍ଜନ ମଙ୍ଗ ଧରିବା ବେଳେ ଅନ୍ତିମ ଥର ପାଇଁ ରାହୁଲ ଗାନ୍ଧୀ ଓଡ଼ିଶାର ନେତାଙ୍କ ସହ ବୈଠକ କରିଥିଲେ। କଂଗ୍ରେସର ପରମ୍ପରା ଅନୁଯାୟୀ ରାଜ୍ୟରେ କୌଣସି ବଡ ଧରଣର ପରିବର୍ତ୍ତନ ହେଲେ ନିର୍ବାଚିତ ପ୍ରତିନିଧିଙ୍କୁ ଦିଲ୍ଲା ଡକାଯାଏ। ତେଣୁ ଏବେଠୁ ଆଶାୟୀ ନେତା ଦିଲ୍ଲୀରେ ଲବି କରିବା ଆରମ୍ଭ କରିଛନ୍ତି।

ଏହାରି ଭିତରେ କିଏ ସେହି କଂଗ୍ରେସ ନେତା ଯିଏ ବିଜେଡି ନେତାଙ୍କ ସହ ବୈଠକ କରିଛନ୍ତି ତାକୁ ନେଇ ଦିଲ୍ଲୀରେ ଚର୍ଚ୍ଚା ବଢିଛି । ସଂପୃକ୍ତ ବିଜେଡି ନେତାଙ୍କର କଂଗ୍ରେସ ହାଇକମାଣ୍ଡଙ୍କ ସହ ଲିଙ୍କ ରହିଛି କି କିମ୍ବା କଂଗ୍ରେସର ରଣନୀତିକୁ ବିଜେଡି ପାଖରେ ପଂହଚାଉଛନ୍ତି କି ଇତ୍ୟାଦି ଅନେକ ଅସମାହିତ ପ୍ରଶ୍ନ ଏବେ ଉଠିଛି। ସେହିପରି ଅନ୍ୟାନ୍ୟ ଆଶାୟୀ ନେତା ମଧ୍ୟ ଏହି ଭେଟଘାଟ ବାବଦରେ ମୁହଁ ନଖୋଲି ଇ-ମେଲ ଜରିଆରେ ସମସ୍ତ କଥା ଦିଲ୍ଲୀର ପ୍ରମୁଖ ନେତାଙ୍କୁ ଜଣାଇଥିବା ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ନିକଟରେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓଡିଶା ଗସ୍ତରେ ଆସି ବିଭିନ୍ନ ନେତାଙ୍କ ମତାମତ ନେଇ ଚେନ୍ନାଇ ପଳାଇଥିଲେ। ଆଜି ସେ ଦିଲ୍ଲୀରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେପଟେ ବିଦେଶ ଗସ୍ତ ସାରି ରାହୁଲ ଗାନ୍ଧୀ ୯ତାରିଖ ପୂର୍ବରୁ ଦିଲ୍ଲୀ ପହଞ୍ଚିବାର ସୂଚନା ରହିଛି।

Leave A Reply

Your email address will not be published.