Latest Odisha News

ପାଲା ଦେଖୁଛି କିଏ?

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

ବିବସ୍ୱାନ୍ ଓ ବନ୍ଦିତା .. ବିଶ୍ୱାଳ ଘରର ବଡ଼ ପୁଅ-ବୋହୂ । ବାହାଘରର ପନ୍ଦର ବର୍ଷ ବିତିଗଲାଣି । ଷଠୀବୁଢ଼ୀ ମାଆ ଏଯାଏଁ ସେମାନଙ୍କ କୋଳରେ ପିଲାଟିଏ ଦେଇନି । କେତେ ଦିଅଁ ଦେବତା, ବ୍ରତ ଉପବାସ କରିଛନ୍ତି ଉଭୟେ ତାର ହିସାବ ନାହିଁ । ବିବସ୍ୱାନ୍ ଏଥିପାଇଁ ଆଦୌ ବିଚଳିତ ନୁହେଁ । ହେଲେ ଗାଁ ମାଇପିଙ୍କ ଦିହହଣା କଥାରେ ବାରମ୍ବାର ଭାଙ୍ଗିପଡୁଛି ବନ୍ଦିତା । କାହା ମୁହଁରେ ବା ବାଡ଼ଦେବ ? ବିବାହର ପନ୍ଦର ବର୍ଷ ପରେ ବି ପେଟଫଳିନି ବୋଲି କିଏ କେତେ କଥା କହୁଛନ୍ତି । ଆଉ ସେଥିପାଇଁ ବନ୍ଦିତା କାହାର ପିଲା ଏକୋଇଶା କିମ୍ବା ଜନ୍ମଦିନ ଅଥବା ବାହାଘରକୁ ଯାଉନି ।

ଏଇ ଚିନ୍ତାରେ ରୋଗୀ ହୋଇଗଲେଣି ବନ୍ଦିତାର ମାଆ ଆଉ ଶାଶୁ । ପିଲାଟିଏ ପାଇଁ ବନ୍ଦିତା, ତାର ମାଆ ଏବଂ ଶାଶୁ କେତେ ଠାକୁର ଠାକୁରାଣୀ ପାଖରେ କଣ ସବୁ ମନାସିଛନ୍ତି ତାର ତାଲିକା କଲେ ସରିବ ନାହିଁ । କିଏ ମାଆ ତାରିଣୀଙ୍କ ପାଖରେ ନଡ଼ିଆ ବାଡ଼େଇବ ବୋଲି ଭାବିଛି ତ, ଆଉ କିଏ ପିଲାକୁ ତାରାତାରିଣୀଙ୍କ ପାଖରେ ନଣ୍ଡା କରେଇବ ବୋଲି ମନାସ କରିଛି । ବୋହୂର ପେଟଫଳିଲେ ନିଶ୍ଚିତ ଭାବେ ସୀମାଞ୍ଚଳ ଯାଇ ପ୍ରଭୁ ବରାହନୃସିଂହଙ୍କ ପାଖରେ ଭୋଗ ଲଗେଇବ ଆଉ ସେଇଠୁ ନୀଳାଚଳ ଯାଇ ବଡ଼ଦେଉଳର ବାଇଶି ପାହାଚରେ ପିଲାକୁ ଗଡ଼େଇବ । ତା ସହିତ ସତ୍ୟନାରାୟଣ ପୂଜା ପାଇଁ ଷୋଳପାଲା କରିବାକୁ ମନାସିଛି ବନ୍ଦିତାର ଶାଶୁ ।

କେତେ ଡାକ୍ତର, ବୈଦ୍ୟ, ଠୁଣୁଠୁଣୁକିଆ, ହାକିମ, ଗୁଣିଆ ଦେଖେଇବା ପରେ, ହଜାରେ ମାନସିକ, ସହଣିକ ଆଉ ଯାଚନା ଶେଷରେ ବିବସ୍ୱାନ୍ ଓ ବନ୍ଦିତାର କୋଳକୁ ପୁଅଟିଏ ଦେଇଛି ଷଠୀବୁଢ଼ୀ ମାଆ । ବିଶ୍ୱାଳ ଘରେ ଆନନ୍ଦ କହିଲେ ନସରେ । ସାହି ପଡ଼ିଶା, ବନ୍ଧୁ ବାନ୍ଧବ,ଇଷ୍ଟମିତ୍ର ସମସ୍ତେ ଖୁସି । ଯେଉଁମାନେ କାଲି ବନ୍ଦିତାକୁ ହଜାରେ କଥା କହୁଥିଲେ, ଆଜି ସେମାନଙ୍କ ଭାଷା ବଦଳିଯାଇଛି । ସମସ୍ତେ କହୁଛନ୍ତି, ସେହି ଷଠୀବୁଢ଼ୀ ମାଆ ଦେଲା, ହେଲେ କେତେ କଥା ଶୁଣେଇଲା ବିଚରା ବନ୍ଦିତାକୁ ।

ବିବସ୍ୱାନ୍ ଓ ବନ୍ଦିତାର ପୁଅକୁ ଏକୋଇଶାରେ “ବରଦାନ” ବୋଲି ନାଁ ଦେଲେ ଗାଁ କୀର୍ତ୍ତନିଆ । ପିଠା, ମିଠା, ଭୋଜି ଭାତ କେତେ କଣ ହେଲା । ସମ୍ପର୍କୀୟ, ଗାଁ ଲୋକ ସମସ୍ତେ ଆପ୍ୟାୟିତ ହେଲେ । ବରଦାନର ଅନ୍ନପ୍ରାଶନ ପରେ ପରେ ଆରମ୍ଭ ହେଲା ଶାଶୁବୁଢ଼ୀର ବରାଦ । ଆଜି ତାରାତାରିଣୀଙ୍କ ପାଖକୁ ନେଇ ନାତିଟୋକାକୁ ନଣ୍ଡା କର ତ କାଲି ସୀମାଞ୍ଚଳ ନିଅ । ତା ପରେ ତାରିଣୀଙ୍କ ପାଖକୁ ନଡ଼ିଆ ପଠା, ଆଉ ବଡ଼ଦେଉଳର ବାଇଶି ପାହାଚରେ ପିଲାକୁ ଗଡ଼ା । ଏମିତି ଗୋଟିଏ ପରେ ଗୋଟିଏ ଦିଅଁ ଦେବତାଙ୍କ ପାଖରେ ଜାରି ରହିଲା ପୂଜା ଅର୍ଚ୍ଚନା ।

ବୁଢ଼ୀର ଶେଷ ମାନସିକ ଥିଲା ସତ୍ୟନାରାୟଣ ପୂଜା ଆଉ ଷୋଳପାଲା । ଏଥିପାଇଁ ବାରଦୁଆରୁ ଭିକମାଗି ପୂଜାକରିବାର ଯେଉଁ ପରମ୍ପରା ଅଛି, ତାକୁ ପାଳିବାକୁ ଯାଇ ବନ୍ଦିତାର ଶାଶୁ କୋଳରେ ନାତିଟୋକା ବରଦାନକୁ ଧରି ଘର ଘର ବୁଲି ଷୋଳପାଲା ପାଇଁ ପଇସା ମାଗିଲା । କେତେ ବଡ଼ଲୋକ ହେଲେ ବି ଭଗବାନଙ୍କ ଆଗରେ ଭିକାରିଠାରୁ ବି ହୀନ ବା ନିଃସ୍ୱ ଏଇ କଥାଟିକୁ ପ୍ରମାଣ କରେ ଏଭଳି ପୂଜାପାଇଁ ଭିକମାଗିବାର ପରମ୍ପରା ।

ବହୁଜାଗାରୁ ଖୋଜାଖୋଜି କରି ଶେଷରେ ଗାୟକରତ୍ନଙ୍କୁ ଡକାଯାଇଛି ଷୋଳପାଲା ପାଇଁ । ବିବସ୍ୱାନ୍ ର ମାଆ ଘର ଘର ବୁଲି ଲୋକଙ୍କୁ ଡାକିଛି । ସନ୍ଧ୍ୟାରେ ସତ୍ୟନାରାୟଣ ଠାକୁରଙ୍କ ପୂଜା ହୋଇଛି । କ୍ଷୀର, କଦଳୀ, ଚିନି ସାଙ୍ଗକୁ ଅନ୍ୟ ସମସ୍ତ ଆବଶ୍ୟକ ସାମଗ୍ରୀ ପଡ଼ି ଠାକୁରଙ୍କ ପାଖରେ ସିରିଣୀ ଭୋଗ ବି ଲାଗିଛି । ଗାୟକଙ୍କ ଚାମର ପୂଜା ସରିଛି । ତା ପରେ ଆରମ୍ଭ ହୋଇଛି ବିଶ୍ୱାଳ ଘର ଦୁଆର ଆଗରେ ପାଲା ।

ପୁଅ ପାଇଁ ଷୋଳପାଲା ହେବ ବୋଲି କଲିକତାରେ ରହି କାମ କରୁଥିବା ବିବସ୍ୱାନ୍ ବି ଗାଁଆକୁ ଆସିଛି । ପାଲା ପାଖରେ ବସିଛି । ମାଇକ୍ ଲାଗିଛି । ଆରମ୍ଭ ହୋଇଛି ପାଲା । ଗାୟକରତ୍ନ ମଙ୍ଗଳାଚରଣ କରିସାରିଲେଣି । ବିଷୟବସ୍ତୁକୁ ଯାଇ ଚର୍ଚ୍ଚା ଆରମ୍ଭ କରିବେ, ହେଲେ ଶୁଣିବ କିଏ?

ପାଲାପାଖରେ ବିବସ୍ୱାନ୍, ତାର ବାପା ମାଆ ଆଉ ଶାଶୁ ଶ୍ୱଶୁରଙ୍କୁ ଛାଡ଼ିଦେଲେ ଜଣେ ଦି ଜଣ ବୁଢ଼ାଲୋକ ବସିଛନ୍ତି । ବାସ୍ ସେତିକି । ଆଉ ବାକି ବିଲେଇ ପିଲାଟିଏର ବି ଦେଖାନାହିଁ । ଗାଁରୁ କେହି ବି ଆସୁନାହାନ୍ତି ପାଲା ଦେଖିବା ପାଇଁ । ଗାୟକରତ୍ନଙ୍କ ମୁହଁରେ ସେ ପ୍ରସନ୍ନଭାବ ନାହିଁ । ଦର୍ଶକ ବା ଶ୍ରୋତା ନଥିଲେ କାହାପାଇଁ ଗାଇବ ପାଲା?କେବଳ ବିଧାନକୁ ବିଲ୍ୱମଙ୍ଗଳ କଥା ଗାଇଦେଇ ପୂଜା ସାରିଲେ ଗାୟକରତ୍ନ ।

ସେପଟେ ବିବସ୍ୱାନ୍ ବୁଝିବାକୁ ଚାହୁଁଥିଲା ଲୋକମାନେ କାହିଁକି ଆସୁନାହାନ୍ତି ପାଲା ଦେଖିବାକୁ । ବୁଝୁବୁଝୁ ଜଣାପଡ଼ିଲାପିଲାରୁ ବୁଢ଼ା ସମସ୍ତେ ମାତିଛନ୍ତି ସିରିଏଲ୍ ଦେଖାରେ । ହିନ୍ଦୀରୁ ଓଡ଼ିଆ ସବୁ ଚାନେଲରେ ଚାଲିଛି ସିରିଏଲ୍ । ଟିଭି ଏମିତି ବାୟା କରିଛି ଯେ, ଆଉ ପାଲା ଦେଖିବାକୁ ବା କାହା ପାଖରେ ସମୟ ଅଛି? ବିବସ୍ୱାନ୍ ମନେପକାଉଥିଲା ତା ବାପା ଆଉ ଜେଜେଙ୍କ କଥା । କେମିତି ଆଗରୁ ଗାଆଁରେ କାହା ଦୁଆରେ ପାଲା ହେଲେ, ସମସ୍ତେ ଆନନ୍ଦରେ ତାର ମଜା ନେଉଥିଲେ । ପାଲା ଗାୟକମାନଙ୍କ ସହିତ କେମିତି ଜେଜେ ଶାସ୍ତ୍ର, ସାହିତ୍ୟ ଚର୍ଚ୍ଚା କରୁଥିଲେ, ଆଉ ମଝିରେ ମଝିରେ ପାଲାରେ ହେଉଥିବା ହାସ୍ୟରସ କେମିତି ଅନେକ ଦିନଯାଏଁ ସାଙ୍ଗପିଲାମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟୁଥିଲା । ସେସବୁ ଏବେ ଅତୀତ । ଏକଥା ଭାବିଲା ବେଳକୁ ଏପଟେ ବରଦାନକୁ ଗାୟକରତ୍ନ ଚାମର ଛୁଆଁଇ ଝାଡ଼ିଦେଉଥିଲେ । ତାର ଉତ୍ତରୋତ୍ତର ମଙ୍ଗଳ କାମନା କରିବା ସହ ତାକୁ ଦୀର୍ଘଜୀବୀ ଆଉ ଯଶସ୍ୱୀ ହେବାକୁ ଆଶୀର୍ବାଦ ଦେଉଥିଲେ । ହେଲେ ବିବସ୍ୱାନ୍ କିନ୍ତୁ ପଢ଼ିପାରୁଥିଲା ଗାୟକରତ୍ନଙ୍କ ମୁହଁର ଭାଷା । ତାଙ୍କ ମନରେ ଥିବା କ୍ଷୋଭ । ବିବସ୍ୱାନ୍ ତାଙ୍କରି ହାତରେ ଦକ୍ଷିଣା ଦେଲାବେଳେ ସେ କହୁଥିଲେ, ଆଜିକାଲି ଆଉ ପାଲା ଦେଖୁଛି କିଏ?

ବିଭାଗୀୟ ମୁଖ୍ୟ,
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି
ମୋହାଲି, ପଞ୍ଜାବ । ଫୋନ୍-୯୯୩୭୨୫୨୪୬୪

Comments are closed.