Latest Odisha News

BREAKING NEWS

କିଏ ହେବ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ?

ବେଙ୍ଗଳୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ବହୁମତ ମିଳିବା ପରେ କିଏ ହେବ ମୁଖ୍ୟମନ୍ତ୍ରୀ ? ଯାହାକୁ ନେଇ ଆଜି ବସିବ କଂଗ୍ରେସ ବିଧାୟକ ଦଳ ବୈଠକ । ଆଶା କରାଯାଉଛି ମୁଖ୍ୟମନ୍ତ୍ରୀ ବାଛିବା ଦାୟିତ୍ୱ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଉପରେ ଛାଡ଼ିଦେବେ ବିଧାୟକ ।

ତେବେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଡିକେ ଶିବକୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ସିଦ୍ଧରମୈୟା ଆଗରେ ଅଛନ୍ତି । ଯଦି ସହମତିରେ ମୁଖ୍ୟମନ୍ତ୍ରୀ ନ ବାଛନ୍ତି ତ ଦଳ ଭିତରେ ବିଭାଜନ ଆଶଙ୍କା ବଢ଼ିଯିବ । ଯାହାକୁ ନେଇ କଂଗ୍ରେସ ୩ ଜଣିଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛି ।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ ସିନ୍ଦେ, ଜିତେନ୍ଦ୍ର ସିଂ ଓ ଦୀପକ ବାବରିଆଙ୍କୁ କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେ ବିଧାୟକ ଦଳ ନେତା ବାଛିବା ଲାଗି ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି । ଗତକାଲି କର୍ଣ୍ଣାଟକରେ କଂଗ୍ରେସର ଐତିହାସିକ ବିଜୟ ପରେ ଖଡ଼ଗେ ଦଳର ୨ ଶୀର୍ଷ ନେତାଙ୍କ ସାମ୍ବାଦିକ ସମ୍ମିଳନୀ କରିଥିଲେ । ବିଜୟ ପାଇଁ କର୍ଣ୍ଣାଟକବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ଲାଗୁ କରାଯିବ ବୋଲି କହିଥିଲେ ।

୨୦୧୮ ନିର୍ବାଚନରେ କର୍ଣ୍ଣାଟକରେ କଂଗ୍ରେସ ୫୭ଟି ସିଟ୍ ହାତେଇ ଥିଲା । ଚଳିତ ନିର୍ବାଚନରେ ଦଳ ୧୩୭ଟି ବିଧାନସଭା ଆସନରେ ବିଜୟୀ ହୋଇ ବହୁମତ ପାଇଛି । ଏହାପୂର୍ବରୁ କଂଗ୍ରେସ ୧୯୯୯ରେ ୧୩୨ଟି ଆସନ ଜିତିଥିବା ବେଳେ ୧୯୮୯ରେ ୧୭୮ଟି ଆସନ କର୍ଣ୍ଣାଟକରେ ଦଖଲ କରିଥିଲା । ଏବେ ୩୦ ବର୍ଷ ପରେ କଂଗ୍ରେସ ପୁଣି କର୍ଣ୍ଣାଟକରେ ପୂର୍ବ ସ୍ଥିତିକୁ ଫେରି ଭୋଟ୍ ସେୟାର ଓ ଆସନ ଦଖଲରେ ରେକର୍ଡ ସୃଷ୍ଟି କରିଛି ।

ତେବେ କର୍ଣ୍ଣାଟକରେ ରେକର୍ଡ ବ୍ରେକର ସାଜିଥିବା କଂଗ୍ରେସରେ କିଏ ହେବ ମୁଖ୍ୟମନ୍ତ୍ରୀ ? ଡିକେ ଶିବକୁମାର ନା ସିଦ୍ଧରମୈୟା । ଉଭୟଙ୍କୁ ନେଇ ଚର୍ଚ୍ଚା ଓ ଆଲୋଚନା ବଢ଼ୁଥିବା ବେଳେ ବିଧାୟକ ଓ ଦଳ କଣ ନିଷ୍ପତ୍ତି ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.