ଦୁର୍ନୀତି ରାକ୍ଷସର ନିପାତ କରିବ କିଏ ? 

ପ୍ରହଲାଦ କୁମାର ସିଂହଙ୍କର ନିୟମିତ ସ୍ତମ୍ବ ‘ଗାନ୍ଧୀ କଥା’

କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ, ଲାଞ୍ଚ ନେବା ବେଳେ ଧରାପଡିବା, ଦୁର୍ନୀତିଗ୍ରସ୍ତ ନେତା ଓ ସରକାରୀ କର୍ମଚାରୀଙ୍କୁ ଗିରଫ କରି ଜେଲ୍‍ ପଠାଯିବା ସହ କେତେକଙ୍କୁ ସରକାରୀ ଚାକିରିରୁ ବିଦା କରାଯିବା ଭଳି ଖବର ପ୍ରାୟ ପ୍ରତିଦିନ ଗଣମାଧ୍ୟମରେ ପ୍ରକାଶ ପାଉଛି । ଦୁର୍ନୀତି ନିବାରଣ ସପ୍ତାହ ପାଳନ କରି ସରକାରୀ କର୍ମଚାରୀମାନେ ଦୁର୍ନୀତି କରିବେ ନାହିଁ ବୋଲି ଧର୍ମକୁ ଆଖିଠାର ଭଳି ଶପଥ ନିଆଯାଉଛି । କୋଟି କୋଟି ଟଙ୍କାର ବିଜ୍ଞାପନ ଦେଇ ମିତବ୍ୟୟିତା ଦିବସ ପାଳନ କରିବା ସହ ଦୁର୍ନୀତିକୁ ନୀତି କରିନେଇ ତଳୁ ଉପର ପର୍ଯ୍ୟନ୍ତ ଖାଉ ମହାବାହୁମାନେ ସରକାରୀ ଅର୍ଥ ସହିତ ଗରିବ ଲୋକଙ୍କ ସ୍ଥିତିରେ ବିକାଶ ପାଇଁ ଆସୁଥିବା ଟଙ୍କାକୁ ଚଳୁ କରିବାକୁ କୁଣ୍ଠା ଅନୁଭବ କରୁନାହାନ୍ତି । ଦାରିଦ୍ୟ ଭ୍ରଷ୍ଟାଚାର, ନିଶା, ଅପରାଧ, ଶୋଷଣ, ଲୁଣ୍ଠନ, ଅରାଜକତା ଭଳି ଦୁର୍ନୀତି ବ୍ୟାଧି ଆମ ବ୍ୟବସ୍ଥାକୁ କଲବଲ କରୁଛି ଏବଂ ଦଳମତ ନିର୍ବିଶେଷରେ ବ୍ୟବସ୍ଥାର ବଡପଣ୍ଡାମାନେ କେବଳ ବଲବଲ କରି ଏହି କରୁଣ ଦୃଶ୍ୟ ଉପଭୋଗ କରିବା ସଙ୍ଗେ ସଙ୍ଗେ ନିଜ ନିଜ ପାଇଁ ଯିଏ ଯେତେ ପାରୁଛନ୍ତି ସର୍ବସାଧାରଣ ସମ୍ପତ୍ତି ଲୁଟିରେ ବ୍ୟସ୍ତ ।

ସାରା ଦେଶରେ କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀଙ୍କ ସଂଖ୍ୟା ସାଢ଼େ ୪କୋଟିରୁ ଅଧିକ । ଆମ ରାଜ୍ୟରେ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ପ୍ରାୟ ସାଢ଼େ ୪ ଲକ୍ଷ । ସମଗ୍ର ଦେଶରେ ୫୦ କୋଟିରୁ ଅଧିକ ଶ୍ରମଜୀବୀ ଅଛନ୍ତି । ସିବିଆଇ, ଆୟକର, ସମ୍ପତ୍ତିକର, ଏନ୍‍ସିବି, ଇଡିଠାରୁ ଆରମ୍ଭ କରି ଭିଜିଲାନ୍ସ, କ୍ରାଇମବ୍ରାଞ୍ଚ, ଇଓଡବ୍ଲ୍ୟୁ, ପୋଲିସ ଆଦି ବହୁ ସଂସ୍ଥା ଅଛି । ଦୁର୍ନୀତି ରୋକିବାକୁ ବି ମାଳମାଳ ଆଇନ କରାଯାଇଛି । ଏହି ସଂସ୍ଥାଗୁଡିକ ପାଇଁ ଗରିବ ଲୋକଙ୍କ ରାଜକୋଷରୁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି । ଅଥଚ ବ୍ୟକ୍ତି ଚରିତ୍ରରେ ବିପର୍ଯ୍ୟୟ ଯୋଗୁଁ ରକ୍ଷକମାନେ ଭକ୍ଷକ ସାଜୁଥିବାରୁ ଦୁର୍ନୀତି ଓ ଭ୍ରଷ୍ଟାଚାର ଜାତୀୟ ବ୍ୟାଧିରେ ପରିଣତ ହୋଇ ବାଡ କ୍ଷେତ ଖାଇଲା ଭଳି ଅବସ୍ଥା ।

ବିନା ଲାଞ୍ଚରେ ପ୍ରାୟତଃ ଅଧିକାଂଶ ସରକାରୀ ଦପ୍ତରରେ କାମ ହେଉନାହିଁ ା କଣା ମାଠିଆରେ ପାଣି ରଖିଲେ ତାହା ଯେପରି ନଷ୍ଟ ହୋଇଯାଏ, ସେହିଭଳି ସାମାଜିକ ସୁରକ୍ଷାଠାରୁ ଆରମ୍ଭ କରି ପ୍ରଶାସନିକ, ପ୍ରତିରକ୍ଷା ଓ ଉନ୍ନୟନ କାର୍ଯ୍ୟ ଲାଗି ବ୍ୟୟ ହେଉଥିବା ଅର୍ଥର ମୁଖ୍ୟାଂଶ ଦୁର୍ନୀତିଗ୍ରସ୍ତ ବଡପଣ୍ଡାମାନେ ବୋହି ନେଉଥିବାରୁ ଆମ ରାଷ୍ଟ୍ରୀୟ ତହବିଲ୍‍ ଶୁଖିଲା ହୋଇ ଦେଶକୁ ୧୨୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ଭାରରେ ଉବୁଟୁବୁ କଲାଣି ଓ ଟିକସ ଚାପରେ ଲୋକେ କଲବଲ ହେଲେଣି । ବିଷ ବଳୟରେ ପରିବେଶ ବିପନ୍ନ ହେବାର କାରଣ ବି ଦୁର୍ନୀତି ।

ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ‘କ୍ରାଇମ୍‍ ଇନ୍‍ ଇଣ୍ଡିଆ – ୨୦୨୦’ ରିପୋର୍ଟର ତଥ୍ୟ ଅନୁଯାୟୀ ସାରା ଦେଶରେ ଗତବର୍ଷ ୧,୪୫,୭୫୪ଟି ଆର୍ଥିକ ଅପରାଧ ମାମଲା ଦରଜ ହୋଇଥିବା ବେଳେ ପୂର୍ବବର୍ଷରୁ ବାକିଆ ଥିଲା ୧,୮୨,୭୯୫ଟି ଏଭଳି ମାମଲା । ମୋଟାମୋଟି ଭାବେ ୨୦୨୦ ମସିହାରେ ୩,୨୮,୭୫୧ଟି ଅର୍ଥନୈତିକ ଅପରାଧ ମାମଲା ତଦନ୍ତ ପାଇଁ ଥିଲା ।ତେବେ ଉକ୍ତ ବର୍ଷରେ ୫୯,୦୦୩ଟି ମାମଲାକୁ ପ୍ରତ୍ୟାହାର କରିନିଆଯାଇଥିବା ବେଳେ ୧,୨୭,୭୨୭ଟିରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଥିଲା ଏବଂ ଆଉ ପ୍ରାୟ ୬୧ ପ୍ରତିଶତ ମାମଲାର ତଦନ୍ତ ସରିନଥିବାରୁ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇପାରି ନଥିଲା ା

ଏହି ବର୍ଷରେ ୬,୩୫,୬୬୨ଟି ଆର୍ଥିକ ଅପରାଧ ମାମଲା ବିଭିନ୍ନ ଆଇନ ଅଦାଲତରେ ବିଚାର ପାଇଁ ଥିବାବେଳେ ସେଥିରୁ ମାତ୍ର ୫,୯୩୮ଟିରେ ଅଭିଯୁକ୍ତଙ୍କ ପ୍ରତି ଦଣ୍ଡବିଧାନ କରାଯାଇଥିଲା ଓ ୯,୯୯୫ଟି ମାମଲାରେ ଅଭିଯୁକ୍ତ ଖଲାସ ହୋଇଯାଇଥିଲେ । ମୋଟାମୋଟି ଭାବେ ଆର୍ଥିକ ଅପରାଧ ମାମଲାରେ ଗତବର୍ଷ ଆମ ଦେଶରେ ଦଣ୍ଡବିଧାନ ହାର ୩୩.୬ ପ୍ରତିଶତରେ ସୀମିତ ଥିବାବେଳେ ମୋଟ ମାମଲାର ମାତ୍ର ୩.୨ ପ୍ରତିଶତ ଫଏସଲା ହୋଇଥିଲା ଓ ଅବଶିଷ୍ଟ ୯୬.୮ ପ୍ରତିଶତ ବାକିଆ ମାମଲା ଭାବେ ପରବର୍ତ୍ତୀ ବର୍ଷକୁ ଗଡିଥିଲା । ବହୁ ମାମଲା ଦୀର୍ଘବର୍ଷ ଧରି ଗଡି ଚାଲିବା ବେଳେ ଅଭିଯୁକ୍ତଙ୍କ ମୃତ୍ୟୁ ଯୋଗୁଁ ବନ୍ଦ ହୋଇଯାଉଛି ।

ସରକାରୀ ପରିସଂଖ୍ୟାନର ବିଶ୍ଲେଷଣ ମୁତାବକ ଦେଶର ମୋଟ କର୍ମଚାରୀ ସଂଖ୍ୟାର ମାତ୍ର ୧.୩୮ ପ୍ରତିଶତଙ୍କ ବିରୋଧରେ ଅର୍ଥନୈତିକ ଅପରାଧ ମାମଲା ରହିଛି । ଏଥିରୁ ମନେ ହେଉଛି ଆମ ବ୍ୟବସ୍ଥା ଦୁର୍ନୀତିକୁ ହଟାଇବା ପରିବର୍ତ୍ତେ ଏହାକୁ ବଢ଼ାଇବା ଲାଗି ସତେ ଯେମିତି ପୃଷ୍ଠପୋଷକତା କରୁଛି ।

Commissionerate Police Writes Income Tax Department To Investigate 99.50 Lakh Seized Money

ଓଡ଼ିଶାରେ ଗତବର୍ଷ ସୁଦ୍ଧା ୨୨,୬୯୦ଟି ଆର୍ଥିକ ଅପରାଧ ମାମଲା ବିଚାର ପ୍ରତୀକ୍ଷାରେ ଥିଲା, ଯାହା ରାଜ୍ୟର ମୋଟ ସରକାରୀ କର୍ମଚାରୀ ସଂଖ୍ୟାର ପ୍ରାୟ ୫ ପ୍ରତିଶତ ।ଏହି ମାମଲାଗୁଡିକ ମଧ୍ୟରୁ ୬୨ଟିରେ ଦଣ୍ଡବିଧାନ ହୋଇଥିବା ବେଳେ ୭୦ଟିରେ ଅଭିଯୁକ୍ତ ଖସି ଯାଇଛନ୍ତି । ମୋଟ ୧୩୨ଟି ମାମଲା ଫଏସଲା ହେବା ପରେ ୨୦୨୧ ଆରମ୍ଭ ବେଳକୁ ଓଡ଼ିଶାରେ ୨୨,୫୫୮ଟି ଆର୍ଥିକ ଅପରାଧ ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ଏହି ବର୍ଷରେ ଓଡ଼ିଶାରେ ଆର୍ଥିକ ଅପରାଧ ମାମଲାରେ ଦଣ୍ଡବିଧାନ ହାର ଥିଲା ୪୭ ପ୍ରତିଶତ । ତେବେ ରାଜ୍ୟରେ ମୋଟ ଆର୍ଥିକ ଅପରାଧ ମାମଲାର ମାତ୍ର ୦.୬ ପ୍ରତିଶତ ଗତବର୍ଷ ଫଏସଲା ହୋଇଥିବା ବେଳେ ୯୯.୪ ପ୍ରତିଶତ ଫଏସଲା ନହୋଇ ଏବର୍ଷକୁ ବାକିଆ ଭାବେ ଗଡିଛି ଏବଂ ତାହା ସହିତ ଚଳିତବର୍ଷର ଦୁର୍ନୀତି ମାମଲା ସଂଖ୍ୟା ମଧ୍ୟ ଯୋଡି ହୋଇଛି ।

ଆର୍ଥିକ ଅପରାଧ ମାମଲାରେ ୨୦୨୦ ବର୍ଷରେ ସାରା ଦେଶରେ ୧,୧୮,୯୬୫ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଓଡ଼ିଶାରେ ଏଭଳି ମାମଲାରେ ୧୨୯୯ ଜଣ ଗିରଫ ହୋଇଛନ୍ତି । ଦୁର୍ନୀତି, ଭ୍ରଷ୍ଟାଚାରରେ କେବଳ ପୋଲିସ କି ସରକାରୀ କର୍ମଚାରୀ ନୁହନ୍ତି, ବହୁ ଛୋଟ ବଡ ରାଜନେତା ମଧ୍ୟ ସମ୍ପୃକ୍ତ । ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁଯାୟୀ ମୋଟା ବେତନ ପାଉଥିବା କିଛି ଆଇଏଏସ୍‍, ଆଇପିଏସ୍‍, ଆଇଏଫଏସ୍‍ଙ୍କଠାରୁ ଆରମ୍ଭ କରି ଓଏଏସ୍‍, ଓଏଫଏସ୍‍, ଯନ୍ତ୍ରୀ, କିରାଣି, ବ୍ୟକ୍ତିଗତ ସହାୟକ, ପିଅନ, ଠିକାଦାର, ବ୍ୟବସାୟୀ ପର୍ଯ୍ୟନ୍ତ ବିଭିନ୍ନ ସ୍ତରର ଲୋକଙ୍କୁ ବାରମ୍ବାର ଦୁର୍ନୀତି ଅଭିଯୋଗରେ ଗିରଫ କରାଯାଉଛି । ତେବେ ଯେତେ ସଂଖ୍ୟକ ଲୋକ ଏଭଳି ଅଭିଯୋଗରେ ଗିରଫ ହେଉଛନ୍ତି, ସେମାନଙ୍କ ସଂଖ୍ୟା ଦୁର୍ନୀତିଗ୍ରସ୍ତ ବ୍ୟକ୍ତିମାନଙ୍କର .୦୧ ପ୍ରତିଶତ ହେବ କି ନାହିଁ ସନ୍ଦେହ ।

ବିଛୁଆତି ମଞ୍ଜିରୁ ତୁଳସୀ ଗଛ ହୁଏ ନାହିଁ । ଆମ ବ୍ୟବସ୍ଥାରେ ବ୍ୟକ୍ତିଠାରୁ ରାଷ୍ଟ୍ର ଜୀବନ ପର୍ଯ୍ୟନ୍ତ ସ୍ୱଚ୍ଛ ନାଗରିକ ସୃଷ୍ଟି ଲାଗି ସେମିତି କିଛି ଗୁରୁତ୍ୱ ଦିଆଯାଉ ନଥିବାରୁ ଉପଭୋକ୍ତାବାଦ୍‍, ବଜାରୀକରଣ, ସହରୀକରଣ, ଉଦାରୀକରଣ, ବସ୍ତୁବାଦ, ଲୋଭ ଆଦିର ମାୟାଜାଲରେ ଛନ୍ଦିହୋଇ ଅଧିକରୁ ଅଧିକ ସମ୍ପତ୍ତି ଠୁଳ ଲାଗି ଯେଉଁ ପାଗଳାମି ପ୍ରତିଯୋଗିତା ଚାଲିଛି ସେଥିରେ ସବୁଠାରୁ ଅଧିକ ଲୁଣ୍ଠିତ ହେଉଛି ରାଷ୍ଟ୍ରର ରାଜକୋଷ ଏବଂ ଶୋଷିତ ହେଉଛନ୍ତି ସାଧାରଣ ବର୍ଗର ଲୋକେ । ଖୁବ୍‍ କମ୍‍ ପ୍ରତିଶତ ଲୋକ ଦୁର୍ନୀତି କରି ଧରାପଡୁଛନ୍ତି ଏବଂ ଦୁର୍ବଳ ମାମଲା ପରିଚାଳନା, ତଦନ୍ତର ତ୍ରୁଟି ଏବଂ ବ୍ୟୟବହୁଳ ଓ ବିଳମ୍ବିତ ବିଚାର ବ୍ୟବସ୍ଥାରେ ଏମାନଙ୍କ ଭିତରୁ ସଂଖ୍ୟାଧିକ ଖସି ଯାଉଛନ୍ତି ।

ଆଉ କିଛି ଲୋକ ଅଛନ୍ତି ଯେଉଁମାନଙ୍କର ଦୁର୍ନୀତି କରିବାର ଦୁର୍ବାର ଲାଳସା ଥିବାବେଳେ ସେମାନଙ୍କୁ ସୁଯୋଗ ଜୁଟୁନଥିବାରୁ ଶୂନ୍ୟରେ କୋଳାହଳ କରୁଛନ୍ତି । ଅନ୍ୟ କିଛି ଡରକୁଳାଙ୍କ ଲାଗି ଦୁର୍ନୀତି କରିବାର ସୁଯୋଗ ଜୁଟିଲେ ବି ସେମାନେ ଭୟରେ ଲୁଟି କରିପାରୁ ନାହାନ୍ତି । ଏସବୁ ସତ୍ତ୍ୱେ ଆମ ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ଦୁର୍ନୀତି, ଭ୍ରଷ୍ଟାଚାର ଲାଗି ସୁଯୋଗ ମିଳିଲେ ବି ସେମାନେ ଏହି ପାପ ପଙ୍କରେ ଉବୁଟୁବୁ ହେବେ ନାହିଁ, କାରଣ ସେମାନଙ୍କର ଚରିତ୍ର ନିର୍ମଳ ଓ ସକାରାତ୍ମକ ମନୋଭାବ ବେଶ୍‍ ସ୍ପଷ୍ଟ । ପାପର ଏହି ଭୟଙ୍କର ବାତାବରଣ ଭିତରେ ଏଭଳି ପବିତ୍ର ଲୋକଙ୍କ ସଂଖ୍ୟା ଅତି ନଗଣ୍ୟ । ନୈତିକତା ବିହୀନ ରାଜନୀତି ଓ ଚରିତ୍ର ବିହୀନ ଶିକ୍ଷା ହେଉଛନ୍ତି ଦୁର୍ନୀତି, ଭ୍ରଷ୍ଟାଚାରର ମା’-ବାପ । ପ୍ରାୟ ସବୁ ପ୍ରମୁଖ ରାଜନୈତିକ ଦଳ କ୍ଷମତା ଦଖଲ ଲାଗି ପ୍ରଚୁର ଅର୍ଥ ଓ ମଦ ନିର୍ବାଚନ ବେଳେ ଖର୍ଚ୍ଚ କରନ୍ତି ା ଏହି ଅର୍ଥ ସେମାନଙ୍କୁ ଲାଭଖୋର ବ୍ୟବସାୟୀ, ପୁଞ୍ଜିପତି ଓ କଳା ସାମ୍ରାଜ୍ୟର ବାଦଶାହାମାନେ ଯୋଗାଇଥାନ୍ତି । ତେଣୁ ନିର୍ବାଚନ ଜିଣି ସରକାର ଗଢ଼ିବା ପରେ ଯେଉଁ ଖାଉନ୍ଦମାନଙ୍କ ଅର୍ଥ ଓ ବାହୁବଳରେ ସେମାନେ ନେତା ହେଉଛନ୍ତି ସେମାନଙ୍କ ସ୍ୱାର୍ଥରକ୍ଷା ଲାଗି ବ୍ୟାପକ ଗଳାବାଟ ଖୋଲିବା ସହ ନିଜ ଲାଗି ବିପୁଳ ନାମୀ ବେନାମୀ ସମ୍ପତ୍ତି ରୁଣ୍ଡାଇବାରେ ବ୍ୟସ୍ତ ।

ନିକଟରେ ହୋଇଥିବା ପଶ୍ଚିମବଙ୍ଗ ସମେତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ବେଳେ ଯେତେ ପରିମାଣର ନିଶା ସାମଗ୍ରୀ ଓ ନଗଦ ଅର୍ଥ ଜବତ ହେଲା ତାହା ହଜାରେ କୋଟି ଟଙ୍କାରୁ ଅଧିକ ବୋଲି ସରକାରୀ ଭାବେ କୁହାଗଲା ା ଏକଥା ନିଃସନ୍ଦେହରେ ସ୍ୱୀକାର କରାଯାଇପାରିବ ଯେ ବିଭିନ୍ନ ରାଜନୈତିକ ଦଳ ଓ ତାହାର ପ୍ରାର୍ଥୀମାନେ ଏହି ନିର୍ବାଚନରେ ଅନ୍ୟୂନ ୨୦ ହଜାର କୋଟିର କଳାଟଙ୍କା ଓ ନିଶା ବାଣ୍ଟି ଥିବେ ା କେଉଁ ନିର୍ବାଚନରେ ପ୍ରାର୍ଥୀ କେତେ ଟଙ୍କା ଖର୍ଚ୍ଚ କରିବେ ସେ ସଂକ୍ରାନ୍ତରେ ନିର୍ବାଚନ କମିଶନ ସୀମା ନିର୍ଦ୍ଧାରଣ କରିଛନ୍ତି ଏବଂ ସମସ୍ତ ପ୍ରାର୍ଥୀ ସେମାନଙ୍କ ନିର୍ବାଚନୀ ହିସାବ ବି ଦାଖଲ କରନ୍ତି । କିନ୍ତୁ ଏକଥା ସମସ୍ତେ ଜାଣନ୍ତି ଯେ ସଂଖ୍ୟାଧିକ ପ୍ରାର୍ଥୀ ନିର୍ବାଚନ ଖର୍ଚ୍ଚ ସମ୍ପର୍କରେ ଯେଉଁ ବବରଣୀ ଦିଅନ୍ତି ଓ ସତ୍ୟପାଠ ଦାଖଲ କରନ୍ତି ତାହା ଡାହାମିଛ ।

ସେହିପରି ରାଜନେତା, ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ତାଲିକା ଘୋଷଣା ଧର୍ମକୁ ଆଖିଠାର ଭଳି । ଭ୍ରଷ୍ଟ ରାଜନେତା, ଦୁର୍ନୀତିଗ୍ରସ୍ତ ଅଧିକାରୀ ଏବଂ ୪ କୋଟିରୁ ଅଧିକ ମାମଲାର ଚାପରେ ଥିବା ବିଚାର ବ୍ୟବସ୍ଥା ଦୁର୍ନୀତି, ଭ୍ରଷ୍ଟାଚାର ଭଳି ମହାମାରୀକୁ ନିୟନ୍ତ୍ରଣ କରିବାରେ ବ୍ୟର୍ଥ ହୋଇଥିବା ବେଳେ ଏହି ସାଂଘାତିକ ସମସ୍ୟାରୁ ଆମ ରାଷ୍ଟ୍ର ଓ ତା’ର ନାଗରିକ ଏବଂ କଷ୍ଟଲବ୍ଧ ସ୍ୱାଧୀନତାକୁ ସୁରକ୍ଷିତ ରଖିବା ପାଇଁ ସାମାଜିକ ସ୍ତରରେ ଗଣଆନ୍ଦୋଳନର ଆବଶ୍ୟକତା ଅଧିକ ଅନୁଭୂତ ହେଉଛି । ନ ହେଲେ ଗଣତନ୍ତ୍ରର ସ୍ତମ୍ଭଗୁଡିକ ଭୁଶୁଡି ପଡିବ । ଅତୀତରେ ଭାରତ ମାତାର ବହୁ ସୁଯୋଗ୍ୟ ସନ୍ତାନ ସନ୍ତତି ଦେଶ ମାତୃକାର ସୁରକ୍ଷା ଲାଗି ଜୀବନଦାନ କରିଛନ୍ତି, ଜେଲ୍‍ ଯାଇଛନ୍ତି ଓ ନିର୍ଯାତନାବରଣ କରିଛନ୍ତି ।

ଏବେ ଦୁର୍ନୀତି, ଭ୍ରଷ୍ଟାଚାର ଯୋଗୁଁ ବ୍ୟବସ୍ଥା ବିଗିଡି ବେକାରୀ, ବେରୋଜଗାରୀ, ଦରଦାମ ବୃଦ୍ଧି, ଅପରାଧ, ନିଶା, ଦାରିଦ୍ୟ , ରୋଗବ୍ୟାଧି, ଘୃଣା, ହିଂସା ଆଦି ବଢ଼ି ଚାଲୁଥିବା ବେଳେ ତାହାର ମୂଳୋତ୍ପାଟନ ପାଇଁ ଦେଶ ମାତୃକା ଖୋଜୁଛି ଏମିତି କିଛି ସଂକଳ୍ପବଦ୍ଧ ସାଧକଙ୍କୁ, ଯେଉଁମାନେ ସତ୍ୟାଗ୍ରହ ଅସ୍ତ୍ରର ସଫଳ ପ୍ରୟୋଗ କରି ଦୁର୍ନୀତି ରାକ୍ଷସର ନିପାତ କରିବା ସହ ଚୂନା ହେବାକୁ ଯାଉଥିବା ସୁନାର ଦେଶକୁ ସୁରକ୍ଷିତ ରଖିପାରିବେ ା

ଇ ମେଲ : [email protected]
ଫୋନ : ୯୪୩୭୦୧୭୩୯୫