Latest Odisha News

କଂଗ୍ରେସକୁ ଶିବୁ ସୋରେନ କାହିଁକି ଦେଲେ ଝଟକା ?

ଦୁଇ ଦିନ ପରେ ରାଷ୍ଟ୍ରପତି ନିର୍ବାଚନ, ବିରୋଧୀ ଶିବିର ଶୂନଶାନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଆଉ ଦୁଇ ଦିନ ପରେ ରାଷ୍ଟ୍ରପତି ନିର୍ବାଚନ । ନିର୍ବାଚନ ଯେତିକି ପାଖେଇ ଆସୁଛି ଏନଡିଏ ପ୍ରାର୍ଥୀଙ୍କ ପ୍ରତି ସମର୍ଥନ ସେତିକି ବଢ଼ି ବଢ଼ି ଯାଉଛି । ତେବେ ସବୁଠୁ ବଡ଼ କଥା ହେଉଛି ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ଶିବସେନା  କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ମନା କରିଥିବା ବେଳେ  ଜେଏମଏମ୍  କଂଗ୍ରେସକୁ ଦେଇଛି ବଡ଼ ଝଟକା । ଏହି ଝଟକା ଝାଡ଼ଖଣ୍ଡ ରାଜନୀତିରେ ଆଗକୁ ଓଲଟପାଲଟ କରିବାର ମଧ୍ୟ ସମ୍ଭାବନା ମଧ୍ୟ ରହିଛି । ତେବେ ଶିବୁ ସୋରେନ କାହିଁକି କଂଗ୍ରେସକୁ ଏତେବଡ଼ ଝଟକା ଦେଲେ ? କଣ ପାଇଁ ରାଜ୍ୟରେ ମେଂଟ ସରକାର ଚାଲିଥିବା ବେଳେ  ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସ ସମର୍ଥିତ ୟୁପିଏ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ ଦେବେନାହିଁ ବୋଲି କହିଲେ ?  ଏସବୁ ନେଇ ସାରା ଦେଶରେ ଏବେ ଚର୍ଚା  । ଜେଏମଏମ୍ ପକ୍ଷରୁ ଏନଡିଏ ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଘୋଷଣା କରିବା ପରେ କଂଗ୍ରେସ ଶିବିରରେ  ଶିବୁ ସୋରେନ ଏବଂ ହେମନ୍ତ ସୋରେନଙ୍କ ପାଇଁ ବିଦ୍ରୋହ ଭିତରେ ଭିତରେ ଉଗ୍ର ରୂପ ନେଉଥିବା ଚର୍ଚା ହେଉଛି ।

ପ୍ରାର୍ଥୀଙ୍କ ଘୋଷଣା ପରେ ବଦଳିଲା ସମୀକରଣ

ରାଷ୍ଟ୍ରପତି ନିର୍ବାଚନରେ, ଜେଏମ୍ଏମ୍ ସ୍ପଷ୍ଟ ଭାବେ କହିଛି ୟୁପିଏ ନିର୍ଦ୍ଦେଶାବଳୀ କୁ ମାନିବ ନାହିଁ । ଭବିଷ୍ୟତ ରାଜନୀତି ପାଇଁ  ଜେଏମଏମ ନିଜ ନିଷ୍ପତ୍ତି ନେଇପାରିବ । ଏହାର ମାନେ ହେଉଛି କଂଗ୍ରେସର ନିର୍ଦେଶକୁ ପରୋକ୍ଷରେ ନମାନିବା ପାଇଁ ଜେଏମଏମ ଏପରି କହିଛି । କିନ୍ତୁ ଦେଖିବାକୁ ଗଲେ ଯଶୱନ୍ତ ସିହ୍ନା ମଧ୍ୟ ହେଉଛନ୍ତି ଝାଡ଼ଖଣ୍ଡର ।  ଯଶୋବନ୍ତ ଦିନେ ବିଜେପିରେ ଥିଲେ । ପରେ ବିଜେପିକୁ ବିରୋଧ କରିଥିଲେ । ପ୍ରାର୍ଥୀ ହେବା ପୂର୍ବରୁ  ସେ ଟିଏମସିରେ ମଧ୍ୟ ଥିଲେ  । ଯଶୋବନ୍ତଙ୍କୁ ପ୍ରାର୍ଥୀ ଚୟନ ବେଳେ ଜେଏମଏମ ସହ 17ଟି ଦଳ ଥିଲେ । ତେବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଭାବେ ଦ୍ରୈାପଦୀ ମୁର୍ମୁଙ୍କ ନାମ ଘୋଷଣା କରିବା ପରେ ଯଶୋବନ୍ତ ନିଜ ରାଜ୍ୟକୁ  ଜୁନ 24ରେ ପ୍ରଚାରରେ ଯିବାକୁ ମଧ୍ୟ ଉଚିତ ମନେ କରିନଥିଲେ । ଏପରିକି ନାମାଙ୍କନ ଦାଖଲ ବେଳେ ଜେଏମଏମ ଦୂରେଇ ରହିଥିଲା ।

ଦେଖିବାକୁ ଗଲେ ଝାଡଖଣ୍ଡ ଏବଂ ଜେଏମ୍ଏମ୍ ଗଠନର ମୂଳଦୁଆ ହେଉଛି ଆଦିବାସୀ  । କିନ୍ତୁ ଯଶୋବନ୍ତ ମଧ୍ୟ ଝାଡ଼ଖଣ୍ଡ ଗଠନର ବିରୋଧୀ ଥିଲେ । ତେଣୁ ସୋରେନ ଆଦିବାସୀଙ୍କ ବଦଳରେ ଜଣେ ଅଣ-ଆଦିବାସୀ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସମର୍ଥନ କରିବା ରାଜନୈତିକ ଦୃଷ୍ଟିକୋଣରୁ ଠିକ ଭାବିନଥିଲେ   । ସେପଟେ ଝାଡଖଣ୍ଡ ଓଡ଼ିଶାର ମୟୂରଭଞ୍ଜ ସୀମାବର୍ତ୍ତୀ ଜିଲ୍ଲା ହୋଇଥିବାରୁ ଦ୍ରୈାପଦୀଙ୍କ ସହ ସାନ୍ତାଳି ଆଦିବାସୀଙ୍କ ଭାବାବେଗ ଜଡ଼ିତ ରହିଛି  । ପୁଣି ଦ୍ରୈାପଦୀ ହେଉଛନ୍ତି ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ । ଏସବୁ ଭିତରେ ହିଁ ଏନଡିଏର ପ୍ରାର୍ଥୀ ଘୋଷଣା ପରେ ସବୁ ଜେଏମଏମର  ରଣନୀତି ଓଲଟ ପାଲଟ ହୋଇ ବଦଳିଯାଇଥିଲା । କାରଣ ଜେଏମଏମର  30ଟି ବିଧାୟକଙ୍କ ମଧ୍ୟରୁ 19ଟି ବିଧାୟକ ଆଦିବାସୀ ଅଛନ୍ତି । ଗୋଟିଏ ରାଜ୍ୟସଭା ଆସନ ଏବଂ ଲୋକସଭା ଆସନ ମଧ୍ୟ ଜେଏମଏମ ପାଖରେ ଅଛି ।

04 ଜୁଲାଇର ଭେଟଘାଟ

ଜେଏମଏମ ର ନିଷ୍ପତ୍ତି ବଦଳିବା ପଛରେ ଆଉ ଏକ କାରଣ ହେଉଛି ଦ୍ରୈାପଦୀ  ମୁର୍ମୁ ଙ୍କ ସହ ଜେଏମଏମ ସଭାପତି ଶିବୁ ସୋରେନ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବ୍ୟକ୍ତିଗତ ଏବଂ ପାରିବାରିକ ସଂପର୍କ । ଝାଡ଼ଖଣ୍ଡର ରାଜ୍ୟପାଳ ଥିବାବେଳେ ଶ୍ରୀମତୀ ମୁର୍ମୁ ଏବଂ ସୋରେନ ପରିବାର ମଧ୍ୟରେ ଉତ୍ତମ ସଂପର୍କ ରହିଥିଲା । ଯେତେବେଳେ ଜୁଲାଇ 4ରେ ଦ୍ରୈାପଦୀ  ମୁର୍ମୁ ନିଜେ ଜେଏମଏମ ମୁଖ୍ୟ ଶିବୁ ସୋରେନଙ୍କ ନିକଟକୁ ଯାଇ ସମର୍ଥନ ମାଗିଥିଲେ ଏବଂ ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଭବ୍ୟ ସ୍ବାଗତ କରିଥିଲେ ସେହିଦିନ ଜଣାପଡିଯାଇଥିଲା ଯେ ଏଥର  ନିର୍ବାଚନରେ ଜେଏମଏମ ଦ୍ରୈାପଦୀ ମୁର୍ମୁଙ୍କୁ ସମର୍ଥନ କରିବ।  ଫଳ ସ୍ବରୂପ ଦ୍ରୈାପଦୀ ମୁର୍ମୁ ଯେତେବେଳେ ଶିବୁ ସୋରେନଙ୍କୁ ଭେଟି ସମର୍ଥନ ମାଗିଲେ ସେ ସମର୍ଥନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଯାହାକୁ ପରେ ଦଳର 30 ବିଧାୟକ ମଧ୍ୟ ସମର୍ଥନ କରିଥିଲେ ।

ଆଦିବାସୀ ପୁଣି ମହିଳା ପ୍ରାର୍ଥୀ

ଏଠାରେ କୁହାଯାଇପାରେ ଆଦିବାସୀ ମହିଳା ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁ ହିଁ ଜେଏମଏମ ପାଇଁ ଧର୍ମ ସଂକଟ ସୃଷ୍ଟି କରିଥିଲେ ।  ଜେଏମଏମ ଏକ ଅଣ ଆଦିବାସୀ ପୁରୁଷ ପ୍ରାର୍ଥୀ ଯଶୋବନ୍ତଙ୍କୁ ଭୋଟ୍ ଦେଇ ନିଜ  ଭୋଟ ବ୍ୟାଙ୍କ ରାଜନୀତିକୁ ଅସୁବିଧାରେ ପକାଇବାକୁ ଚାହୁଁନାହିଁ ।  ଏନଡିଏ ପ୍ରାର୍ଥୀ ଘୋଷଣା ହେବା ଦିନଠାରୁ ଏହି ବିଷୟରେ ଦଳ ଭିତରେ ବାରମ୍ବାର ଆଲୋଚନା ଚାଲିଥିଲା । ଅନେକ ନେତା ମୁର୍ମୁଙ୍କ ସପକ୍ଷରେ ଭୋଟ୍ ଦେବାକୁ ନିଷ୍ପତ୍ତି ନେଇଥିଲେ। ଆଦିବାସୀ ପୁଣି ମହିଳା ପ୍ରାର୍ଥୀ ଶ୍ରୀମତି ମୁର୍ମୁ ହୋଇଥିବାରୁ ତାଙ୍କୁ ସମର୍ଥନ ନକଲେ ଭବିଷ୍ୟତରେ ଆଦିବାସୀ ଏବଂ ମହିଳା ଜେଏମଏମ ନିକଟରୁ ଦୂରେଇ ଯିବାର ସଂଭାବନା ରହିଥିଲା । ଏସବୁ ଆଶଙ୍କାକୁ ଏଡାଇବା ପାଇଁ ସୋରେନ ପରିବାର ସହ ଦଳ ଏକ ନିର୍ଣ୍ଣାୟକ ନିଷ୍ପତ୍ତିରେ ପହଁଚିଥିଲା  । ଯାହାକି  କଂଗ୍ରେସର ସମସ୍ତ ଗଣିତକୁ ବିଗାଡି ଦେଇଥିଲା । ଏବଂ କଂଗ୍ରେସ ମୁହଁ ଲୁଚାଇଥିଲା । କଂଗ୍ରେସ ଶେଷ ପର୍ଯ୍ୟନ୍ତ ଆଶା ରଖିଥିଲା ଜେଏମଏମ ସେମାନଙ୍କ ପ୍ରାର୍ଥୀଙ୍କୁ ସମର୍ଥନ କରିବ । କିନ୍ତୁ ତାହା ହୋଇନଥିଲା

କଂଗ୍ରେସ ପାଖରେ ବିକଳ୍ପ ନାହିଁ

ବର୍ତ୍ତମାନ ପରିସ୍ଥିତିରେ କଂଗ୍ରେସ ପାଖରେ ଆଉ କିଛି ବି ବିକଳ୍ପ ନାହିଁ । କଂଗ୍ରେସ ଚାହିଁଲେ ମଧ୍ୟ ମେଂଟ ସରକାରରୁ ଅଲଗା ହୋଇପାରିବ ନାହିଁ । କି ବ୍ଲାକ୍ ମେଲ କରିପାରିବ ନାହିଁ । ଏମିତିକି କଂଗ୍ରେସ ନିକଟରେ 18 ଜଣ ବିଧାୟକ ଅଛନ୍ତି । ତେଣୁ  ଜେଏମଏମ୍ ନିଷ୍ପତ୍ତି ଗ୍ରହଣ କରିବା ପରେ କଂଗ୍ରେସ ନିରବ ରହିଛି । ଅବଶ୍ୟ କଂଗ୍ରେସ ନେତାମାନେ ଭିତରେ ଭିତରେ ପ୍ରତିଶୋଧ ନେବାପାଇଁ ମନ୍ତ୍ରଣା କରୁଛନ୍ତି । କିନ୍ତୁ ପାରୁନାହାଁନ୍ତି । କଂଗ୍ରେସ ନେତା ମାପିଚୁପି ବିବୃତି ଦେଉଛନ୍ତି। କାରଣ ଏତେ ବଡ଼ ନିଷ୍ପତ୍ତି ପରେ ମେଂଟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବାକୁ ମଧ୍ୟ କଂଗ୍ରେସ ପାଖରେ ସାହସ ନାହିଁ ।  ଭବିଷ୍ୟତରେ କଂଗ୍ରେସ କିଛି ଟିକେ ଲାଭ ପାଇବା ଆଶାରେ ଜେଏମଏର ସବୁ ନିଷ୍ପତ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବ । ଆଉ ହେଉଛି ମଧ୍ୟ ।

ବିଜେପି କୁ ବିରୋଧ ନାମରେ ପ୍ରାର୍ଥୀଙ୍କୁ ବିରୋଧ

କଂଗ୍ରେସ ଏବଂ ୟୁପିଏର ଅଶିଂଦାର ଦଳମାନେ ବିଜେପିକୁ ବିରୋଧ କରି ପ୍ରାର୍ଥୀ ଛିଡା କରାଇଛନ୍ତି । କଂଗ୍ରେସ ସମେତ ସିପିଆଇ ଜେଏମଏମ ଟିଏମସି ପୂର୍ବରୁ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବେନାହିଁ ବୋଲି କୁହାଯାଉଥିଲା । ଏପରିକି ଆଗୁଆ ଆଲୋଚନା କରି ଯଶୋବନ୍ତଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲେ ।  ଆଦିବାସୀ ଆନ୍ଦୋଳନ , ଝାଡଖଣ୍ଡର ସ୍ୱାର୍ଥ ପାଇଁ ୟୁପିଏ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ସେମାନେ ଏପରି ନିଷ୍ପତ୍ତି ନେଇଥିଲେ ବୋଲି ମିଟିଂ ବେଳେ କହିଥିଲେ । କିନ୍ତୁ ଏନଡିଏର ପ୍ରାର୍ଥୀ ଘୋଷଣା ପରେ ଏବେ ସବୁକିଛି ବଦଳି ଯାଇଛି ।  ସିପିଆଇ (ଏମଏଲ) ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ କରିବ ବୋଲି କହିଥିବା ବେଳେ ଜେଏମଏମ ବିରୋଧ କରିବାକୁ ନିବୃତ୍ତ ରହିବାକୁ ନିଷ୍ପତ୍ତି ନେବା ସହ ସମର୍ଥନ ଘୋଷଣା କରିଛି । ଏଥିରୁ ସ୍ପଷ୍ଟ ଯେ ଝାଡଖଣ୍ଡରେ ଆଗକୁ କଂଗ୍ରେସ ପାଇଁ ବିପଦ ରହିଛି । କେତେବେଳେ ଶିବୁ ସୋରେନ କଂଗ୍ରେସ ହାତ ଛାଡି ଦେବେ ତାହା କହିହେବ ନାହିଁ । ଦ୍ରୈାପଦୀ ମୁର୍ମୁ ଜିତିବା ପରେ ପୁଣି  ଝାଡଖଣ୍ଡ ରାଜନୀତି କେଉଁଆଡେ ଯାଉଛି ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.