Latest Odisha News

BREAKING NEWS

କେଉଁ କାରଣ ପାଇଁ ବଜାରରେ ଇ-ସ୍କୁଟରର ଚାହିଦା ବଢୁନି?

ନୂଆଦିଲ୍ଲୀ:  ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ବେଳେ ଇ-ବାଇକ ବା ବିଦ୍ୟୁତ ଚାଳିତ ଗାଡିର ଚାହିଦା ବଢ଼ିବା କଥା। କିନ୍ତୁ ଏବେ ଏହି ଗାଡିର ଚାହିଦା ସେଭଳି ବଢୁ ନାହିଁ ଯେଉଁଭଳି ଆଶା କରାଯାଉଥିଲା। ଏକ ସର୍ଭେ ଅନୁଯାୟୀ ଆସନ୍ତା ୬ ମାସରେ ଯେଉଁମାନେ ଗାଡି କିଣିବାକୁ ଯାଉଛନ୍ତି ସେମାନଙ୍କ ମଧ୍ୟରୁ ମାତ୍ର ୧ ପ୍ରତିଶତ ଇ-ବାଇକ କିଣିବାକୁ ଆଗ୍ରହ ଦେଖାଇଛନ୍ତି।

ଅଳ୍ପ ପଇସାରେ ଯାତ୍ରା କରିବାରେ ଇ-ବାଇକରେ ସୁବିଧା ରହିଛି। ତେଣୁ ପେଟ୍ରୋଲ ଲିଟର ୧୦୩ ଟଙ୍କାରେ ୫୦ କିଲୋମିଟର ଯିବା ଅପେକ୍ଷା ଇ-ବାଇକରେ କିଲୋମିଟର ପିଛା ୧୦ ପଇସା ହିସାବରେ ଯାତ୍ରା କରିବାକୁ ଲୋକେ ଆଗ୍ରହ ଦେଖାଇବା କଥା କିନ୍ତୁ ଇ-ବାଇକ କିଣିବା ପରେ ଦେଖାଦେଇଥିବା କିଛି ସମସ୍ୟା ପାଇଁ ଲୋକେ ଏହି ଗାଡି କିଣିବାକୁ ସେଭଳି ଆଗ୍ରହ ଦେଖାଉ ନଥିବା ସୂଚନା ରହିଛି।

ସର୍ଭେ ଅନୁସାରେ ପ୍ରାୟ ୩୨ ପ୍ରତିଶତ ଲୋକ ଚଳିତ ବର୍ଷ ମାର୍ଚ୍ଚରୁ ଅଗଷ୍ଟରେ ଇଲେକ୍ଟ୍ରିକ୍ ସ୍କୁଟରର ସୁରକ୍ଷା ଓ ପ୍ରଦର୍ଶନକୁ ନେଇ ଆଶ୍ୱସ୍ତ ନୁହଁନ୍ତି। ଏହି ସଂଖ୍ୟା ୧୭ ପ୍ରତିଶତ ରହିଛି କେବଳ ମାର୍ଚ୍ଚ ଓ ଏପ୍ରିଲ ମାସରେ। ଖରା ଦିନେ ଚାଲିଥିଲା ଏହି ସମୟରେ ଅନେକ ଦୁଇ ଚକିଆ ଇ-ସ୍କୁଟରରେ ନିଆଁ ଲାଗିଯାଇଥିଲା। ତେଣୁ ଲୋକେ ଏପରି ଗାଡିକୁ କିଣିବାକୁ ଆଗ୍ରହ ଦେଖାଉନାହାନ୍ତି ବୋଲି କମ୍ୟୁନିଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଲୋକାଲ୍ ସର୍କଲ୍ସ ପକ୍ଷରୁ ଏହି ସୂଚନା ମିଳିଛି।

ମାର୍ଚ୍ଚ ଏବଂ ଏପ୍ରିଲରେ ଅଧିକ ଇଲେକ୍ଟ୍ରିକ୍ ଦୁଇ ଚକିଆ ଗାଡିରେ ନିଆଁ ଲାଗିବା ପରେ, ଓଲା, ପିଓର ଇଭି, ଏବଂ ଓକିନାଭା ଭଳି ଇଲେକ୍ଟ୍ରିକ୍ ସ୍କୁଟର ନିର୍ମାତାଙ୍କ ଦ୍ୱାରା ପ୍ରାୟ ୭,୦୦୦ ୟୁନିଟ୍ “ସ୍ୱେଚ୍ଛାକୃତ ଭାବେ” ପ୍ରତ୍ୟାହାର କରାଯାଇଥିଲା।

ଇ-ସ୍କୁଟର କିଣିବାକୁ ଲୋକେ ଆଗ୍ରହ ପ୍ରକାଶ କରୁଥିବା ବେଳେ ସୁରକ୍ଷା ଓ ପ୍ରଦର୍ଶନକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଗ୍ରାହକଙ୍କ ବିଶ୍ୱାସ ଜିତିବା ସରକାର ଏବଂ ଶିଳ୍ପ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଏବେ ସରକାର ସେଣ୍ଟର ଫର ଫାୟାରର ବିଶେଷଜ୍ଞଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି । କାହିଁକି ନିଆଁ ଲାଗିଯାଉଛି ତାର ବିସ୍ତୃତ ରିପୋର୍ଟ ସହ ଗୁଣବତ୍ତା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

୧୧ ହଜାରରୁ ଅଧିକ ଲୋକଙ୍କ ମଧ୍ୟରୁ ମାତ୍ର ୧ ପ୍ରତିଶତ ଆଗାମୀ ୬ ମାସ ମଧ୍ୟରେ ଇ-ସ୍କୁଟର କିଣିବାକୁ ଯୋଜନା କରିଛନ୍ତି। ପ୍ରାୟ ୫ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ କିଣିବାକୁ ଆଗ୍ରହୀ କିନ୍ତୁ “ଇ-ସ୍କୁଟର ପାଇଁ ଉପଲବ୍ଧ ଭିତ୍ତିଭୂମି ବିଷୟରେ ଜଣାନାହିଁ” ଏବଂ ୭ ପ୍ରତିଶତ ଲୋକ କହିଛନ୍ତି ଯେ ଇ-ସ୍କୁଟର କିଣିବା ପାଇଁ ସେମାନଙ୍କ ପାଖରେ ଆବଶ୍ୟକ ଅର୍ଥ ନାହିଁ।

ସର୍ଭେରେ କୁହାଯାଇଛି ଯେ, “ଅଗ୍ନିକାଣ୍ଡ ଯୋଗୁଁ କିଛି ଲୋକ ଆହତ ହେବା ସହ ଗାଡ଼ି ନଷ୍ଟ ହେବା ଦ୍ୱାରା ଗ୍ରାହକଙ୍କ ମାନସିକ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି। ଯାହା ଫଳରେ ଦୁଇ ମାସ ଧରି ଇଲେକ୍ଟ୍ରିକ୍ ଯାନ ଓ ଦୁଇ ଚକିଆ ଯାନ ବିକ୍ରି ହ୍ରାସ ପାଇଛି।

ଏବେ ଓଲା ଇଲେକ୍ଟ୍ରିକ୍ ବିକ୍ରିରେ ସବୁଠାରୁ ଅଧିକ ହ୍ରାସ ଘଟିଛି କାରଣ ବ୍ୟାଟେରୀରେ ନିଆଁ ଲାଗିବା କାରଣରୁ ଗ୍ରାହକମାନେ ଇଭି କିଣିବାକୁ ଆଗ୍ରହ ଦେଖାଉ ନାହାନ୍ତି।

ସାରା ଦେଶରେ ଏବେ ୧,୬୪୦ରୁ ଅଧିକ ପବ୍ଲିକ୍ ଇଭି ଚାର୍ଜିଂ ଷ୍ଟେସନ ରହିଛି । ସେଥିମଧ୍ୟରୁ ୯ଟି ସହରରେ ୯୪୦ରୁ ଅଧିକ ଚାର୍ଜିଂ ଷ୍ଟେସନ ରହିଛି। ଅକ୍ଟୋବର ୨୦୨୧ରୁ ଜାନୁଆରୀ ୨୦୨୨ ମଧ୍ୟରେ ୬୭୮ଟି ଇଭି ଚାର୍ଜିଂ ଷ୍ଟେସନ ସ୍ଥାପନ କରାଯାଇଥିଲା।

Leave A Reply

Your email address will not be published.