Latest Odisha News

BREAKING NEWS

Graduate Crisis: ଡିଗ୍ରୀ ଅଛି, କାହିଁକି ନାହିଁ ଚାକିରି? ନୀତି ଆୟୋଗର ବଡ଼ ଖୁଲାସା, ‘ସାର୍ଟିଫିକେଟ୍ ନୁହେଁ, ସ୍କିଲ୍ ହିଁ ଚାକିରିର ଚାବି’!

ନୂଆଦିଲ୍ଲୀ: ଦିନ ଥିଲା ଡିଗ୍ରୀ ହାତରେ ଥିଲେ ଚାକିରି ମିଳିବାର ଆଶା ଦୃଢ଼ ଥିଲା। ଏମିତି ବି ଦିନ ଥିଲା ସାଧାରଣ ୧୦ମ ପାସ୍ କରୁଥିବା ବ୍ୟକ୍ତିଟି ବି ସରକାରୀ ଚାକିରୀ ପାଇଁ ମନୋନୀତ ହେଉଥିଲା । ଆଉ ଡିଗ୍ରୀ ପାସ୍ କଲେ ଲୋକେ ଏହାକୁ ଏକ ବଡ ଉପଲବ୍ଧି ବୋଲି ଭାବୁଥିଲେ । କିନ୍ତୁ ବଦଳୁଥିବା ଚାକିରି ବଜାରରେ ଏବେ କେବଳ ଡିଗ୍ରୀ ଯଥେଷ୍ଟ ନୁହେଁ। ଡିଗ୍ରୀ ଅଛି, ଠିକ୍ ଅଛି…ହେଲେ ଦକ୍ଷତା ଅଛି କି?, ଏହି ପ୍ରଶ୍ନ ଏବେ ଲକ୍ଷ ଲକ୍ଷ ଭାରତୀୟ ଯୁବକ-ଯୁବତୀଙ୍କ ଭବିଷ୍ୟତ ସହ ଜଡ଼ିତ।

ନୀତି ଆୟୋଗର ନିକଟରେ ପ୍ରକାଶିତ “ରୋଜଗାର ପାଇଁ ଶିକ୍ଷା ଓ ସ୍କିଲ୍: ସାର୍ଟିଫିକେଟ୍‌ ନୁହେଁ, ଶିକ୍ଷାର ଦକ୍ଷତା ହିଁ ମୁଖ୍ୟ” ୱାର୍କିଂ ପେପର୍ ଦେଶର ଶିକ୍ଷା ବ୍ୟବସ୍ଥା ଓ ଚାକିରି ବଜାର ମଧ୍ୟରେ ଥିବା ବଡ଼ ତାରତମ୍ୟକୁ ସାମ୍ନାକୁ ଆଣିଛି। ରିପୋର୍ଟ ଅନୁସାରେ, କେବଳ ୮.୨୫% ଗ୍ରାଜୁଏଟ୍ ନିଜ ଯୋଗ୍ୟତା ସହ ସମ୍ପର୍କିତ ଚାକିରି ପାଉଛନ୍ତି। ଅର୍ଥାତ୍, ଅଧିକାଂଶ ଗ୍ରାଜୁଏଟ୍ ନିଜେ ଯେଉଁ ବିଷୟ ପଢ଼ିଛନ୍ତି, ସେହି କ୍ଷେତ୍ରରେ ଚାକିରି ପାଇବାର ସୁଯୋଗରୁ ବଞ୍ଚିତ ହେଉଛନ୍ତି। ସେପଟେ ପ୍ରାୟ ୧୩% ଗ୍ରାଜୁଏଟ୍ ବେକାର ଥିବା ବେଳେ ଗ୍ରାଜୁଏଟ୍ ମହିଳାଙ୍କ ବେକାରି ହାର ୨୦.୪% ବୋଲି ତଥ୍ୟ ଚିନ୍ତା ବଢ଼ାଇଛି।

ଦେଶରେ ବେଶୀ ପ୍ରଚଳିତ ବିଏ, ବିକମ୍ ଏବଂ ବିଏସ୍ସି ଭଳି ପାରମ୍ପରିକ ଡିଗ୍ରୀରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ୁଥିଲେ ମଧ୍ୟ ଏହି ପାଠ୍ୟକ୍ରମଗୁଡ଼ିକ ସବୁବେଳେ ଚାକିରି ସହ ଯୋଡ଼ି ହୋଇନାହିଁ । ବିଏ ପ୍ରୋଗ୍ରାମରେ ୧.୩ କୋଟି ଏବଂ ମିଳିତ ଭାବେ ବିଏ, ବିକମ୍ ଓ ବିଏସ୍ସି ପ୍ରୋଗ୍ରାମରେ ୩.୪ କୋଟି ଛାତ୍ରଛାତ୍ରୀ ନାମ ଲେଖାଉଛନ୍ତି । ଏଠାରେ ପ୍ରଶ୍ନ ଉଠେ, ଯୁବବର୍ଗଙ୍କୁ କେବଳ ଡିଗ୍ରୀ ଦିଆଯାଉଛି, ହେଲେ ରୋଜଗାରର ପ୍ରସ୍ତୁତି ସେଭଳି କାହିଁକି ହେଉନି? ୨୦୧୪-୧୫ ପରଠୁ ଦେଶରେ ୭.୬୭ କୋଟିରୁ ଊଦ୍ଧ୍ୱର୍ ଲୋକଙ୍କୁ ଦକ୍ଷତା ତାଲିମ ଦିଆଯାଇଛି । ୨୦୨୫-୨୬ ବଜେଟରେ ଦକ୍ଷତା ତାଲିମ ଲାଗି ୩୪ ହଜାର କୋଟିର ବ୍ୟବସ୍ଥା ହୋଇଛି । କିନ୍ତୁ ତାଲିମ ପରିମାଣ ବଢ଼ିଲେ ମଧ୍ୟ ଲୋକେ ସେହି ଅନୁସାରେ ନିଯୁକ୍ତି ପାଉନାହାନ୍ତି ।

ତେବେ ଏହି ସମସ୍ୟାର ମୁଖ୍ୟ କାରଣ କ’ଣ? ନୀତି ଆୟୋଗ କହିଛି, ଅନେକ କଲେଜର ପାଠ୍ୟକ୍ରମ ଏବେ ବି ଶିଳ୍ପ ଜଗତର ଆବଶ୍ୟକତା ଅନୁସାରେ ଅପଡେଟ୍ ହୋଇନାହିଁ। ଛାତ୍ରଛାତ୍ରୀ ପାଠ୍ୟପୁସ୍ତକରୁ ଥିଓରୀ ଶିଖୁଛନ୍ତି, କିନ୍ତୁ ଚାକିରି ବଜାର ଚାହୁଁଛି ପ୍ରାକ୍ଟିକାଲ୍ ସ୍କିଲ୍, ଡିଜିଟାଲ୍ ଦକ୍ଷତା, କମ୍ୟୁନିକେସନ୍, ସମସ୍ୟା ସମାଧାନ, ଟିମ୍‌ୱର୍କ ଓ ଇଣ୍ଡଷ୍ଟ୍ରି ଅଭିଜ୍ଞତା।

ରିପୋର୍ଟରେ ଆହୁରି ଚିନ୍ତାଜନକ ତଥ୍ୟ ରହିଛି। ୮୦% ଶିକ୍ଷାର୍ଥୀ ପ୍ରାକ୍ଟିକାଲ୍ ଅଭିଜ୍ଞତା ଓ ଇଣ୍ଡଷ୍ଟ୍ରି ଏକ୍ସପୋଜର୍‌ର ଅଭାବକୁ ବଡ଼ ସମସ୍ୟା ବୋଲି ମନେ କରୁଛନ୍ତି। ୩୪% ଛାତ୍ରଛାତ୍ରୀ ସ୍କିଲ୍ ଅଭାବ ଏବଂ ୧୮% ଇଣ୍ଟରଭ୍ୟୁ ପ୍ରସ୍ତୁତିର ଅଭାବକୁ ସମସ୍ୟା ଭାବେ ଦର୍ଶାଇଛନ୍ତି। ଏହି ସ୍କିଲ୍ ଗ୍ୟାପ୍ ଯୋଗୁଁ ସରକାରୀ ଚାକିରି ପ୍ରତି ଯୁବପିଢ଼ିର ଆକର୍ଷଣ ମଧ୍ୟ ବଢ଼ୁଛି। ନୀତି ଆୟୋଗ ତଥ୍ୟ ଅନୁସାରେ, ୨୦୨୪ ନଭେମ୍ବରରୁ ୨୦୨୫ ଜୁଲାଇ ମଧ୍ୟରେ ମାତ୍ର ୫୫ ହଜାର ସରକାରୀ ପଦ ପାଇଁ ୧.୮୬ କୋଟି ଆବେଦନ ଆସିଥିଲା।

ତେବେ ଏହାର ସମାଧାନ କ’ଣ? ନୀତି ଆୟୋଗ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ “ଚାକିରି ପାଇଁ ଆବଶ୍ୟକ ସାଧାରଣ ଦକ୍ଷତା ଓ ନିଜେ ବ୍ୟବସାୟ କରିବାର ଦକ୍ଷତା” ଭଳି ସ୍କିଲ୍ ଶିକ୍ଷା, ଅଧିକ ଇଣ୍ଟର୍ନସିପ୍, ଆପ୍ରେଣ୍ଟିସସିପ୍ ଓ ଇଣ୍ଡଷ୍ଟ୍ରି ସହ ଯୋଡ଼ିତ ଶିକ୍ଷା ଉପରେ ଜୋର ଦେଇଛି। ଛାତ୍ରଛାତ୍ରୀଙ୍କ ସ୍କିଲ୍, ସାର୍ଟିଫିକେଟ୍ ଓ ଅଭିଜ୍ଞତାକୁ ଟ୍ରାକ୍ କରିବା ପାଇଁ ଡିଜିଟାଲ୍ ସ୍କିଲ୍ ପାସପୋର୍ଟର ପ୍ରସ୍ତାବ ମଧ୍ୟ ରହିଛି।

ତେଣୁ ଡିଗ୍ରୀ ଆପଣଙ୍କ ଯୋଗ୍ୟତାର ପ୍ରମାଣ ହୋଇପାରେ, କିନ୍ତୁ ଚାକିରି ଦେବା ପାଇଁ ଆପଣ କ’ଣ କରିପାରିବେ, ସେହି ଦକ୍ଷତା ହିଁ ଆଜିର ଚାକିରି ବଜାରରେ ସବୁଠାରୁ ବଡ଼ ପରିଚୟ।

Leave A Reply

Your email address will not be published.