ବେଙ୍ଗାଲୁରୁ: ଭାରତୀୟ ବାୟୁସେନାକୁ ସ୍ୱଦେଶୀ ଲଢୁଆ ବିମାନ ତେଜସ Mk1A ହସ୍ତାନ୍ତର ପ୍ରକ୍ରିୟା ଏବେ ସଫ୍ଟୱେର ସମସ୍ୟା ଯୋଗୁଁ ପ୍ରଭାବିତ ହୋଇଛି। ବିମାନର ପରୀକ୍ଷଣ ସମୟରେ କିଛି ସଫ୍ଟୱେର ସମ୍ପର୍କିତ ସମସ୍ୟା ଚିହ୍ନଟ ହୋଇଥିବାରୁ ଆବଶ୍ୟକ ପରିବର୍ତ୍ତନ କରାଯାଉଛି। HALର CMD ରବି କୁମାର କହିଛନ୍ତି, ବିମାନ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବା ପରେ ହିଁ ଡେଲିଭରି ଆରମ୍ଭ ହେବ। ତେବେ ଏଥିପାଇଁ ସେ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଦେଇନାହାନ୍ତି।
ଭାରତୀୟ ବାୟୁସେନା ପାଇଁ ଅର୍ଡର ହୋଇଥିବା ୭୦ଟି HTT-40 ବେସିକ୍ ଟ୍ରେନର ବିମାନକୁ ଆସନ୍ତା ୪ରୁ ୫ ବର୍ଷ ମଧ୍ୟରେ ଡେଲିଭରି କରିବାକୁ HAL ଲକ୍ଷ୍ୟ ରଖିଛି। ଉତ୍ପାଦନ ବଢ଼ାଇବା ପାଇଁ ବେସରକାରୀ କମ୍ପାନୀଙ୍କ ସହାୟତା ନିଆଯାଉଛି। ସପ୍ଲାଇ ଚେନ୍କୁ ମଧ୍ୟ ମଜବୁତ କରାଯାଉଛି। ଭବିଷ୍ୟତର ମାନବବିହୀନ ଯୁଦ୍ଧ କ୍ଷମତା ପାଇଁ HAL CATS Warriorର ସ୍ୱୟଂଚାଳିତ ଡ୍ରୋନ୍ ପ୍ରୋଟୋଟାଇପ୍ ତିଆରି ଆରମ୍ଭ କରିଛି। ଆସନ୍ତା ବର୍ଷ ଏହାର ସାର୍ଟିଫିକେସନ୍ ଯୋଜନା ରହିଛି। ଏହାକୁ ଭବିଷ୍ୟତରେ ଲଢୁଆ ବିମାନ ସହ କାମ କରିପାରୁଥିବା ‘ଲଏଲ୍ ୱିଙ୍ଗମ୍ୟାନ୍’ ଭାବେ ବିକଶିତ କରାଯାଉଛି।
ବର୍ତ୍ତମାନର ହକ୍ ଆଡଭାନ୍ସଡ୍ ଜେଟ୍ ଟ୍ରେନର ବିକଳ୍ପ ଭାବେ HAL ନିଜର LCA LIFT ବା ଲିଡ୍ ଇନ୍ ଫାଇଟର ଟ୍ରେନର କାର୍ଯ୍ୟକ୍ରମ ଉପରେ ମଧ୍ୟ କାମ କରୁଛି। ପବନ ହଂସକୁ ୧୦ଟି ଧ୍ରୁବ NG ହେଲିକପ୍ଟର ଦେବା ପାଇଁ HAL ଚୁକ୍ତି କରିଛି। ୪ଟି ତୁରନ୍ତ ଏବଂ ଆଉ ୪ଟି ଡିସେମ୍ବର ସୁଦ୍ଧା ଦିଆଯିବ। ଅବଶିଷ୍ଟ ହେଲିକପ୍ଟର ଆସନ୍ତା ଆର୍ଥିକ ବର୍ଷରେ ଦିଆଯିବ।
ଶୁକ୍ରବାର HAL ପକ୍ଷରୁ ବାୟୁସେନାକୁ ୨ଟି LCA ତେଜସ FOC ଟ୍ରେନର ଓ HTT-40 ସହ ପବନ ହଂସକୁ ୪ଟି ଧ୍ରୁବ NG ହେଲିକପ୍ଟର ହସ୍ତାନ୍ତର କରାଯିବ। ୨ଟି FOC ଟ୍ରେନର ଡେଲିଭରି ପରେ ଚୁକ୍ତି ଅନୁସାରେ ସମସ୍ତ ୪ଟି ଟ୍ୱିନ୍-ସିଟର ବିମାନର ଡେଲିଭରି ସମ୍ପୂର୍ଣ୍ଣ ହେବ।
HTT-40 ଭାରତୀୟ ପାଇଲଟଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ ପାଇଁ ବିକଶିତ। ଏଥିରେ ପ୍ରାୟ ୫୭% ସ୍ୱଦେଶୀ ସାମଗ୍ରୀ, ୧,୧୦୦ ହର୍ସପାୱାର ଟର୍ବୋପ୍ରପ୍ ଇଞ୍ଜିନ୍ ଏବଂ ୩୦୦ ନଟ୍ସ ସର୍ବାଧିକ ବେଗ ରହିଛି। ଏହାକୁ CEMILAC ପକ୍ଷରୁ ସାମରିକ ଟାଇପ୍ ସାର୍ଟିଫିକେଟ୍ ମଧ୍ୟ ମିଳିଛି।

