Latest Odisha News

BREAKING NEWS

Marco Rubio India Visit: ପ୍ରଥମେ କୋଲକାତା କାହିଁକି ଆସିଲେ ରୁବିଓ? ଆମେରିକାର ବୈଦେଶିକମନ୍ତ୍ରୀଙ୍କ ଭାରତ ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ନିଜର ପ୍ରଥମ ଭାରତ ଗସ୍ତରେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ପହଞ୍ଚିଛନ୍ତି। ଭାରତ-ଆମେରିକା ସମ୍ପର୍କକୁ ଦୃଷ୍ଟିରେ ରଖି ଏହି ଚାରି ଦିନିଆ ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କୋଲକାତାରେ ରୁବିଓଙ୍କ ସ୍ୱାଗତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତାଙ୍କ ଗସ୍ତ ପାଇଁ କୋଲକାତାର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। କୋଲକାତା ଗସ୍ତ ପରେ, ମାର୍କୋ ରୁବିଓ ଆଜି ନୂଆଦିଲ୍ଲୀ ମଧ୍ୟ ଯିବେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ରୁବିଓଙ୍କ ସହିତ ଆମେରିକୀୟ ରାଷ୍ଟ୍ରଦୂତ ସେର୍ଗିଓ ଗୋର୍ ମଧ୍ୟ ଅଛନ୍ତି।

ଖବରମୁତାବକ, ମାର୍କୋ ରୁବିଓ ଅପରାହ୍ନ ୧:୧୫ରେ ଦିଲ୍ଲୀରେ ପହଞ୍ଚିବା ପରେ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଏବଂ ସେବା ତୀର୍ଥରେ ବୈଠକ ଅନୁଷ୍ଠିତ ହେବ।

 

ଏକ ପୋଷ୍ଟରେ ଭାରତରେ ଆମେରିକା ରାଷ୍ଟ୍ରଦୂତ ସର୍ଗିଓ ଗୋର କହିଛନ୍ତି, “ସଚିବ ମାର୍କୋ ରୁବିଓ କୋଲକାତାରେ ପହଞ୍ଚିଛନ୍ତି । ଏହା ତାଙ୍କର ପ୍ରଥମ ଭାରତ ଗସ୍ତ । ଆଜି ଆମେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବୁ । ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, QUAD ଏବଂ ଅନ୍ୟାନ୍ୟ ଅନେକ ବିଷୟ ଉପରେ ଆଗାମୀ କିଛି ଦିନ ମଧ୍ୟରେ ଆଲୋଚନା ହେବ ।”

ସୂଚନାଥାଉକି, ଏହା ଆମେରିକାର ବୈଦେଶିକ ମନ୍ତ୍ରୀ ରୁବିଓଙ୍କ ପ୍ରଥମ ଭାରତ ଗସ୍ତ। ତାଙ୍କ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର ଆଶା କରାଯାଉଛି। ଏପରି ପରିସ୍ଥିତିରେ ମାର୍କୋ ରୁବିଓଙ୍କ ଏହି ଗସ୍ତ ଆଗାମୀ ସମୟରେ ଭାରତ-ଆମେରିକା ସମ୍ପର୍କକୁ ଏକ ନୂତନ ଦିଗଦର୍ଶନ ଦେଇପାରେ।

ଏପଟେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ଭାରତ ଗସ୍ତ ସମୟରେ କୋଲକାତା ଗସ୍ତ ବିଶେଷ ଭାବରେ ଚର୍ଚ୍ଚାରେ ରହିଛି । କାରଣ ଏକ ଦଶନ୍ଧିରୁ ଅଧିକ ସମୟ ପରେ ଜଣେ ଆମେରିକୀୟ ବିଦେଶ ସଚିବ ପଶ୍ଚିମବଙ୍ଗର ରାଜଧାନୀ ଗସ୍ତ କରିବେ।। ପୂର୍ବରୁ ମେ ୨୦୧୨ ରେ ତତ୍କାଳୀନ ଆମେରିକାର ବୈଦେଶିକ ମନ୍ତ୍ରୀ ହିଲାରୀ କ୍ଲିଣ୍ଟନ କୋଲକାତା ଗସ୍ତ କରିଥିଲେ, ଯେଉଁଠାରେ ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ।

ସୂଚନାଥାଉକି, କୋଲକାତାକୁ ଆମେରିକା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ କେନ୍ଦ୍ର ଭାବରେ ଦେଖେ। ଏଠାରେ ଥିବା ଆମେରିକୀୟ କନସୁଲେଟ୍ ହେଉଛି ଭାରତରେ ପ୍ରଥମ ଆମେରିକୀୟ କନସୁଲେଟ୍ ଏବଂ ବିଶ୍ୱର ସବୁଠାରୁ ପୁରୁଣା କନସୁଲେଟ୍ ମଧ୍ୟରୁ ଗୋଟିଏ। ଜୁଲାଇ ୨୦୧୬ରେ, ତତ୍କାଳୀନ ଉପ-ସଚିବ ଥମାସ ଏ. ଶାନନ ଜୁନିଅର ମଧ୍ୟ କୋଲକାତା ଗସ୍ତ କରିଥିଲେ। ସେ ସହରର ଐତିହାସିକ ଗୁରୁତ୍ୱ ଏବଂ ଭାରତରେ ଥିବା ସବୁଠାରୁ ପୁରୁଣା ଆମେରିକୀୟ କନସୁଲେଟର ଉପସ୍ଥିତିକୁ ଯାତ୍ରାର ପ୍ରମୁଖ କାରଣ ଭାବରେ ଉଲ୍ଲେଖ କରିଥିଲେ। କୋଲକାତାରେ ଥିବା ଆମେରିକୀୟ କନସୁଲେଟ୍ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ସିକିମ୍, ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ ଏବଂ ତ୍ରିପୁରା ସମେତ ୧୧ଟି ରାଜ୍ୟରେ ଆମେରିକୀୟ ସ୍ୱାର୍ଥର ତଦାରଖ କରେ।

Leave A Reply

Your email address will not be published.