ଜୀବନକୁ ବିପଦରେ ପକାଇ ଜୀବିକା; ତଥାପି ଖଣି ଓ ଇସ୍ପାତ କର୍ମଚାରୀଙ୍କୁ ନାହିଁ କୋଭିଡ୍ ସହାୟତା

ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ମହଲରେ ଭୟ
ପ୍ରଭାବୀ ଢଙ୍ଗରେ ପ୍ରତିବାଦ କରୁନାହାନ୍ତି ଶ୍ରମିକ ସଂଗଠନ
ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ପ୍ରତିଷ୍ଠା ଉପରେ ପ୍ରଶ୍ନବାଚୀ
କର୍ମଚାରୀଙ୍କ ଆସ୍ଥା ଫେରିବା ଜରୁରୀ

ରାଉରକେଲା: କରୋନାର ପ୍ରଥମ ଲହର ହେଉ କି ଏବେ ଚାଲିଥିବା ଦ୍ଵିତୀୟ ଲହର;  ଜୀବନକୁ ବିପଦରେ ପକାଇ ଇସ୍ପାତ ଓ ଖଣି କର୍ମଚାରୀମାନେ କାମ କରୁଛନ୍ତି। ଅତ୍ୟାବ୍ୟଶକ ସେବା ଭାବେ ବିବେଚନା କରି ଉଭୟ ଲହର ବେଳେ ଏହି କ୍ଷେତ୍ର ଖୋଲା ରହିଥିଲା। କୋଇଲା, ବିଦ୍ୟୁତ୍, ଇସ୍ପାତ, ସାର, ଶିଳ୍ପ ପାଇଁ ଆବଶ୍ୟକ କୋକ୍ କୋଲ୍,  ଥର୍ମାଲ କୋଲ୍, ଲାଇମଷ୍ଟୋନ, ଡୋଲୋମାଇଟ୍, ମାଙ୍ଗାନାଜି, କ୍ରୋମାଇଟ ଖଣି ସମେତ ପେଲେଟ୍ ଓ ଫେରୋଆଲଏ କାରଖାନା ଖୋଲା ରହିଥିଲା। କିନ୍ତୁ  ସରକାର ଏହି କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଟଙ୍କାଟିଏ ବି କୋଭିଡ୍ ସହାୟତା ଘୋଷଣା କରିନାହାନ୍ତି। ଯେତେବେଳେ ଅର୍ଥନୀତି ସମ୍ପୂର୍ଣ୍ଣ ଓଲଟାଗତିରେ ଚାଲିଥିଲା, ସେତେବେଳେ କୃଷି ଭଳି ଏମାନଙ୍କ ଅବଦାନ ଅର୍ଥନୀତିକୁ ଟିକେ ସଳଖିବାକୁ ଶକ୍ତି ଦେଇଥିଲା। ଗତ ବର୍ଷ  ଓଡ଼ିଶା ସରକାର ମହାମାରୀ ଆଇନ୍ ଜାରି କରିବା ସହ ଖଣି ପରିଚାଳନା ସମ୍ପର୍କିତ ସମସ୍ତ କାମକୁ ଏଥିରୁ ମୁକ୍ତ ରଖିଥିଲେ। ଏହି ଆଧାରରେ ରାଜ୍ୟରେ ଏ ସମ୍ପର୍କିତ ସମସ୍ତ କାମ ଉଭୟ ଲହରୀରେ ଚାଲୁ ରହିଥିଲା। ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ପରିଚାଳିତ ରାଉରକେଲା ଇସ୍ପାତ କାରଖାନା ମଧ୍ୟ ସେବେଠାରୁ ଚାଲୁ ରହିଛି। ସ୍ଥାୟୀ ଅସ୍ଥାୟୀ କର୍ମଚାରୀଙ୍କ ସମେତ ଦିନମଜୁରିଆ ବାଧ୍ୟ ହୋଇ କାମ କରିବାକୁ ଆସିଛନ୍ତି ଏବଂ ନିଜ ଜୀବନ ସମେତ, ପରିବାର ଓ ସମୁଦାୟକୁ  ବିପଦରେ ପକାଇଛନ୍ତି।

କୋଭିଡର ଉଭୟ ଲହରରେ ଷ୍ଟିଲ୍ ଅଥରିଟି ଅଧୀନରେ କାମ କରୁଥିବା ହଜାର ହଜାର କର୍ମଚାରୀ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୫୦ ଜଣ ପ୍ରାଣ ହରାଇଛନ୍ତି। କେବଳ ରାଉରକେଲା ଇସ୍ପାତ କାରଖାନାରୁ ୫୫ଜଣ ପ୍ରାଣ ହରାଇଛନ୍ତି। ଏମାନେ ସମସ୍ତେ ସେମାନଙ୍କ ପରିବାରର ଏକମାତ୍ର ରୋଜଗାରିଆ ହୋଇଥିଲେ ମଧ୍ୟ ଏମାନଙ୍କ ଅସୁବିଧା ଓ ଅଭାବ ପ୍ରତି ନା ସରକାର ନା ସେମାନଙ୍କ ବିଭାଗ; କେହି ଧ୍ୟାନ ଦେଇନାହାନ୍ତି। ବିଭିନ୍ନ ଶ୍ରମିକ ସଂଗଠନ କୋଭିଡ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଆସୁଛନ୍ତି। ମୃତକଙ୍କ ପରିବାରରୁ ଜଣକୁ ଚାକିରି ଏବଂ ପରିବାରକୁ ୫୦ ଲକ୍ଷର ଅନୁକମ୍ପା ରାଶି ପ୍ରଦାନ କରିବାକୁ ଦାବି ହୋଇଆସୁଥିଲେ ମଧ୍ୟ ସେଲ୍ କର୍ତ୍ତୃପକ୍ଷ ନ ଶୁଣିବା ଯୋଗୁ କର୍ମଚାରୀଙ୍କ ମହଲରେ ଭୟ ଖେଳିଯାଇଛି। ସେମାନଙ୍କର କିଛି ହୋଇଗଲେ ତାଙ୍କ ପରିବାର କଣ କରିବେ ସେ ଚିନ୍ତାରେ ଅଛନ୍ତି। ଖାଲି ସେତିକି ନୁହେଁ, ଶ୍ରମିକ ସଂଗଠନଗୁଡ଼ିକର ଉଦ୍ୟମକୁ ନେଇ ସେମାନେ ପ୍ରଶ୍ନଉଠାଇଛନ୍ତି। କାହିଁକି ସେମାନଙ୍କ ଦାବିକୁ ପ୍ରଭାବୀ ଢଙ୍ଗରେ ସଂଗଠନ ଉପସ୍ଥାପନ କରିପାରୁନି ବୋଲି ସେମାନଙ୍କ ମନରେ ପ୍ରଶ୍ନ।

ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ-ସେଲ୍ ନିଜର ୬୮ହଜାର କର୍ମଚାରୀଙ୍କ ପାଇଁ ବହୁତ ଜନମଙ୍ଗଳକାରୀ ପଦକ୍ଷେପ ନେଉଥିବା ଦାବି କରିଆସୁଛି।  ଏହାଛଡ଼ା ପାରିପାର୍ଶ୍ଵିକ ଉନ୍ନୟନ ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରୁଥିବା ଦାବି ମଧ୍ୟ କରିଆସୁଛି। ହେଲେ କର୍ମଚାରୀଙ୍କ ଏ ଖରାପ ସମୟରେ ସେଲ୍ କର୍ତ୍ତୃପକ୍ଷଙ୍କ ନିରବତା ‘ସେଲ୍’ର ଦୀର୍ଘ ଦିନର ପ୍ରତିଷ୍ଠା ଉପରେ ଏକ ବଡ଼ ପ୍ରଶ୍ନବାଚୀ ଲଗାଇଦେଇଛି। ଦେଶ ନିର୍ମାଣରେ ଲାଗିଥିବା ଏ ହଜାର ହଜାର କର୍ମଚାରୀ ଶ୍ରମିକ ଏବେ ଅଧିକ ଭୟଭୀତ ଅବସ୍ଥାରେ ଜୀବନ ବିତାଉଥିବା କହିଛନ୍ତି।

ଏସମା ଆଇନ୍ ଅନୁସାରେ କୋଇଲା, ବିଦ୍ୟୁତ୍, ଇସ୍ପାତ ଓ ସାର ଉତ୍ପାଦନକୁ ଜରୁରୀ ସେବାରେ ସ୍ଥାନୀତ ହୋଇଛି। ଏସମା ଲାଗୁ ହେଲେ ଏଠାରେ କାମ କରୁଥିବା କର୍ମଚାରୀମାନେ ଆନ୍ଦୋଳନ ବାହାନାରେ ଉତ୍ପାଦନ ବନ୍ଦ କରିପାରିବେ ନାହିଁ। ବୋଧ୍ ହୁଏ ଏହି ଆଇନ୍ ଏଭଳି ଅଭୂତପୂର୍ବ ପରିସ୍ଥିତିରେ ମଧ୍ୟ ଶ୍ରମିକ ସଂଗଠନଙ୍କ ସ୍ଵରକୁ ଦୁର୍ବଳ କରିଦେଇଛି।

ସେଲ୍ ୨୦୧୯-୨୦ରେ ୩୧୭୦ କୋଟି ଲାଭ କରିଥିବା ବେଳେ କରୋନା ମହାମାରୀରେ ପୂରା ଦେଶର ଅର୍ଥନୀତି ଠପ୍ ହୋଇଯାଇଥିବା ବେଳେ ଅ୍ଥାତ ୨୦୨୦-୨୧ ଆର୍ଥିକ ବର୍ଷରେ ୬ହଜାର କୋଟି ଟଙ୍କା ଲାଭ କରିଛି। ମହାମାରୀ ସମୟରେ ସଂସ୍ଥାକୁ ବିପୁଳ ଲାଭ ଅର୍ଜନରେ ସହଯୋଗ କରିଥିବା କର୍ମଚାରୀଙ୍କ ଜୀବନ ପ୍ରତି ସଂସ୍ଥା ଆଖିବୁଜିଦେବା କମ୍ପାନିର ପ୍ରତିଷ୍ଠା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏବେ କଣ କର୍ମଚାରୀଙ୍କ ଆସ୍ଥା ଫେରାଇ ଆଣିବା ପାଇଁ ପରିଚାଳନା କର୍ତ୍ତୃପକ୍ଷ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ଉଚିତ ନୁହେଁ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।