Latest Odisha News

BREAKING NEWS

Iran-US talk: ଶାନ୍ତ ହେଉନି ଇରାନ-ଆମେରିକା ଉତ୍ତେଜନା; ପରବର୍ତ୍ତୀ ଶାନ୍ତି ଆଲୋଚନା ପାଇଁ କାହିଁକି ରାଜି ନାହିଁ ତେହରାନ?

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଶାନ୍ତି କିଛି ଦିନ ବଜାୟ ରହିଛି କି ନାହିଁ, ପୁଣି ଇରାନ ଏବଂ ଆମେରିକା ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଛି । ଆମେରିକା ସହ ପରବର୍ତ୍ତୀ ପର୍ଯ୍ୟାୟର ଶାନ୍ତି ଆଲୋଚନାକୁ ଯିବାକୁ ଏବେ ପ୍ରସ୍ତୁତ ନୁହେଁ ଇରାନ। ଦେଶର ସଂସଦ ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ କହିଛନ୍ତି, ୧୪ ଦଫା ବୁଝାମଣା (MoU)ରେ ଆମେରିକା ଦେଇଥିବା ପ୍ରତିଶ୍ରୁତି ପୂରଣ ନହେବା ପର୍ଯ୍ୟନ୍ତ ତେହରାନ କୌଣସି ନୂଆ ପର୍ଯ୍ୟାୟର ଆଲୋଚନାରେ ଯୋଗ ଦେବ ନାହିଁ।

ଇରାନର ସରକାରୀ ସମ୍ବାଦ ସଂସ୍ଥା ISNAକୁ ଦେଇଥିବା ଟେଲିଭିଜନ ସାକ୍ଷାତକାରରେ ଗାଲିବାଫ କହିଛନ୍ତି ଯେ, ଇରାନର ପରମାଣୁ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ପରମାଣୁ ଅସ୍ତ୍ର ବିସ୍ତାର ରୋକ ଚୁକ୍ତି (NPT) ଅନୁଯାୟୀ ଚାଲୁଛି ଏବଂ ଏହା ଆନ୍ତର୍ଜାତିକ ପରମାଣୁ ଶକ୍ତି ଏଜେନ୍ସି (IAEA)ର ତତ୍ତ୍ୱାବଧାନରେ ରହିଛି।

ସେ କହିଛନ୍ତି, ୟୁରେନିୟମ୍ ସମୃଦ୍ଧିକରଣ (Enrichment) ଇରାନର ବୈଧ ଅଧିକାର। ଏହାକୁ ନେଇ ଇରାନର ଅଧିକାର ଓ ‘ରେଡ୍ ଲାଇନ୍’ କୌଣସି ପରିସ୍ଥିତିରେ ବୁଝାବଣାର ବିଷୟ ନୁହେଁ। ତାଙ୍କ କହିବା ଅନୁସାରେ, ଏହା ଇରାନର ଜାତୀୟ ସୁରକ୍ଷା ଓ ଶକ୍ତିର ମୂଳ ଆଧାର। ଗାଲିବାଫ କହିଛନ୍ତି, ୨୦୧୫ର ପରମାଣୁ ଚୁକ୍ତି JCPOA ଇରାନକୁ ଶିଖାଇଛି ଯେ, ଜାତିସଂଘ ସୁରକ୍ଷା ପରିଷଦର ଅନୁମୋଦନ ଥିଲେ ମଧ୍ୟ କୌଣସି ଚୁକ୍ତି ପାଳନ ହେବ ବୋଲି ନିଶ୍ଚିତତା ମିଳେନାହିଁ। ସେଥିପାଇଁ ଏଥର ଇରାନ କେବଳ ଲିଖିତ ଆଶ୍ୱାସନ ନୁହେଁ, ବାସ୍ତବ କାର୍ଯ୍ୟକାରିତାକୁ ଗୁରୁତ୍ୱ ଦେଉଛି।

ଗାଲିବାଫଙ୍କ କହିବା ଅନୁସାରେ, ୧୪ ଦଫା ବୁଝାମଣାର ପ୍ରଥମ ଧାରାରେ ଆମେରିକା ଲେବାନନରେ ଯୁଦ୍ଧ ବନ୍ଦ କରିବା, ସେନା ଅଭିଯାନ ରୋକିବା, ବିସ୍ଥାପିତ ଲୋକଙ୍କୁ ନିଜ ଘରକୁ ଫେରାଇବା ଏବଂ ଲେବାନନର ସାର୍ବଭୌମତ୍ୱକୁ ସୁନିଶ୍ଚିତ କରିବାକୁ ପ୍ରତିଶ୍ରୁତି ଦେଇଛି। ସେ କହିଛନ୍ତି, ଏହି ପ୍ରତିଶ୍ରୁତିର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ହେବା ପରେ ହିଁ ପରବର୍ତ୍ତୀ ପର୍ଯ୍ୟାୟର ଆଲୋଚନା ଆରମ୍ଭ ହେବ।

ଇରାନ କହିଛି ଯେ, ବୁଝାମଣା ଅନୁଯାୟୀ ହର୍ମୁଜ ପ୍ରଣାଳୀ (Strait of Hormuz) ଦେଇ ଜାହାଜ ଚଳାଚଳ ସୁରକ୍ଷିତ ରଖିବା ପାଇଁ ସେ ପ୍ରତିବଦ୍ଧ। କିନ୍ତୁ ଆମେରିକା ମଧ୍ୟ ସମାନ ଭାବରେ ନିଜ ପ୍ରତିଶ୍ରୁତି ପାଳନ କରିବା ଦରକାର ବୋଲି ଗାଲିବାଫ ଜୋର ଦେଇଛନ୍ତି । ଏମିତିକି ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଆମେରିକା ଯଦି ଚୁକ୍ତିର ସର୍ତ୍ତ ପାଳନ ନକରେ, ତେବେ ଇରାନ ଯୁଦ୍ଧ ପାଇଁ ମଧ୍ୟ ପ୍ରସ୍ତୁତ ବୋଲି ସେ ଚେତାବନୀ ଦେଇଛନ୍ତି।

ତାଙ୍କ କହିବା ଅନୁସାରେ, ଲେବାନନ ସମ୍ପର୍କିତ ବ୍ୟବସ୍ଥାଗୁଡ଼ିକର କାର୍ଯ୍ୟକାରିତା ଉପରେ ନଜର ରଖିବା ପାଇଁ ଇରାନ ଓ ଆମେରିକାର ପ୍ରତିନିଧିମାନଙ୍କୁ ନେଇ ଏକ ଯୁଗ୍ମ କମିଟି ଗଠନ କରାଯାଇଛି। ପାଞ୍ଚଟି ପ୍ରମୁଖ ସର୍ତ୍ତ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ନହେବା ପର୍ଯ୍ୟନ୍ତ ଅନ୍ୟ ଦଫାଗୁଡ଼ିକ ଉପରେ ଆଗକୁ ବଢ଼ାଯିବ ନାହିଁ।

Leave A Reply

Your email address will not be published.