Latest Odisha News

BREAKING NEWS

ଚର୍ଚ୍ଚାରେ ପାଟୀଦାର, ନେଇପାରନ୍ତି ସୂର୍ଯ୍ୟକୁମାରଙ୍କ ସ୍ଥାନ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଅଧିନାୟକ ରଜତ ପାଟୀଦାର ଉଭୟ ନେତୃତ୍ୱ ଦକ୍ଷତା ଏବଂ ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । କ୍ୱାଲିଫାୟର ୧ରେ ସେ ୩୩ ବଲରେ ବିସ୍ଫୋରକ ୯୩ ରନ କରିଥିଲେ । ତାଙ୍କ ପ୍ରଦର୍ଶନ ଯୋଗୁ ଆରସିବି ସହଜରେ ଫାଇନାଲରେ ପ୍ରବେଶ କରିଛି । ଗତ ସଂସ୍କରଣରେ ମଧ୍ୟ ସେ ପ୍ରଭାବିତ କରିଥିଲେ । ଏବେ ପାଟୀଦାରଙ୍କୁ ଟିମ ଇଣ୍ଡିଆରେ ସ୍ଥାନ ଦେବା ପାଇଁ ଆଲୋଚନା ଜୋର ଧରିଛି । ଏପରିକି ଟି୨୦ରେ ସେ ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନ ନେବା ପାଇଁ ଉପଯୁକ୍ତ ଖେଳାଳି ବୋଲି କୁହାଯାଉଛି । ଚଳିତ ସିଜନରେ ସେ ୧୩ ଇନିଂସରେ ୪୮୩ ରନ କରିଛନ୍ତି । ସମସ୍ତେ ତାଙ୍କ ନେତୃତ୍ୱ ଦକ୍ଷତାକୁ ପ୍ରଶଂସା କରୁଛନ୍ତି ।

ସୂର୍ଯ୍ୟକୁମାରଙ୍କ ଖରାପ ଫର୍ମ ତାଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ସମ୍ଭାବନା ରହିଛି । ଆସନ୍ତା ମାସରେ ଆୟର୍ଲାଣ୍ଡ ଓ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳର ଚୟନ କରାଯିବ । ପାଟୀଦାର ଦଳରେ ସ୍ଥାନ ପାଇବେ ବୋଲି ଅନେକ ବରିଷ୍ଠ ଖେଳାଳି ଆଶା ବ୍ୟକ୍ତ କରିଛନ୍ତି । ସ୍ପିନର୍ସଙ୍କ ବିପକ୍ଷରେ ତାଙ୍କ ପ୍ରଦର୍ଶନ ବେଶ ପ୍ରଶଂସନୀୟ ରହିଛି । କ୍ରିଜ ମଧ୍ୟରେ ରହି ସେ ଛକା ମାରିବା ଦକ୍ଷତା ରଖିଛନ୍ତି । ଯାହା ଅଧିକାଂଶ ଖେଳାଳିଙ୍କ କ୍ଷେତ୍ରରେ ଦେଖିବାକୁ ମିଳେନି । ଗୁଜରାଟ ବିପକ୍ଷରେ ସେ ୧୩ ବଲରେ ୨୧ ରନ କରିଥିଲେ । ଏହାର ପରବର୍ତୀ ୨୦ ବଲରେ ସେ ୭୨ ରନ ସଂଗ୍ରହ କରି ନେଇଥିଲେ । ସେ ଆଇପିଏଲରେ ଏ ପର୍ଯ୍ୟନ୍ତ ୫୨ ଇନିଂସରେ ୧୫୯୭ ରନ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୧୪ ଅର୍ଦ୍ଧଶତକ ସାମିଲ । ସେ ଟି୨୦ରେ ଓଭରାଲ ୧୦୫ ଇନିଂସରେ ୩୩୦୦ ରନ କରିଛନ୍ତି ।

Leave A Reply

Your email address will not be published.