Latest Odisha News

BREAKING NEWS

ଖରା ଛାଡ଼ିବ, ବର୍ଷା ଆସିବ! କେବେ ମିଳିବ ଆଶ୍ୱସ୍ତି?

ଭୁବନେଶ୍ୱର: ଗତ କିଛି ଦିନ ଧରି ଭୀଷଣ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରେ ସିଝୁଥିବା ଓଡ଼ିଶାବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର। ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ଦିନଗୁଡ଼ିକରେ ରାଜ୍ୟରେ କାଳବୈଶାଖୀର ପ୍ରଭାବ ବୃଦ୍ଧି ପାଇବ, ଯାହା ଫଳରେ ଦିନର ତାପମାତ୍ରା କ୍ରମଶଃ କମିବ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ରାଜ୍ୟରେ ଦୁଇଟି ପାଣିପାଗ ସ୍ଥିତି ଏକାଠି ଦେଖିବାକୁ ମିଳୁଛି। ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଏବେ ବି ହିଟୱେଭ୍ ବା ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ, ଅନ୍ୟପଟେ କାଳବୈଶାଖୀ ଜନିତ ବର୍ଷା ଓ ବଜ୍ରପାତ ପାଇଁ ଚେତାବନୀ ଜାରି କରାଯାଇଛି।

ଆଗାମୀ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ ଓ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବଜ୍ରପାତ ଓ ପବନର ବେଗ ବଢ଼ିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଏବେ ଯଦିଓ ବଲାଙ୍ଗୀର, ବୌଦ୍ଧ ଓ ସମ୍ବଲପୁର ଭଳି ଜିଲ୍ଲାରେ ତାପମାତ୍ରା ୪୪ ଡିଗ୍ରୀ ଉପରେ ରହୁଛି, କିନ୍ତୁ ଆଗାମୀ ୨-୩ ଦିନ ମଧ୍ୟରେ ଏଥିରେ ୨ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ଘଟିବ। ମୌସୁମୀର ଆଗମନ ପାଇଁ ବାତାବରଣ ଅନୁକୂଳ ହେଉଥିବାରୁ ରାଜ୍ୟରେ ଖୁବ୍‌ଶୀଘ୍ର ଗ୍ରୀଷ୍ମ ପ୍ରବାହରୁ ସମ୍ପୂର୍ଣ୍ଣ ମୁକ୍ତି ମିଳିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ସତର୍କତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି। ବିଶେଷକରି କାଳବୈଶାଖୀ ସମୟରେ ଘରୁ ବାହାରକୁ ନ ବାହାରିବା ଏବଂ ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ସାଧାରଣ ଜନତାଙ୍କୁ କୁହାଯାଇଛି।

Leave A Reply

Your email address will not be published.