Latest Odisha News

BREAKING NEWS

ମୋଦୀ ସରକାରଙ୍କ ବଡ ଆକ୍ସନ, ୫ବର୍ଷ ପାଇଁ ବ୍ୟାନ ହେଲା ୟାସୀନ ମଲ୍ଲିକଙ୍କ ବିଛିନ୍ନତାବାଦୀ ଦଳ

ନୂଆଦିଲ୍ଲୀ: କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କ ଦଳକୁ ବ୍ୟାନ କଲେ ମୋଦୀ । ଆଜି ନରେନ୍ଦ୍ର ମୋଦୀ ସରକାର ଘୋଷଣା କରିଛନ୍ତି ଯେ, ‘ଜାମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟ’ ପାଞ୍ଚ ବର୍ଷ ପାଇଁ ଏକ ‘ବେଆଇନ ସଂଗଠନ’ ହେବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ଏବଂ ବିଚ୍ଛିନ୍ନତାକୁ ପ୍ରୋତ୍ସାହିତ କରୁଥିବା କାର୍ଯ୍ୟରେ ବ୍ୟାନ ହୋଇଥିବା ଏହି ସଂଗଠନ ଜଡିତ ଅଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ସୁରକ୍ଷା, ସାର୍ବଭୌମତ୍ୱ ଏବଂ ଅଖଣ୍ଡତାକୁ ଚ୍ୟାଲେଞ୍ଜ କରୁଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଭୋଗିବାକୁ ପଡିବ। ଗୃହ ମନ୍ତ୍ରଣାଳୟ ୨୦୧୯ରେ ଆତଙ୍କବାଦ ବିରୋଧୀ ଆଇନ, ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ, ୧୯୬୭ (UAPA) ଅନୁଯାୟୀ ମଲ୍ଲିକଙ୍କ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏହି ପଦକ୍ଷେପ ନେବାର କିଛି ଦିନ ପୂର୍ବରୁ ସରକାର UAPA ର ଧାରା ୩ (୧) ଅନୁଯାୟୀ ଜମାତ-ଏ-ଇସଲାମି (JEI-J & K) ଉପରେ ପ୍ରତିବନ୍ଧକ ଲଗାଇଥିଲେ। ସମାନ ବିଭାଗ ଅଧୀନରେ JKLF ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଥିଲା ।

ଜାମ୍ମୁ କାଶ୍ମୀର ଲିବରେସନ୍ ଫ୍ରଣ୍ଟ ମୁଖ୍ୟ ୟାସିନ ମଲ୍ଲିକଙ୍କୁ ୟୁଏପିଏ ଏବଂ ଆଇପିସି ଅନୁଯାୟୀ ବିଭିନ୍ନ ଅପରାଧରେ ଦୋଷୀ ସାବ୍ୟସ୍ତ କରି ୨୪ ମଇ ୨୦୨୨ ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଚଳିତ ବର୍ଷ ଆରମ୍ଭରେ ଦିଲ୍ଲୀ ହାଇକୋର୍ଟରେ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଦେବାପାଇଁ ଏକ ଆବେଦନ କରିଥିଲା ​​।  ୨୦୧୭ ରେ ଆତଙ୍କବାଦୀ ୟାସୀନ ମଲ୍ଲିକ କାଶ୍ମୀରରେ ଆତଙ୍କବାଦ ଗତିବିଧିକୁ ପ୍ରୋତ୍ସାହିତ କରିବା ସହ ଅନ୍ୟ କିଛି ଗମ୍ଭୀର ଅପରାଧରେ ସଂପୃକ୍ତ ଥିବା ନେଇ ଅଭିଯୋଗ ହୋଇଥିଲା । କେବଳ ସେତିକି ନୁହେଁ ୟାସୀନ ମଲ୍ଳିକ ଜମ୍ମୁ-କାଶ୍ମୀରରେ ଯୁବକଙ୍କମାନଙ୍କୁ ଆତଙ୍କବାଦ ପ୍ରତି ଆକୃଷ୍ଟ କରିବା, ଜଣେ ବାୟୁସେନା ଅଧିକାରୀଙ୍କୁ ହତ୍ୟା କରିବା ସହ ଆତଙ୍କବାଦୀ ହାଫିଜ୍ ସଇଦ ସହ ସଂପର୍କ ରଖିବା ଭଳି ଗୁରୁତର ଅଭିଯୋଗ ରହିଥିଲା ।

୧୯୯୦ ମସିହାରେ ଘାଟିରେ ଆତଙ୍କୀ କାର୍ଯ୍ୟକଳାପ ତଥା ସ୍ବାଧୀନ କାଶ୍ମୀର ଦାବି କରି କାଶ୍ମୀର ଲିବରେସନ ଫ୍ରଣ୍ଟ ଗଠନ କରିଥିଲା ୟାସିନ । ପୋଲିସ, ସୁରକ୍ଷାକର୍ମୀ ଓ ଭାରତୀୟ ବାୟୁସେନାର ଅଧିକାରୀଙ୍କୁ ହତ୍ୟା କରିବା ପରି ସଙ୍ଗୀନ ମାମଲା ୟାସିନ ବିରୋଧରେ ରହିଛି । ତାକୁ ପ୍ରଥମେ ୧୯୯୦ ରେ ଗିରଫ କରାଯାଇଥିଲା । ୧୯୯୩ ରେ ସେ ଆତଙ୍କୀ କାର୍ଯ୍ୟକଳାପ ଛାଡି ରାଜନୀତିରେ ପ୍ରବେଶ କରିବା ସହ ଅଲ ପାର୍ଟି ହୁରିୟତ କନଫରେନ୍ସ ଗଠନ କରିଥିଲା ।ତେବେ ୟାସିନ ମଲ୍ଲିକ ପ୍ରଥମ କାଶ୍ମୀର ଯୁବକ ଯିଏ, ସୀମା ପାର ଶତ୍ରୁ ସହାୟତାରେ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପର ଧାରା ଆରମ୍ଭ କରିଥିଲା ।

ପରେ ସେ ଘାଟିରେ ଏକାଧିକ ଆକ୍ରମଣ ଓ ହତ୍ୟାକାଣ୍ଡରେ ମଧ୍ୟ ସାମିଲ ରହିଥିଲା । ୨୦୧୭ ମସିହାରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ବିଚ୍ଛିନ୍ନତାବାଦୀଙ୍କ ଉପରେ ସ୍ବତନ୍ତ୍ର ଅପରେସନ ଆରମ୍ଭ କରିଥିଲା । ପୂର୍ବରୁ ଗିରଫ ହୋଇ ଜାମିନରେ ଆସିଥିବା ମଲ୍ଲିକ ୨୦୧୯ ଏପ୍ରିଲ ୧୦ ତାରିଖରେ ଆତଙ୍କବାଦୀ ପାଣ୍ଠି ସଂଗ୍ରହରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୁଣି ଥରେ ଏନଆଇଏ ଦ୍ବାରା ଗିରଫ ହୋଇଥିଲା । ୟାସିନଙ୍କ ଜମ୍ମୁ-କାଶ୍ମୀର ଲିବରସେନ ଫ୍ରଣ୍ଟ ୨୦୧୬ ରେ ଅଲ ପାର୍ଟି ହୁରିୟତ କନଫରେନ୍ସ ସାମିଲ ହେବା ପରେ ବିଚ୍ଛିନ୍ନତାବାଦୀ ନେତାମାନେ ଘାଟିରେ ଭାରତ ବିରୋଧୀ ଚିନ୍ତାଧାରରେ ଯୁବକଙ୍କୁ ପ୍ରବର୍ତ୍ତାଇବା ସହ ଘାଟିରେ ସୁରକ୍ଷା ବଳ ଉପରେ ପଥର ମାଡ, ଭାରତ ବିରୋଧୀ ଆନ୍ଦୋଳନ ଆଦି ଆୟୋଜିତ କରିବାରେ ଲାଗିଥିଲେ । କାଶ୍ମୀରରେ ଅସ୍ଥିରତା ଓ ଆତଙ୍କ ସୃଷ୍ଟି କରିବାରେ ଏହି ବିଛିନ୍ନତାବାଦୀ ସଂଗଠନମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.