Latest Odisha News

BREAKING NEWS

ରୀତାଙ୍କ ହାତରୁ ମନ୍ତ୍ରୀ ପଦ କାଢ଼ି ସୁଶାନ୍ତ ସିଂଙ୍କୁ ପୁଣି ଦେବେ କି ନବୀନ ?

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ବରଗଡ଼ ବିଜେଡିରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି । ପଦ୍ମପୁରରେ ଦଳର ଐତିହାସିକ ବିଜୟ ପାଇଁ ବିଜେଡି ନେତା ଓ କର୍ମୀ ଭଟଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଶ୍ରେୟ ଦେଉଛନ୍ତି । କିନ୍ତୁ ଚର୍ଚ୍ଚା ଶ୍ରେୟରେ କୁଆଡ଼େ ସନ୍ତୁଷ୍ଟ ନୁହଁନ୍ତି ବିଧାୟକ ସୁଶାନ୍ତ ସିଂ । ସୁଶାନ୍ତ ସିଂ ମନ୍ତ୍ରୀପଦ ପାଇଁ ଅଡ଼ି ବସିଥିବା କୁହାଯାଉଛି ।

ଧାମନଗର ଉପନିର୍ବାଚନରେ ବିଜେଡିର ପରାଜୟ ପରେ ପଦ୍ମପୁରରେ ଭୁଲ୍ ଦୋହରାଇ ନଥିଲା ବିଜେଡି । ଦଳ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ପଦ୍ମପୁର ଉପନିର୍ବାଚନର ସମସ୍ତ ଦାୟିତ୍ୱ ନ୍ୟସ୍ତ କରିଥିଲା । ଖାଲି ପଦ୍ମପୁର କାହିଁକି ୨୦୧୯ ବିଜେପୁର ଉପନିର୍ବାଚନରେ ସୁଶାନ୍ତ ସିଂଙ୍କ ଗୋଟି ଚାଳନାରେ ବିରୋଧୀ ହାର୍ ମାନିଥିଲେ । ଏବେ ପଶ୍ଚିମ ଓଡ଼ିଶା ବିଶେଷକରି ବରଗଡ଼ ଜିଲ୍ଲାରେ ସୁଶାନ୍ତ ସିଂଙ୍କୁ ଗେମ୍ ଚେଞ୍ଜର କୁହାଯାଉଛି ।

ବିଜେପୁର ବିଧାୟିକା ତଥା ମନ୍ତ୍ରୀ ରୀତା ସାହୁଙ୍କ ବିଜୟ ପଛରେ ସୁଶାନ୍ତ ସିଂଙ୍କ ହାତ ରହିଥିବା ବେଳେ ରୀତା ମନ୍ତ୍ରୀ ରହିବାକୁ ହଜମ କରି ପାରୁ ନାହାଁନ୍ତି ସୁଶାନ୍ତଙ୍କ ସମର୍ଥକ । ୨୦୧୯ ନିର୍ବାଚନ ପରେ ସୁଶାନ୍ତ ସିଂ, ନବୀନଙ୍କ କ୍ୟାବିନେଟରେ ଶ୍ରମ ମନ୍ତ୍ରୀ ଥିଲେ । ସେତେବେଳେ ରୀତାଙ୍କ ନିର୍ବାଚନ ମଣ୍ଡଳୀ ବିଜେପୁରରେ ମଧ୍ୟ ସୁଶାନ୍ତ ସିଂଙ୍କ ଦବଦବା ଥିଲା । ବିଜେପୁରରେ କୌଣସି କାର୍ଯ୍ୟକ୍ରମ ହେଲେ ରୀତାଙ୍କ ସହ ମଞ୍ଚରେ ସୁଶାନ୍ତ ସିଂଙ୍କୁ ଦେଖିବାକୁ ମିଳୁଥିଲା ।

କିନ୍ତୁ ୨୦୨୨ ଜୁନ୍ ପ୍ରଥମ ସପ୍ତାହରେ ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ନବୀନ, ସୁଶାନ୍ତ ସିଂଙ୍କ ସ୍ଥାନରେ ବରଗଡ଼ ଜିଲ୍ଲାରୁ ରୀତାଙ୍କୁ ମନ୍ତ୍ରୀ କରିଥିଲେ । ସୁଶାନ୍ତ ସିଂଙ୍କୁ ବଲାଙ୍ଗିର ଓ ଦେବଗଡ଼ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଥିଲେ । ହେଲେ ରୀତା ମନ୍ତ୍ରୀ ହେବା ପରେ ସୁଶାନ୍ତ ସିଂଙ୍କୁ ଆଗଭଳି ସେତେଟା ଗୁରୁତ୍ୱ ଦେଉ ନଥିବା ଚର୍ଚ୍ଚା ହେଉଛି । ପୂର୍ବଭଳି ବିଜେପୁରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଗୋଟିଏ ମଞ୍ଚରେ ରୀତା ଓ ସୁଶାନ୍ତଙ୍କୁ ଦେଖିବାକୁ ମିଳୁ ନାହିଁ ।

ଯାହାକୁ ନେଇ ଚର୍ଚ୍ଚା ହେଉଛି, କୁଆଡ଼େ ଆଗଭଳି ସୁଶାନ୍ତ ଓ ରୀତାଙ୍କ ମଧ୍ୟରେ ପଡ଼ୁ ନାହିଁ । ମନ୍ତ୍ରୀ ହେବା ପରେ ରୀତାଙ୍କ ଗୁରୁତ୍ୱ ବଢ଼ୁଥିବାରୁ ସୁଶାନ୍ତ ସିଂଙ୍କ ସମର୍ଥକ ଚାହୁଁଛନ୍ତି ସେ ପୁଣି ମନ୍ତ୍ରୀ ହୁଅନ୍ତୁ । ତେବେ ଏନେଇ ସୁଶାନ୍ତ ସିଂ କିମ୍ବା ରୀତା ସାହୁ ଖୋଲାଖୋଲି କିଛି କହୁ ନଥିଲେ ମଧ୍ୟ ସମର୍ଥକ ଜଳୁଛନ୍ତି । ଏବେ ନଜର ୨୦୨୪ ସାଧାରଣ ନିର୍ବାଚନକୁ ଆଉ କେଇ ମାସ ବାକି ଥିବାବେଳେ ନବୀନ ଏବେ ସୁଶାନ୍ତଙ୍କୁ ଗିଫ୍ଟ ଦେବେ ନା ୨୪ ନିର୍ବାଚନ ଜିତିଲେ ପୁଣି ପୁରୁଣା ଫଣ୍ଡା ଆପଣାଇବେ ।

Leave A Reply

Your email address will not be published.