Latest Odisha News

BREAKING NEWS

ବିଜେପି ହାତରୁ ଖସୁଛି କ୍ଷମତା ! ୨୦୨୪ରେ ଶକ୍ତିଶାଳୀ ହେବେ କି ବିରୋଧୀ ?

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଆସିବା ପରେ ବିଜେପି ହାତରୁ ଆଉ ଏକ ରାଜ୍ୟ ଖସିଛି । ଏବେ ୧୫ ରାଜ୍ୟରେ ସରକାରରେ ଅଛି ବିଜେପି । ବହୁମତ ସହ ୬ ରାଜ୍ୟରେ ବିଜେପି କ୍ଷମତାରେ ଥିବା ବେଳେ ୯ ରାଜ୍ୟରେ ସହଯୋଗୀ ଦଳ ସହ ସରକାର ଚଳାଉଛି । ଉତ୍ତର-ପୂର୍ବ ରାଜ୍ୟରେ ବିଜେପିର ସର୍ବାଧିକ ଉପସ୍ଥିତି ରହିଥିବା ବେଳେ ଦକ୍ଷିଣ ଭାରତର କୌଣସି ରାଜ୍ୟରେ ସରକାର ନାହିଁ ।

୨୦୧୮ ମେରୁ ୨୦୨୩ ମେ ଗତ ୫ ବର୍ଷ ମଧ୍ୟରେ ଦେଶବ୍ୟାପୀ ୩୧ଟି ବିଧାନସଭା ନିର୍ବାଚନ ହୋଇଛି । ମାତ୍ର ୬ଟି ନିର୍ବାଚନରେ ବିଜେପିକୁ ପୂର୍ଣ୍ଣ ବହୁମତ ମିଳିଛି । ତଥାପି ବିଜେପି ଏବେ ୧୬ ରାଜ୍ୟରେ ଶାସନ କ୍ଷମତାରେ ରହିଛି ।

୨୦୧୮ ମେରୁ ଡିସମ୍ବର ମଧ୍ୟରେ ୬ଟି ରାଜ୍ୟରେ ନିର୍ବାଚନ ହୋଇଥିବା ବେଳେ କୌଣସି ଗୋଟିଏ ବି ରାଜ୍ୟରେ ବିଜେପିକୁ ବହୁମତ ମିଳି ନଥିଲା । ୨୦୧୮ରେ ଛତିଶଗଡ଼ରେ ହୋଇଥିବା ନିର୍ବାଚନରେ ମୋଟ ୯୦ ଆସନରୁ କଂଗ୍ରେସ ୬୮ଟି ଆସନ ଅକ୍ତିଆର କରି ସରକାର ଗଢ଼ିଥିଲା ।

ସେହିଭଳି କର୍ଣ୍ଣାଟକରେ ୨୨୨ଟି ଆସନରୁ ୧୦୪ଟି ଆସନ ଜିତି ବିଜେପି ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଥିଲା । ମିଜୋରାମରେ ମୋଟ ୪୦ ଆସନରୁ ୨୬ଟିରେ ଜିତିଥିଲା ମିଜୋ ନ୍ୟାସନାଲ୍ ଫ୍ରଣ୍ଟ । ରାଜସ୍ଥାନରେ ୨୦୦ଟି ଆସନରୁ ୯୯ଟି ଅକ୍ତିଆର କରିଥିଲା କଂଗ୍ରେସ । ତେଲଙ୍ଗାନାରେ ୧୧୯ ଆସନରୁ ୮୮ଟିରେ ବିଜୟୀ କେସିଆରଙ୍କ ତେଲଙ୍ଗାନା ରାଷ୍ଟ୍ର ସମିତି ସରକାର ଗଢ଼ିଥିଲା ।

ସଂଖ୍ୟା ଗରିଷ୍ଠତା ନଥାଇ କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରେ ବିଜେପି ଅନ୍ୟ ଦଳ ମଧ୍ୟରେ ବିଭାଜନ ସୃଷ୍ଟି କରି କ୍ଷମତାକୁ ଆସିଥିଲା । ସେହିଭଳି ୨୦୧୯ରେ ୭ଟି ରାଜ୍ୟରେ ନିର୍ବାଚନ ହୋଇଥିବା ବେଳେ କେବଳ ଅରୁଣାଚଳ ପ୍ରଦେଶରେ ବିଜେପିକୁ ବହୁମତ ମିଳିଥିଲା । ଅରୁଣାଚଳର ୬୦ଟି ଆସନରୁ ବିଜେପି ୪୧ଟି ଆସନକୁ ଅକ୍ତିଆର କରିଥିଲା । ହରିୟାଣାରେ ୯୦ ଆସନରୁ ବିଜେପି ୪୦ଟି ଜିତିବା ସହ ଅନ୍ୟ ଦଳ ସହ ମିଶି ସରକାର ଗଢ଼ିଛି ।

ମହାରାଷ୍ଟ୍ରର ୨୮୮ ଆସନରୁ ବିଜେପି ୧୦୫ଟି ଆସନ ଅକ୍ତିଆର କରିଥିବା ବେଳେ ବହୁମତ ହେଉଛି ୧୪୫ । ମହାରାଷ୍ଟ୍ରରେ ପ୍ରଥମେ ଶିବସେନା, କଂଗ୍ରସ ଓ ଏନସିପି ମେଣ୍ଟ ସରକାର ଗଢ଼ିଥିବା ବେଳେ ଶିବସେନାରେ ଫାଟ ସୃଷ୍ଟି କରି ବିଜେପି ଏବେ ସିନ୍ଦେ ଗୋଷ୍ଠୀ ସହ କ୍ଷମତା ରହିଛି । ୨୦୧୯ରେ ବିଜେପିକୁ ଗୋଟିଏ ରାଜ୍ୟରେ ବହୁମତ ମିଳିଥିବା ବେଳେ ୩ ରାଜ୍ୟରେ ସରକାର ଗଢ଼ିଥିଲା ।

୨୦୨୦ରେ ଦିଲ୍ଲୀ ଓ ବିହାର ବିଧାନସଭା ନିର୍ବାଚନ ହୋଇଥିବା ବେଳେ କେଉଁଠି ବି ବିଜେପିକୁ ବହୁମତ ମିଳି ନଥିଲା । ସେହିଭଳି ୨୦୨୧ରେ ଆସାମ, କେରଳ, ପୁଡୁଚେରି, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଆଦି ୫ ରାଜ୍ୟରେ ନିର୍ବାଚନ ହୋଇଥିବା କେଉଁଠି ବି ହାସଲ କରି ନଥିଲା ସଂଖ୍ୟା ଗରିଷ୍ଠତା । ପୁଡୁଚେରି ଓ ଆସାମରେ ବିଜେପି ଅନ୍ୟ ଦଳ ସହ ମିଶି ସରକାର ଗଠନ କରିଛି ।

୨୦୨୨ରେ ୭ରେ ରାଜ୍ୟରେ ନିର୍ବାଚନ ହୋଇଥିବା ବେଳେ ୪ଟି ରାଜ୍ୟରେ ବିଜେପିକୁ ବହୁମତ ମିଳିଥିଲା । ଗୋଆରେ ୪୦ ଆସନରୁ ବିଜେପି ୨୦ଟି ଜିତିଥିବା ବେଳେ ଗୁଜରାଟରେ ୧୮୨ରୁ ୧୫୬ଟି, ହିମାଚଳ ପ୍ରଦେଶରେ ୬୮ରୁ ୪୦ଟି, ମଣିପୁରରେ ୬୦ରୁ ୩୨ଟି, ୟୁପିରେ ୪୦୩ରୁ ୨୫୫ଟି, ଉତ୍ତରାଖଣ୍ଡରେ ୭୦ରୁ ୪୭ ଆସନ ଜିତିଥିଲା ବିଜେପି । ପଞ୍ଜାବରେ ୧୧୭ ଆସନରୁ ୯୨ଟି ଆସନ ଅକ୍ତିଆର କରିଥିଲା ଆମ୍ ଆଦମୀ ପାର୍ଟି ।

୨୦୨୩ରେ ୪ଟି ରାଜ୍ୟରେ ନିର୍ବାଚନ ହୋଇଥିବା ବେଳେ ବିଜେପି ଗୋଟିଏ ରାଜ୍ୟରେ ବହୁମତ ପାଇଛି । ତ୍ରିପୁରାରେ ୬୦ ଆସନରୁ ୩୨ଟିରେ ବିଜେପି ବିଜୟୀ ହୋଇଥିଲା । ନାଗାଲାଣ୍ଡରେ ୬୦ ଆସନରୁ ଏନଡିପିପି ୨୫ଟି ଜିତିଥିବା ବେଳେ ମେଘାଳୟରେ ୬୦ ଆସନରୁ ନ୍ୟାସନାଲ୍ ପିପୁଲ୍ସ ପାର୍ଟି ୨୬ଟି ଆସନ ଅକ୍ତିଆର କରିଥିଲା । କର୍ଣ୍ଣାଟକରେ ୨୨୪ ଆସନରୁ ୧୩୫ଟି ଆସନ ହାତେଇଛି କଂଗ୍ରେସ । ତ୍ରିପୁରାରେ ବିଜେପି ବହମୁତ ପାଇଥିବା ବେଳେ ମେଘାଳୟ ଓ ନାଗାଲାଣ୍ଡରେ ସହଯୋଗୀଙ୍କ ସହ ସରକାରରେ ଅଛି ।

ବିଗତ ୫ ବର୍ଷରେ ୩୧ ନିର୍ବାଚନ ହୋଇଥିବା ବେଳେ ବିଜେପି ବହୁମତ ସହ ୬ ରାଜ୍ୟରେ ସରକାର ଗଢିଥିବା ବେଳେ ୧୬ ରାଜ୍ୟରେ ସହଯୋଗୀଙ୍କ ସହ ଶାସନରେ ଅଛି । ମଧ୍ୟପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ବିଜେପି ଅନ୍ୟ ଦଳରେ ବିଭାଜନ ସୃଷ୍ଟି କରି କ୍ଷମତାକୁ ଆସିଥିଲା । ଏବେ ହୋଇଥିବା କର୍ଣ୍ଣାଟକ ନିର୍ବାଚନରେ ବିଜେପି ହାରିବା ସହ ଦକ୍ଷିଣ ଭାରତରେ ବିଜେପି କ୍ଷମତାଚ୍ୟୁତ୍ ହୋଇଛି ।

Leave A Reply

Your email address will not be published.