Latest Odisha News

BREAKING NEWS

୧୫ ସହରରେ ୪୨ ଉପରେ ପାରଦ, ଅଂଶୁଘାତରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର/କାମାକ୍ଷାନଗର: ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ପ୍ରବଳ ଖରାରେ ସିଜୁଥିବା ବେଳେ ଉପକୂଳରେ ଅସହ୍ୟ ଗୁଳୁଗୁଳି ହେଉଛି । ଆଜି ରାଜ୍ୟର ୧୫ ସହରରେ ପାରଦ ୪୨ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ବଲାଙ୍ଗିରରେ ରାଜ୍ୟର ସର୍ବାଧିକ ୪୪.୪ ଡିଗ୍ରୀ ରେକର୍ଡ ହୋଇଛି ।

ଟିଟିଲାଗଡ଼ରେ ପାରଦ ୪୪ ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡ଼ାରେ ୪୩.୬ ଡିଗ୍ରୀ, ଭବାନିପାଟଣାରେ ୪୩.୫ ଡିଗ୍ରୀ, ବୌଦ୍ଧ ଓ ସୋନପୁରରେ ୪୨.୯ ଡିଗ୍ରୀ, ଅନୁଗୁଳରେ ୪୨.୭ ଡିଗ୍ରୀ, ସୁନ୍ଦରଗଡ଼ରେ ୪୨.୪ ଡିଗ୍ରୀ, ରାଉରକେଲାରେ ୪୨.୨ ଡିଗ୍ରୀ, ବରଗଡ଼ରେ ୪୨.୧ ଡିଗ୍ରୀ, ତାଳଚେର, ନୂଆପଡ଼ା ଓ ନୟାଗଡ଼ରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଅନ୍ୟପଟେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁରେ ଅଂଶୁଘାତରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ବସୋଇ ଗାଁ ଶବର ସାହିର ବିଦ୍ୟାଧର ଦେହୁରୀ । ମଧ୍ୟାହ୍ନ ୨ଟା ସମୟରେ ବିଦ୍ୟାଧର ଶୌଚ ପାଇଁ ଘର ପାଖ ପଡ଼ିଆକୁ ଯାଇଥିବା ଟଳି ପଡ଼ିଥିଲେ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।

ପାଣିପାଗ ବିଭାଗ ଆକଳନ ଅନୁସାରେ, ଓଡ଼ିଶାରେ ଆସନ୍ତା ଦୁଇ ଦିନ ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦିନର ତାପମାତ୍ରା ୨ରୁ ୩ଡିଗ୍ରୀ ସେଲସିୟସ ଯାଏ ବୃଦ୍ଧି ପାଇବ । ପଶ୍ଚିମ, ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ପବନ, ବାୟୁମଣ୍ଡଳର ଆର୍ଦ୍ରତା କମିବା ପରେ ଏଭଳି ଅସହ୍ୟ ଗୁଳୁଗୁଳି ସହ ତାତି ବଢ଼ୁଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

Leave A Reply

Your email address will not be published.