Latest Odisha News

BREAKING NEWS

କାଠ ଆଣିବାକୁ ଯାଇ ତାମ୍ପରା ହ୍ରଦରେ ବୁଡ଼ିଲା ଡଙ୍ଗା: ଭାଉଜ ମୃତ, ନଣନ୍ଦ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟ ତାମ୍ପରା ହ୍ରଦରେ ଅଘଟଣ। ଏକ ଡଙ୍ଗାରେ କାଠ ସଂଗ୍ରହ କରି ଫେରୁଥିବା ବେଳେ ଡଙ୍ଗା ଓଲଟି ଭାଉଜଙ୍କ ମୃତ୍ୟୁ ଘଟିଥିବା ବେଳେ ନଣନ୍ଦ ଗୁରୁତର ଅଛନ୍ତି। ମୃତ ଭାଉଜ ହେଲେ ହୁମର ଗ୍ରାମର ପୁଷ୍ପା ବେହେରା ଓ ଗୁରୁତର ନଣନ୍ଦ ହେଉଛନ୍ତି ବନି ବେହେରା।

ସୂଚନା ଅନୁସାରେ, ପୁଷ୍ପା ଓ ବନି ତାମ୍ପରା ହ୍ରଦର ଅପରପକ୍ଷ ଝାଉଁ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ ପାଇଁ ଯାଇଥିଲେ। ଅପରାହ୍ନରେ କାଠ ଧରି ଡଙ୍ଗାରେ ଘରକୁ ଫେରୁଥିଲା ବେଳେ ଡଙ୍ଗାଟି ହ୍ରଦ ମଧ୍ୟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହାୟତାରେ ଉଭୟଙ୍କୁ ଖୋଜାଖୋଜି କରିବା ପରେ ପୁଷ୍ପାଙ୍କ ମୃତଦେହ ପାଇଥିଲେ।

ଚେତାଶୂନ୍ୟ ଅବସ୍ଥାରେ ବନିଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡଙ୍ଗାରେ ଥିବା ଚାଳକ ମଧ୍ୟ ସୁରକ୍ଷିତ ଉଦ୍ଧାର ହୋଇଥିଲା। ଅନ୍ୟପଟେ ଘଟଣାସ୍ଥଳରେ ଛତ୍ରପୁର ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

Leave A Reply

Your email address will not be published.