Latest Odisha News

BREAKING NEWS

ମହିଳା ବିଶ୍ୱକପ: ଶତକୀୟ ଇନିଂସ ଖେଳିଲେ ସ୍ମୃତି ଓ ହରମନପ୍ରୀତ୍

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ମହିଳା ବିଶ୍ୱକପରେ କମାଲ କଲେ ଭାରତୀୟ ଖେଳାଳି ସ୍ମୃତି ମାନ୍ଧାନା ଓ ହରମନପ୍ରୀତ କୌର । ଧୂଆଁଧାର ବ୍ୟାଟିଂ କରି ଶତକୀୟ ଇନିଂସ ଖେଳିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷରେ ବିଶାଳ ୩୧୮ରନ୍ ଟାର୍ଗେଟ ଠିଆ କରିଛି ଟିମ୍ ଇଣ୍ଡିଆ । ସ୍ମୃତି ମାନ୍ଧାନା ୧୧୯ ବଲରୁ ୧୨୯ ରନ୍ କରିଥିବା ବେଳେ ହରମନପ୍ରୀତ ୧୦୭ ବଲରୁ ପିଟିଛନ୍ତି ୧୦୯ ରନ୍ । ଏହା ଭିତରେ ରହିଛି ୨୩ ଚୌକା ଓ ୪ଟି ଛକା ।

ଚତୁର୍ଥ ୱିକେଟରେ ସ୍ମୃତି ଓ ହରମନପ୍ରୀତ ଯୋଡ଼ି ୧୮୪ ରନ୍ ପାର୍ଟନରସିପ୍ କରିଥିଲେ । ୭୮ ରନରେ ଭାରତ ୩ଟି ଓ୍ୱିକେଟ ହରାଇ ସଂକଟରେ ପଡ଼ିଥିବା ବେଳେ ବ୍ୟାଟିଂ ଭାର ସ୍ମୃତି ଓ ହରମନପ୍ରୀତ ସମ୍ଭାଳିଥିଲେ । ଟିମ୍ ଇଣ୍ଡିଆ ପାଇଁ ଏମାନେ ସର୍ବାଧିକ ୧୮୪ ରନ୍ ପାର୍ଟନସପିର୍ କରିଛନ୍ତି ।

ପ୍ରଥମ ଭାରତୀୟ ଭାବରେ ହରମନପ୍ରୀତ ବିଶ୍ୱକପରେ ୨ରୁ ଅଧିକ ଶତକ ମାରିଛନ୍ତି । ସ୍ମୃତି ମାନ୍ଧାନା ଓ ଅଧିନାୟିକା ମିତାଲି ରାଜ ଦୁଇଟି ଲେଖାଏ ବିଶ୍ୱକପ୍ ଶତକ ମାରିଛନ୍ତି । ଚଳିତ ବିଶ୍ୱକପରେ ସବୁଠୁ ଅଧିକ ରନ୍ କରିଥିବା ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି ହରମନପ୍ରୀତ । ଏଯାଏ ୩ଟି ମ୍ୟାଚରୁ ଗୋଟିଏ ଶତକ ଓ ଅର୍ଦ୍ଧଶତକ ବଳରେ ହାସଲ କରିଛନ୍ତି ୧୮୫ ରନ୍ ।

ସେପଟେ ଦିନିକିଆରେ ପଞ୍ଚମ ଶତକ ହାସଲ କରିଛନ୍ତି ସ୍ମୃତି ମାନ୍ଧାନା । ଚଳିତ ବିଶ୍ୱକପରେ ସେ ଭଲ ଫର୍ମରେ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ପିଟିଲେଣି । ସେ ୩ଟି ମ୍ୟାଚରେ ପିଟିଛନ୍ତି ୧୮୧ ରନ୍ । ଏଯାଏ ବିଶ୍ୱକପରେ ଭାରତର ଏହା ହେଉଛି ସର୍ବାଧିକ ୩୧୭ ରନ୍ ସ୍କୋର ।

Comments are closed, but trackbacks and pingbacks are open.