Latest Odisha News

BREAKING NEWS

ବିଶ୍ୱକପ: ସୂତା ଖିଅରେ ଝୁଲୁଛି ପାକିସ୍ତାନର ସେମିଫାଇନାଲ୍ ଆଶା

ଲଣ୍ଡନ: କ୍ରମାଗତ ତିନୋଟି ମ୍ୟାଚ ଜିତିଯିବା ପରେ ପାକିସ୍ତାନୀ ଫ୍ୟାନ୍ ବେଶ୍ ଉଲ୍ଲସିତ ହୋଇପଡ଼ିଥିଲେ ଯେ, ତାଙ୍କ ଦେଶ ସେମିଫାଇନାଲ୍ ଯିବା ନିଶ୍ଚିତ । ମାତ୍ର ଟୁର୍ଣ୍ଣାମେଣ୍ଟରେ ସମସ୍ତ ମ୍ୟାଚ୍ ଜିତିଆସୁଥିବା ଭାରତ ଇଂଲଣ୍ଡଠାରୁ ହଠାତ୍ ପରାସ୍ତ ହେବା ପରେ ପାକିସ୍ତାନର ସମସ୍ତ ସେମିଫାଇନାଲ୍ ସମୀକରଣ ଓଲଟପାଲଟ ହୋଇଯାଇଛି । ପାକିସ୍ତାନର ସେମିଫାଇନାଲ୍ ନିଶା ଭାଙ୍ଗିଯାଇଛି, କାରଣ ପାକିସ୍ତାନ ଆଜି ବାଂଲାଦେଶ ବିପକ୍ଷରେ ଖେଳିବାକୁ ଥିବା ମ୍ୟାଚରେ ଏକ ଅସମ୍ଭବ ଟାର୍ଗେଟର ସମ୍ମୁଖୀନ ହେବାକୁ ଯାଉଛି । ଯାହାକି କ୍ରିକେଟରେ ଏହା ଅସମ୍ଭବ ସାବ୍ୟସ୍ତ ହୋଇଥାଏ । ଆଜି ବାଂଲାଦେଶ ବନାମ ପାକିସ୍ତାନ ମ୍ୟାଚରେ ପାକିସ୍ତାନ ସହଜରେ ଜିତିଯାଇପାରେ ମାତ୍ର ମ୍ୟାଚର ସମୀକରଣ ଅଧିନାୟକ ସର୍ଫରାଜଙ୍କ ଟସ୍ ଜିତିବା ଉପରେ ମଧ୍ୟ ନିର୍ଭର କରୁଛି ।

ଏପର୍ଯ୍ୟନ୍ତ ୮ଟି ମ୍ୟାଚରୁ ୪ଟି ବିଜୟ ହାସଲ କରି ୯ ପଏଣ୍ଟ ସହ ତାଲିକାର ୫ମ ସ୍ଥାନରେ ରହିଛି ପାକିସ୍ତାନ । ଅବଶ୍ୟ ନ୍ୟୁଜିଲ୍ୟାଣ୍ଡ ମୋଟ ୯ଟି ମ୍ୟାଚରୁ ହାସଲ କରିଛି ୧୧ ପଏଣ୍ଟ । ଆଜି ପାକଦଳ ମ୍ୟାଚ ଜିତିଲେ ୪ର୍ଥ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ସହିତ ସମାନ ୧୧ ପଏଣ୍ଟ ହାସଲ କରିପାରିବ । ମାତ୍ର ନ୍ୟୁଜିଲାଣ୍ଡର ହାରାହାରି ରନରେଟ ୦.୧୭୫ ରହିଛି । ଏହି ରନରେଟକୁ ଅତିକ୍ରମ କରି ସେମିଫାଇନାଲ୍ ଖେଳିବା ପାକିସ୍ତାନ ଲାଗି ଦୂରୁହ ବ୍ୟାପାର । କାରଣ ଏହାକୁ ହାସଲ କରିବାକୁ ହେଲେ ପାକିସ୍ତାନ ଦଳକୁ ଅସମ୍ଭବ ମନେ ହେଉଥିବା ରନ ସଂଗ୍ରହ କରିବା ସହିତ ବିପକ୍ଷ ବାଂଲାଦଳକୁ ଅଧିକ ରନରେ ପରାସ୍ତ କରିବାକୁ ପଡ଼ିବ ।

ଯଦି ଆଜିର ମ୍ୟାଚରେ ପାକିସ୍ତାନ ଟସରେ ହାରି ପ୍ରଥମେ ବ୍ୟାଟିଂ ସୁଯୋଗ ନ’ପାଏ ତେବେ ପାକିସ୍ତାନ ଲାଗି ସେଉଠୁ ସମସ୍ତ ସମୀକରଣ ସମାପ୍ତ ଘଟିବ ।

ପ୍ରଥମତଃ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୩୫୦ ରନରୁ ଅଧିକ ରନ ସଂଗ୍ରହ କରିବାକୁ ପଡ଼ିବ ଏବଂ ବାଂଲାଦଳକୁ ପ୍ରାୟ ୬୦ ରନ ମଧ୍ୟରେ ଅଲଆଉଟ କରିବାକୁ ପଡ଼ିବ । ବାଂଲାଦଳ ଆଉ ଦୁର୍ବଳ ଦଳ ହୋଇ ରହିନାହିଁ । ବିଶ୍ୱକର ଯେକୌଣସି ଦଳକୁ ଚ୍ୟାଲେଞ୍ଜ୍ ଦେବା ଭଳି ଏବେ ଏହି ଦଳ ବିଶ୍ୱକପରେ ପ୍ରତିଦ୍ୱନ୍ଦ୍ୱିତା କରୁଛି ।

ସେପଟେ ଅଷ୍ଟ୍ରେଲିଆ ୧୪ ପଏଣ୍ଟ ସହିତ ୧ମ ସ୍ଥାନରେ, ଭାରତ ୧୩ ପଏଣ୍ଟ ସହିତ ୨ୟ ସ୍ଥାନରେ ଏବଂ ଇଂଲଣ୍ଡ ଦଳ ୧୨ ପଏଣ୍ଟ ସହିତ ୩ୟ ସ୍ଥାନରେ ରହିଛି । ନ୍ୟୁଜିଲାଣ୍ଡ ୧୧ ପଏଣ୍ଟ ସହିତ ୪ର୍ଥ ସ୍ଥାନରେ ଥିଲେ ମଧ୍ୟ ଭଲ ରନରେଟ୍ ହାସଲ କରିଛି ଯାହାକି ପାକିସ୍ତାନ ଲାଗି ଅସୁବିଧା ସୃଷ୍ଟି କରିଛି ।

ପାକିସ୍ତାନ ଦଳ ଗତ କିଛି ମ୍ୟାଚ ଭଲ ଖେଳିଆସୁଥିବା ବେଳେ ପାକିସ୍ତାନୀ କ୍ରିକେଟପ୍ରେମୀ ଭାରତଠୁଁ ହାରିବାର ପରାଜୟ ଗ୍ଲାନୀ ଭୁଲିବାକୁ ଚେଷ୍ଟା କରୁଥିଲେ । ମାତ୍ର ଆଜିର ମ୍ୟାଚରେ ହିଁ ପାକିସ୍ତାନ ପ୍ରତିଯୋଗିତାରୁ ବିଦାୟ ନେବା ନିଶ୍ଚିତ ଜାଣିବା ପରେ ପାକ୍ କ୍ରିକେଟପ୍ରେମୀ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ।

Leave A Reply

Your email address will not be published.