Latest Odisha News

BREAKING NEWS

ଟିବି ହାରିବ, ଦେଶ ଜିତିବ…

ଯକ୍ଷ୍ମା ବା ଟିବି, ଆପଣ ନିଶ୍ଚିତ ଶୁଣିଥିବେ । ଆଉ ଏକଥା ବି ଜାଣିନିଅନ୍ତୁ, ଭାରତରେ ଦୈନିକ ପ୍ରାୟ ୧୨୦୦ ଲୋକଙ୍କ ଜୀବନ ନେଉଛି ଏହି ଯକ୍ଷ୍ମା । ଧନୀଠୁ ଗରୀବ, ଶିକ୍ଷିତଠୁ ଟିପ ଦିଆ ବ୍ୟକ୍ତି ବିଶେଷ କାହାକୁ ବାଛ ବିଚାର କରେନି ଯକ୍ଷ୍ମା ।

ଗୋଟେ ଦୁର୍ଗମ ଗାଁର କଥା । ରଶ୍ମୀ କୁ ମନେ ମନେ ଭଲ ପାଇ ବସିଲେ ରମେଶ । ଅନେକଥର ଚେଷ୍ଟା କରିଛି ମନର କଥା କହିଦେବ, କିନ୍ତୁ ଗାଁରେ ତ ଚାରିଆଡେ ଲୋକେ , କହିବ କିପରି ? ଏକାନ୍ତ ମୁହୁର୍ତ୍ତ ତ ବିଲ୍‌କୁଲ୍ ବି ମିଳୁନି । ରଶ୍ମୀ ଯେବେ ବି ଗାଁ ହାଟକୁ ଆସେ ତା ସହିତ ଥାନ୍ତି ତାର ଭାଉଜ, ସେ ବି ସବୁବେଳେ ରଶ୍ମୀକୁ ପାଖାପାଖିରେ ରଖିଥାନ୍ତି, କିନ୍ତୁ ରମେଶର ଚାହାଣୀକୁ ବାରି ପାରିଥିଲା ରଶ୍ମୀ । ସେ ବି ମଉକା ଖୋଜେ କିନ୍ତୁ ସୁଯୋଗ ପାଏନାହିଁ । ଏହାରି ଭିତରେ କିଛି ମାସ ବିତି ଯାଇଛି । ଅଚାନକ ଗୋଟିଏ ବସ୍‌ରେ ଦେଖା ହେଲେ ଦୁହେଁ । ଆଜି କିନ୍ତୁ ଭାଉଜ ନାହାଁନ୍ତି । ରଶ୍ମୀ ଗୋଟେ କୁନି ଝିଅକୁ ଧରି ବସିଥାଏ । ପାଖ ସିଟ୍ ଟା ଫାଙ୍କା, ଡର ଲାଗିଲେ ବି ରମେଶ ସାହାସ ଜୁଟେଇ ପଚାରିଲା ।

ଆଜି କଣ ଏକା, ଭାଉଜ କୁଆଡେ ଗଲେ ?
ଭାଉଜ ତାଙ୍କ ଗାଁକୁ ଯାଇଛନ୍ତି । ସାନ ଝିଅକୁ ନେଇ କି ଯାଇଛନ୍ତି । ବଡ ଝିଅ ସେତେବେଳେ ଗଲା ନାହିଁ, କହିଲା ଗାଁରେ ଜେଜେ ମାଁଙ୍କ ପାଖରେ ରହିବି । ଆଉ କାଲିଠୁ ଜିଦି ଧରିଛି ମାଆ ପାଖକୁ ଯିବି । ମୋ ବୋଉ କହିଲା ଯେ, ଛୁଆକୁ ତା ମାଆ ପାଖରେ ଛାଡି ଆସ । ମୁହଁ କୁ ପୋତି, ଏତିକି କହିଲା ରଶ୍ମୀ ।
ଓ…. ହୋ ।

ଯା ହେଉ ଆଜି ଶେଷ ମୌକା, କହି ଦେ ରମେଶ, ଆଉ ମୌକା ମିଳିବ କି ନାହିଁ । ଚିନ୍ତା ମଗ୍ନ ହୋଇ ଏମିତି ଭାବୁଥାଏ ରମେଶ ।

କଣ ଚୁପ୍ ହୋଇଗଲ, ଚିନ୍ତା ମଗ୍ନ ହୋଇଗଲ, ପଚାରିଲା ରଶ୍ମୀ ।

କଥା ଟି କଣ କି , ନା ନା କିଛି ନୁହେଁ … ହଁ ନନନ…. ରମେଶର ବାର ବାଜିଗଲା ।
ମୁରୁକି ହସିଲା ରଶ୍ମୀ । ଡ୍ରାଇଭର ଭାଇ ପାଖରେ ଥିବା ମିରରରେ ଦିଶୁଥିଲା ରଶ୍ମୀର ସ୍ମାଇଲିଙ୍ଗ ଫେସ୍ ।

କଣ ହସୁଛ ମ, ରମେଶ ଜୋରରେ କହିଲା । ହଁ ମୁ ତୁମକୁ ପ୍ରସ୍ତାବ ପଠାଇଥାନ୍ତି । କହିବାର ତ ସୁଯୋଗ ନଥିଲା । ଏଇ ତୁମ ବୁଢ଼ୀ ଭାଉଜ ପାଇଁ । ତୁମେ ରାଜି ତ ରଶ୍ମୀ? ମୁଁ ଆଗ ଛକରେ ଓହ୍ଲେଇବି । ରାସ୍ଥାକୁ ଚାହିଁ ଲାଜରେ କହିଲା ଝିଅ । ଆଉ ବସ୍‌ରୁ ଓହ୍ଲୋଇଲା ବେଳେ କହିଲା ଗୁଡ୍‌ଲକ୍ । ରମେଶ ପ୍ରସ୍ତାବ ପଠେଇଲା । ଆଉ ବାହାଘର ସରିଗଲା । କିଛି ବର୍ଷ ପରେ ଦୁହେଁ ବାପା ମା ହେଲେ । ପରିବାରରେ ଖୁସି ହିଁ ଖୁସି । ଦୁଇ ପିଲା, ବାପା ମା ଏବଂ ସ୍ତ୍ରୀକୁ ନେଇ ରମେଶର ପରିବାର । ଗରିବ ଥିଲେ ବି ଝାଟି ମାଟି ଘରେ ଶାନ୍ତି ଆଉ ଖୁସିରେ ଥିଲା ପରିବାର । ରମେଶ ଯୋଡାରେ ଥିଲା ବେଳେ ଏକ ମାଇନିଙ୍ଗ୍ କମ୍ପାନୀରେ ଶ୍ରମିକ ଭାବେ କାମ କରେ । କିଛି ଦିନ ଲଗାତର କାଶ । ସନ୍ଧ୍ୟା ସମୟରେ ଜ୍ୱର, ଓଜନ କମୁଛି, ଭୋକ ବି ହେଉନି, ଧିରେ ଧିରେ ଦୁର୍ବଳ ହୋଇ ଗଲାଣି । ଔଷଧ ଦୋକାନରୁ ଔଷଧ ନେଲା ମାତ୍ରେ ଠିକ୍ ହେଲାନି । କାମ କରି ପାରୁ ନଥିବାରୁ ଚାକିରି ବି ଗଲା । କମ୍ପାନୀ ବି ଚାକିରିରୁ କାଢି ଦେଲା । ଏପଟେ ବେରୋଜଗାର, ସେପଟେ ଏଭଳି ଅବସ୍ଥାରେ ଗାଁକୁ ଫେରିଲା ରମେଶ ।

ଆରେ ଇଏ କଣ, ତୁମର ଏ ଅବସ୍ଥା? କଳାକାଠ ପଡିଗଲଣି । ଶୁଖି ସାଖି ଗଲଣି । ହଉ ଡର ନାହିଁ । ଆମ ଗାଁ ବାବା ଅନେକ ରୋଗ ଭଲ କରନ୍ତି । ତାଙ୍କ ପାଖକୁ ଯିବା । ଏମିତି ଆରମ୍ଭ ହେଲା ଚିକିତ୍ସା । ମାସେ ପାର ହେଲା ରୋଗ ଭଲ ହେଉନି । ଗାଁର ଆଶା ଦିଦିଙ୍କୁ କାନ୍ଦି ପଚାରିଲା ରଶ୍ମୀ । ଦିଦି କଫ ନେଇ ଆସିଲେ ଆଉ ଖବର ଦେଲେ ଟିବି ହୋଇଛି ରମେଶକୁ । ତୁରନ୍ତ ହସ୍ପିଟାଲ ନେବା ପାଇଁ ପରାମର୍ଶ ଦେଲେ । ଗାଁ ଠୁ ବହୁ ଦୂରରେ ଡାକ୍ତରଖାନା । ରଶ୍ମୀ ସ୍ୱାମୀକୁ ଧରି ବାହାରିଲା ସହରର ବଡ ହସ୍ପିଟାଲ । ଏଠି ଆଡମିସନ ହୋଇଗଲା ।

ପ୍ରାୟ ଦୁଇ ମାସ ହୋଇଗଲା । ଡାକ୍ତର କହୁଛନ୍ତି ରୋଗୀର ବହୁତ ଖରାପ ଅବସ୍ଥା । କିଛି କହି ହେବ ନାହିଁ । ବହୁତ ଡେରି ହୋଇଯାଇଛି ।

ଯାହା କରନ୍ତୁ ପଛେ ଡାକ୍ତର ବାବୁ ମୋ ସ୍ବାମୀଙ୍କୁ ବଂଚେଇ ଦିଅନ୍ତୁ । କାଶିକାଶି କହିଲା ରଶ୍ମୀ ।
ଆରେ ତୁମେ ବି କଫ ପରୀକ୍ଷା କର । କହିଲେ ଡାକ୍ତର ବାବୁ । ପରୀକ୍ଷା ପରେ ଜଣାପଡିଲା ଯେ ରଶ୍ମୀବି ଟିବିରେ ଆକ୍ରାନ୍ତ । ଡାକ୍ତର ତାଙ୍କୁ ମହିଳା ୱାର୍ଡରେ ଭର୍ତ୍ତି କରିଦେଲେ। ଜଣେ ପୁରୁଷ ୱାର୍ଡରେ ଆଉ ଜଣେ ମହିଳା ୱାର୍ଡରେ ଭର୍ତ୍ତି ହେଲେ । ରମେଶଙ୍କ ଦାଦାପୁଅ ଭାଇ ଜଗିଥାଏ । ମାନଶିକ ସ୍ତରରେ ଦୁର୍ବଳ ହୋଇଚାଲି ଥାଏ ରମେଶ । ଯଦି ହସ୍ପିଟାଲରେ ମରେ ତା ହେଲେ ରଶ୍ମୀ ସମ୍ଭାଳି ପାରିବନି । ତାର ଚିକିତ୍ସାରେ ବି ବଡ ଅସୁବିଧା ହେବ । ଏମିତି ଭାବି ଭାବି ଚୁପ୍ ସେ ଡିସଚାର୍ଜ ନେଇ ଗାଁକୁ ପଳେଇଲା ଆଉ ଗାଁରେ ପହଂଚି ଫୋନ କଲା ରଶ୍ମୀକୁ । ତୁମେ ଡରିବନି, ଭଲରେ ରହିବ, ନିଜ ଯତ୍ନ ନେବ । ମୁଁ ଗାଁକୁ ଆସିଛି, କିଛ ଦିନ ପରେ ପୁଣି ଯିବି ।

ଏ କି କଲ ତୁମେ?? ଦେହ ଭଲ ନାହିଁ ପରା ତମର । ଗାଁ କୁ କାହିଁକି ଗଲ । କାନ୍ଦି କାନ୍ଦି କହିଲା ରଶ୍ମୀ ।

ମୋ ଗେହ୍ଲିଟା ଚୁପ୍ ହୋଇ ଯା, କଷ୍ଟକୁ ଲୁଚେଇ କହିଲା ରମେଶ ।
ଆଉ ଫୋନ ରଖିଦେଲା । କିଛି ଦିନ ଯାଏଁ ଉଭୟ ଥରେ ଦୁଇ ଥର ଫୋନ ରେ କଥା ହୁଅନ୍ତି । ଦିନେ ଅଧା ରାତିରେ କାଶି କାଶି ଉଠିଲା ରମେଶ, ମୋବାଇଲରେ ଲେଖିଲା ମେସେଜ ଆଉ ପଠେଇ ଦେଲା ତାର ଗେହ୍ଲି ପାଖକୁ । ଆଉ ରାତି ପାହିଲା ବେଳକୁ ଟ୍ରେନ ଲାଇନରୁ ମିଳିଲା ରମେଶର ଦୁଇ ଖଣ୍ଡ କଟା ଶରୀର ।

ଗାଁ ଲୋକ ଜଣେଇଲେ ରଶ୍ମୀକୁ । ରଶ୍ମୀକୁ ଗଲା ଫୋନ କଲ । ରମେଶର ମୃତ୍ୟୁ ଖବର ମିଳିଲା । ଏହି କଥା ଶୁଣି ରଶ୍ମୀ ପାଦରୁ ଖସିଗଲା ମାଟି । ଫୋନ ରଖି ମେଜେସ ବକ୍ସ ଖୋଲିଲା ।
ଲେଖା ଥିଲା -‘ଗେହ୍ଲି ମୁଁ ଆଉ କଷ୍ଟ ସହି ପାରିଲିନି । ମତେ କ୍ଷମା କରିଦେବ । ନିଜର ଆଉ ପିଲାଙ୍କ ଯତ୍ନ ନେବ । ଏଲଆଇସିର ଛୋଟିଆ ପଲିସି କରିଛି । ତୁମକୁ ନୋମିନି କରିଛି । ବାକ୍ସରେ ଅଛି କାଗଜ । ମୋ ଭଲପାଇବାର ରାଣ । ତୁମେ ବଂଚିବ ଆଉ ଟିବି ବିରୋଧରେ କାମ କରିବ । ଆଉ ଦେଖିବ ୨୦୨୫ ସୁଦ୍ଧା ଟିବି ହାରିବ ଆଉ ଦେଶ ଜିତିବ ।

(ଲେଖକ ଜଣେ ସାମାଜିକ କର୍ମୀ)

Leave A Reply

Your email address will not be published.