Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଜଳ ବିହୁନେ ସର୍ବନାଶ, ଜଳ ବହୁଳେ ସର୍ବନାଶ: ଜୀବନ ପାଇଁ ଜଳ ଜରୁରୀ

ଜଳ ହିଁ ଜୀବନ। ଜଳ ବିନା ଆମ ବଞ୍ଚିବା ଅସମ୍ଭବପର । କଥାରେ ଅଛି ଜଳ ବିହୁନେ ସର୍ବନାଶ , ଜଳ ବହୁଳେ ସର୍ବନାଶ । ବିନା ଜଳରେ ଦୂବ ବି କଇଁଳିବା ଅସମ୍ଭବ । ଜଳ ଅଛି ମାନେ, ଜୀବନ ରହିଛି । ଜୀବନ ପାଇଁ ଜଳର ମୂଲ୍ୟ ଅତି ଜରୁରୀ । ପୃଥିବୀର ପ୍ରାୟ ୭୧.୪ ପ୍ରତିଶତ ଜଳପୂର୍ଣ୍ଣ ଅଟେ । କିନ୍ତୁ ଯେ ୨୦୨୫ ସୁଦ୍ଧା ବିଶ୍ୱର ଅର୍ଦ୍ଧାଧିକ ଲୋକେ ଯଥେଷ୍ଟ ଜଳ ପାଇବେ ନାହିଁ ।

ପ୍ରତିବର୍ଷ ମାର୍ଚ୍ଚ ୨୨ ତରିଖକୁ ବିଶ୍ୱ ଜଳ ଦିବସ ଭାବେ ପାଳନ କରାଯାଇ ଆସୁଛି । ବିଶ୍ୱର ସମସ୍ତ ବିକଶିତ ଦେଶରେ ସ୍ୱଚ୍ଛ ଏବଂ ସୁରକ୍ଷିତ ଜଳ ଉପଲବ୍ଧ କରାଇବା ସହ ଜଳ ସଂରକ୍ଷଣର ମହତ୍ତ୍ୱ ତଥା ଆବଶ୍ୟକତା ବିଷୟରେ ଜନ ସଚେତନତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ ।  ଆଜି ସାରା ବିଶ୍ୱ ପାଳୁଛି ଜଳ ଦିବସ । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଲୋକଙ୍କୁ ମୁନ୍ଦାଏ ପାଣି ଯୋଗାଡ଼ ପାଇଁ କେଉଁଠି ପାହାଡ଼ ପାର ହେବାକୁ ପଡୁଛି ତ କେଉଁଠି ଚୁଆ ପାଣିରେ ଶୋଷ ମରୁଛି । ମୁନ୍ଦାଏ ସ୍ଵଛ ଜଳ ଯୋଗାଇବା ପାଇଁ ସରକାରୀ ପ୍ରତିଶ୍ରୁତି ପାଣିରେ ଗାର ପାଲଟିଛି ।

ଜଳ ମୁନ୍ଦାଏ ଯୋଗାଡ଼ ପାଇଁ ଦହଗଞ୍ଜ ହେଉଛି ମଣିଷ । ପାଣି ପାଇଁ ପାର ହେବାକୁ ପଡୁଛି ପାହାଡ଼ ଆଉ  ଜଙ୍ଗଲ । ଗାଁ ଠାରୁ ଦୂରରେ ଥିବା ଖୋଳା କୂଅରୁ ଜଳ ଯୋଗାଡ଼ କଲେ ମେଣ୍ଟୁଛି  ଶୋଷ । କୂଅ ନିକଟରେ  ତାଟିଆ ତାଟିଆ କରି ମାଠିଆରେ  ଜଳ ଭରୁଥିବାର  ଅଭାବନୀୟ  ଦୃଶ୍ୟ ଦେଖିବାକୁ ମିଳୁଛି  ।  

ବିଭିନ୍ନ ସ୍ଥାନରେ ଜଳ ଯନ୍ତ୍ରଣାର ଚିତ୍ର  ।  କୋଟି  କୋଟି ଟଙ୍କାର ସ୍ଵଜଳଧାରା ଯୋଜନା ଅଟକି ରହିଛି । ଦ୍ୱାର ମୁହଁରେ ପାନୀୟ ଜଳ ଯୋଗାଣର ସରକାରୀ  ପ୍ରତିଶ୍ରୁତି ଏବେ ବି ପାଣିରେ ଗାର ପାଲଟିଛି । ପ୍ରଦୂଷିତ ଜଳ ଦୂରରୁ ସଂଗ୍ରହ କରି ଶୋଷ ମେଣ୍ଟୁଥିବା ବେଳେ ଯୋଜନ ଦୂରରେ ଅଟକିଛି ବହୁ ଜଳ ଯୋଗାଣ ଯୋଜନା ।

ଜନସଂଖ୍ୟା ବୃଦ୍ଧି ଯୋଗୁଁ ବିଶ୍ୱ, ଦେଶ ଓ ରାଜ୍ୟରେ ଜଳ ସଙ୍କଟ ଦେଖାଦେଲାଣି। ଆମ ରାଜ୍ୟର ଅନେକ ଅଞ୍ଚଳରେ ମଧ୍ୟ ପାନୀୟ ଜଳର ସଙ୍କଟ ଦେଖାଦେଲାଣି । ବିଶ୍ୱ ଜଳ ଦିବସରେ ଏହି ଆହ୍ୱାନ ରହୁ, ଏଭଳି ଅମୂଲ୍ୟ ସମ୍ପଦକୁ ଅପଚୟ ନକରି ଭବିଷ୍ୟତ ପାଇଁ ବଞ୍ଚାଇ ରଖିବା ।

 

Leave A Reply

Your email address will not be published.