ଭୁବନେଶ୍ଵର: ଚୋରଙ୍କ ଟାର୍ଗେଟରେ କି କଂଗ୍ରେସ ନେତା! ଥରେ ନୁହେଁ ଦୁଇ ଥର ହେଲାଣି ଚୋରି । ଜାଣିଶୁଣି କେହି ଟାର୍ଗେଟ କରୁଛି କି କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରକୁ? ଏପରି ଅନେକ ପ୍ରଶ୍ନ ସାମ୍ନାରେ ଥିବା ବେଳେ ଆଜି ପୁଣି ନିରଞ୍ଜନ ପଟ୍ଟନାୟକଙ୍କ ଆଉ ଏକ ଘରୁ ଚୋରି ଉଦ୍ୟମ କରାଯାଇଛି । ନୟାପଲ୍ଲୀ ଆଇଆରସି ଭିଲେଜ ସ୍ଥିତ ଏନ୍/୨୫ ଘରୁ ଚୋରି ପାଇଁ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ଝରକା ଭାଙ୍ଗି ଘରେ ପଶିବା ବେଳେ ଚୋରକୁ ଧରିଥିଲେ ଘରେ ଥିବା ଅନ୍ୟ କର୍ମଚାରୀ । ଲୁଟେରାକୁ ଗିରଫ କରି ଅଧିକ ପଚରାଉଚରା କରୁଛି ପୋଲିସ । ଗିରଫ ଅଭିଯୁକ୍ତର ଘର ସାଲିଆ ସାହି ବୋଲି ଜଣାପଡିଛି । ସେ ଜଣେ ନିଶାସକ୍ତ ଯୁବକ ବୋଲି କହିଛି ନୂଆପଲ୍ଲୀ ପୋଲିସ । ତେବେ ଏନେଇ ନିରଞ୍ଜନ ପଟ୍ଟନାୟକ କିମ୍ବା ତାଙ୍କ ପରିବାର ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନି ।
ସୂଚନାଯୋଗ୍ୟ, ଗତ ଶନିବାର ରାତି ପ୍ରାୟ ୨ଟା ୪୦ ମିନିଟ୍ ସମୟରେ ନିରଞ୍ଜନଙ୍କ ନୟାପଲ୍ଲୀ ଆଇଆରସି ଭିଲେଜ ଏନ-୨ ସ୍ଥିତ ଘରୁ ଚୋରି ହୋଇଥିଲା । ସେହି ଘରେ ନିରଞ୍ଜନଙ୍କ ସପରିବାର ରହୁଥିବା ବେଳେ ପୁଅ ବୋହୁଙ୍କ କୋଠରୀରୁ ଚୋରି ହୋଇଥିଲା । ତେବେ ହାଇ ସିକ୍ୟୁରିଟି ଜୋନ୍ରେ ଥିବା ନିରଞ୍ଜନଙ୍କ ଘରେ ରାତି ଅଧରେ ମୁଖା ପିନ୍ଧା ଦୁର୍ବୃତ୍ତ ପଶି କଳାକନା ବୁଲାଇ ଦେଇଥିଲେ। ଲୁଟିନେଇଯାଇଥିଲେ ୫୦ ଲକ୍ଷ ଟଙ୍କାର ଗହଣା ଗାଣ୍ଠି ଓ ନଗଦ ଅଢେଇ ଲକ୍ଷ ଟଙ୍କା। ଯାହାର ପ୍ରତିଟି ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ସିସିଟିଭି ଆଧାରରେ ପୋଲିସ ଦୁର୍ବୃତ୍ତ ମାନଙ୍କୁ ଧରିବାକୁ ପ୍ରୟାସ ଜାରି ରଖିଥିବା ବେଳେ ଆଜି ପୁଣି ନିରଞ୍ଜନଙ୍କ ଆଉ ଏକ ଘରୁ ଚୋରୀ ପାଇଁ ଉଦ୍ୟମ କରାଯାଇଛି ।
ଅପରପକ୍ଷରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନିରଞ୍ଜନ । ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଗତକାଲି ନିରଞ୍ଜନ କରିଥିଲେ ଯେ, ଏହି ଘଟଣା କେବଳ ମୋର ପରିବାର ପାଇଁ ନୁହେଁ, ବରଂ ସମସ୍ତ ଭୁବନେଶ୍ୱରବାସୀଙ୍କ ସୁରକ୍ଷାକୁ ନେଇ ମୁଁ ଚିନ୍ତିତ। ସରକାରଙ୍କ ଅବହେଳା କାରଣରୁ ଆଜି ଆମ ଘର, ଆମ ସାହି ଏବଂ ଆମ ସମ୍ପଦ ବିପଦରେ ପଡ଼ିଛି। ଓଡିଶା ପୋଲିସ ଜନତାଙ୍କ ସୁରକ୍ଷାକୁ ନିଶ୍ଚିତ କରନ୍ତୁ ଏବଂ ଏହା ବିଜେପି ସରକାରଙ୍କ ସର୍ବପ୍ରଥମ ପ୍ରାଥମିକତା ହେବା ଉଚିତ। ଭୁବନେଶ୍ୱରକୁ ସୁରକ୍ଷିତ କରନ୍ତୁ ବୋଲି ନିରଞ୍ଜନ ପୋଷ୍ଟରେ ଉଲ୍ଲେଖ କରିଥିଲେ।
Comments are closed.