Latest Odisha News

BREAKING NEWS

ବିଚ୍ ରାସ୍ତାରେ ନୃଶଂସ ହତ୍ୟା: ଗୁଳି କରିବା ପରେ ବେକକୁ ହାଣିଲେ ଦୁର୍ବୃତ୍ତ

ବାଲେଶ୍ୱର: ବିଚ୍ ରାସ୍ତାରେ ବୀଭତ୍ସ ହତ୍ୟାକାଣ୍ଡ । ଜଣେ ଯୁବକଙ୍କୁ ପ୍ରଥମେ ଗୁଳି ଚଳାଇବା ପରେ ବେକକୁ ଭୂଜାଲିରେ ହାଣିଲେ ଦୁର୍ବୃତ୍ତ । ସ୍ପଷ୍ଟ ଦିବାଲୋକରେ ଏଭଳି ନରକୀୟକାଣ୍ଡ କରିଛନ୍ତି ଦୁଇ ଜଣ ଦୁର୍ବୃତ୍ତ । ବାଲେଶ୍ୱର ସଦର ଥାନା ଅନ୍ତର୍ଗତ କୁରୁଡ଼ା ଛକରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ବିନୋଦ ବିହାରୀ ଦାସ । ତାଙ୍କ ଘର ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଜଗନ୍ନାଥପାଟଣାରେ ବୋଲି ଜଣା ପଡିଛି ।

ସକାଳ ପ୍ରାୟ ୯ଟା ବେଳେ ଏହି ହତ୍ୟାକାଣ୍ଡ ଘଟିଥିଲା । ବିନୋଦ ବିହାରୀ ଦାସ ବାଇକରେ କେଉଁଆଡେ ଯାଉଥିଲେ । ଏତିକିବେଳେ କୁରୁଡ଼ା ଛକରେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରେ ପ୍ରଥମେ ଗୁଳିମାଡ଼ କରିଥିଲେ । ସେ ତଳେ ପଡ଼ିଯିବା ପରେ ଭୂଜାଲିରେ ବେକକୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ ।

ପୂର୍ବ ଶତ୍ରୁତାରୁ ବିନୋଦଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଖୋଳତାଡ ଚଳାଇଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ଆରମ୍ଭ ହୋଇଛି ତନାଘନା ତଦନ୍ତ । ହତ୍ୟାକାରୀ କିଏ ଓ କାହିଁକି ସେମାନେ ବିନୋଦଙ୍କୁ ନୃଶଂସ ଭାବରେ ହତ୍ୟା କଲେ ଆରମ୍ଭ ହୋଇଛି ତଦନ୍ତ ।

Leave A Reply

Your email address will not be published.