Latest Odisha News

BREAKING NEWS

ତିନି ଛୁଆର ମାଆକୁ ନେଇ ଫେରାର ଯୁବକ ହେଲା ଗିରଫ

ବ୍ରହ୍ମପୁର: ତିନି ଛୁଆର ମାଆକୁ ନେଇ ଫେରାର୍‌ ହୋଇଯାଇଥିବା ଯୁବକ ଗିରଫ । ବ୍ରହ୍ମପୁର ସହରରେ ଏଭଳି ଘଟଣା ଘଟିଛି ।

ପ୍ରଥମେ ମହିଳା ଏବଂ ତାଙ୍କ ୩ ଛୁଆ କେଉଁଆଡେ ଚାଲିଯାଇଥିବା ନେଇ ପରିବାର ଲୋକେ ବ୍ରହ୍ମପୁର ବଡବଜାର ଥାନାରେ ନିଖୋଜ ଏତଲା ଦେଇଥିଲେ । ପୁଲିସ ସେହି ଅନୁସାରେ ତଦନ୍ତ କରି ସମ୍ବଲପୁରରୁ ଜଣେ ଯୁବକଙ୍କ ସହ ଉକ୍ତ ମହିଳା ଏବଂ ତାଙ୍କ ୩ ଛୁଆଙ୍କୁ ଉଦ୍ଧାର କରିଛି ।

ପରବର୍ତି ପର୍ଯ୍ୟାୟରେ ମହିଳାଙ୍କ ଅଭିଯୋଗକ୍ରମେ ପୁଲିସ ପୁଣି ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ପରେ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ସୂଚନାଯୋଗ୍ୟ, ସଦର ଥାନା ଅନ୍ତର୍ଗତ ବୁରୁକୁଦି ଗ୍ରାମର ଜଣେ ଯୁବକ ବିକ୍ରମ ବିଷୋୟୀ ସ୍ଥାନୀୟ ବଡବଜାର ଥାନା ଅନ୍ତର୍ଗତ ଜଣେ ବ୍ୟକ୍ତିଙ୍କ ପାଖରେ କାମ କରୁଥିଲେ ।

କାମ କରିବା ସମୟରେ ସେ ତାଙ୍କ ପରିବାର ଲୋକଙ୍କ ସହ ସମ୍ପର୍କ ରଖି ଘରକୁ ଯିବା ଆସିବା କରୁଥିଲେ । ହଠାତ୍ ୨୫ ତାରିଖ ଦିନ ଉକ୍ତ ଘରର ମହିଳା ଏବଂ ତାଙ୍କ ୩ ଛୁଆ କେଉଁଆଡେ ଚାଲିଯାଇଥିଲେ ।

ଘଟଣାକୁ ନେଇ ମହିଳାଙ୍କ ସ୍ୱାମୀ ବଡବଜାର ଥାନାରେ ଏକ ମିସିଂ ରିପୋର୍ଟ ଦେଇଥିଲେ । ଏଥିରେ ଜଣେ ଯୁବକଙ୍କ ଉପରେ ମଧ୍ୟ ପରିବାର ଲୋକେ ସନ୍ଦେହ କରି ପୁଲିସକୁ ଜଣାଇଥିଲେ । ପୁଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ମୋବାଇଲ୍ ଲୋକେସନ୍ ବାହାର କରିବା ବେଳେ ଯୁବକ ଓ ମହିଳାଜଣକ ସମ୍ବଲପୁରରେ ଥିବା ଜଣାପଡିଥିଲା । ପୁଲିସ ତୁରନ୍ତ ସମ୍ବଲପୁର ଯାଇ ନିକଟସ୍ଥ ଧନପାଲି ନିକଟ ଏକ ଭଡା ଘରୁ ଯୁବକ ଏବଂ ମହିଳାଙ୍କ ସମେତ ୩ ଛୁଆଙ୍କୁ ଉଦ୍ଧାର କରି ଏଠାକୁ ଆଣିଥିଲା ।

ଉଭୟ ପରିବାର ଲୋକଙ୍କ ମଧ୍ୟରେ ପ୍ରଥମେ ସମାଧାନ ପାଇଁ ରାସ୍ତା ଖୋଜା ଯାଇଥିଲା । ଏକ ପ୍ରକାର ସମାଧାନ ମଧ୍ୟ ହେବାକୁ ଯାଇଥିବା ବେଳେ ମହିଳା ଜଣକ ପୁଣି ଗତକାଲି ସନ୍ଧ୍ୟାରେ ଥାନାରେ ଏତଲା ଦେବା ସହ ତାଙ୍କୁ ଏବଂ ତାଙ୍କ ଛୁଆ ୩ଜଣଙ୍କୁ ଅପହରଣ କରି ନେବା ସହ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ କରିଥିଲେ । ପରେ ପୁଲିସ ଅଭିଯୁକ୍ତ ବିକ୍ରମଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ।

ମହିଳା ଏବଂ ତାଙ୍କ ୩ ଛୁଆଙ୍କୁ ନେଇ ବିକ୍ରମ ବସ୍ ଯୋଗେ ସମ୍ବଲପୁର ଚାଲିଯାଇଥିଲେ । ପ୍ରଥମେ ସେଠାରେ ଏକ ଲଜ୍‌ରେ ରହିଥିଲେ । ପରେ ସେଠାରୁ ଯାଇ ସେ ଧନପାଲି ନିକଟରେ ଏକ ଘର ଭଡା ନେଇ ସେଠାରେ ରହିଥିଲେ । ଭଡାଘରେ ରହୁଥିବା ବେଳେ ବ୍ରହ୍ମପୁର ପୁଲିସ ସେମାନଙ୍କୁ ସେଠାରୁ ଉଦ୍ଧାର କରିଥିଲା ।

Leave A Reply

Your email address will not be published.