ଚିନ୍ତନ ମନ୍ତ୍ରଣାଳୟ

ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଆମେ ଆମ ଯୁବକଙ୍କ ଚିନ୍ତନ ଶକ୍ତିର ସୃଷ୍ଟି ଓ ଉନ୍ନତି ଲାଗି ବିଶେଷ କିଛି ପ୍ରୟୋଜନ ଯୋଗେଇପାରି ନାହୁଁ। ଭାରତ ଅସୀମିତ ସାମର୍ଥ୍ୟର ଗନ୍ତାଘର। ବର୍ତ୍ତମାନ ସମୟ ଆସିଯାଇଛି ଏକ ଚିନ୍ତନ ମନ୍ତ୍ରଣାଳୟକୁ କାର୍ଯ୍ୟକାରୀ କରିବାପାଇଁ। ଏହି ମନ୍ତ୍ରଣାଳୟ ଏକ ନିର୍ଦ୍ଧାରିତ ଲକ୍ଷ ଏବଂ ଦୂରଦୃଷ୍ଟିକୁ ଆଖି ଆଗରେ ରଖି ଜନତାର ଚିନ୍ତାଧାରାକୁ ଉପଯୁକ୍ତ ମାର୍ଗରେ ପ୍ରୋତ୍ସାହିତ କରାଇବ। ମାନବ ପୁଞ୍ଜିକୁ ବୃତ୍ତିଭାଷାର କବଳରୁ ମୁକୁଳେଇବାକୁ ହେବ।

ମୁଁ ଭାରତର ବିଭିନ୍ନ ଯାଗାରେ ଥିବା ୩୫ରୁ ନିମ୍ନ ବୟସର ଯୁବକଯୁବତୀଙ୍କ ସହ ସମ୍ପର୍କ ଓ ଯୋଗାଯୋଗ ରଖିଛି। ତା’ଙ୍କ ମଧ୍ୟରେ ସ୍ନାତକ ଓ ଇଣ୍ଟରନେଟ ବ୍ୟବହାର କରୁଥିବା ଲୋକ ଅଛନ୍ତି। ସେମାନଙ୍କ ବୃତ୍ତିର ଗତି ଅଧିକାଂଶ ତାଙ୍କ ସାଙ୍ଗମାନଙ୍କ ପସନ୍ଦ ଉପରେ ନିର୍ଭରଶୀଳ ହୋଇଥାଏ। ବୋଧହୁଏ ସେ ମଧ୍ୟରୁ ୧୫ ଶତକଡ଼ା ଯୁବସମୂହଙ୍କ ନିର୍ଣ୍ଣୟ ବାହ୍ୟ ପ୍ରଭାବ ଉପରେ ନିର୍ଭର ନକରି ନିଜ ଇଚ୍ଛା ଯୋଗେ ନିର୍ଦ୍ଧାରିତ ହୋଇଥାଏ। ହେଲେ ଅନ୍ୟ ଲୋକଙ୍କ ପାଇଁ କ’ଣ ଅଲଗା ଥାଏ? ଆଜିକା ସମୟରେ ସାଧାରଣ ଭାରତୀୟଙ୍କର ବୟସ ହାରାହାରି ୨୯ ବର୍ଷ ଏବଂ ଏହି ବୟସ ସୁଦ୍ଧା ତାଙ୍କର କଳ୍ପନା ସୃଜନଶୀଳତାର ଏକ ଶିଖରରେ ପହଞ୍ଚିବା କଥା। ତାଙ୍କର ଇଚ୍ଛାସତ୍ତ୍ବେ ସେମାନେ ଏହା କରିପାରିନାହାନ୍ତି। ଏ ଦିଗରେ ଚିନ୍ତନ କେଉଁଠି ଅଛି? କଣ ଆମେ ଏ ପରି ଚିନ୍ତାଧାରାକୁ ପ୍ରୋତ୍ସାହନ ଦେବା ପାଇଁ କୌଣସି କେନ୍ଦ୍ର ନିର୍ମାଣ କରିପାରିଛେ? ସାର୍ବଜନୀନ ଯୋଜନା, ଷ୍ଟାର୍ଟ ଅପ ଅଭିଯାନ ଏବଂ ନୀତି ପରି ଉପାୟ ବହୁତ ପରର କଥା। ମୂଳଦୁଆ ହେଉଛି ଯୁବମନର ବିକାଶ ଯାହା ଏକ ବ୍ୟକ୍ତିଗତ ଉଦ୍ୟମର ଫଳ।

ଗୁଗଲ୍, ଏୟାରବିଏନବି, ଉବର୍, ଲିଙ୍କଡ଼୍ ଇନ୍, ଟ୍ରିପ୍ଆଡ଼ଭାଇଜର, ସ୍ପଟିଫାଇ ଏବଂ ହ୍ବାଟସାପ ପରି ଶହଶହ କମ୍ପାନୀ ଯୁବମନର ଦକ୍ଷତାକୁ ନିଜର ବ୍ୟବସାୟିକ ଲକ୍ଷ ସହ ଅନୁକୂଳ କରିବା ପାଇଁ ଏକ ସୁରକ୍ଷିତ ମାର୍ଗ ତିଆରି କରିଦେଇଛନ୍ତି। କିନ୍ତୁ ଏହି ପ୍ରଯୁକ୍ତିର ସମ୍ରାଟମାନଙ୍କ କବଳରେ ପଡ଼ିବା ଆଗରୁ କଣ ସେ ଯୁବମନର ଭାବପ୍ରକାଶ ପାଇଁ କୌଣସି ସାଧନ ଅଛି କି? ତା’ ଛଡା ଯୁବକମାନଙ୍କୁ ଚିନ୍ତନ ପାଇଁ ପ୍ରଯୁକ୍ତିର ପ୍ରଲୋଭନଠାରୁ ଦୂରେଇ ଯିବାକୁ ପଡ଼ିବ। ଆମେରିକାରେ ଏକ ଅଧ୍ୟୟନରୁ ଜଣା ପଡ଼ିଛି ଯେ ଯୁବକଙ୍କ ସମୟ ସାଙ୍ଗମାନଙ୍କ ଅପେକ୍ଷା ନେଟଫ୍ଲିକ୍ସ ସହ ଅଧିକ ଅତିବାହିତ ହୁଏ। ଚିନ୍ତନ ପାଇଁ ସମୟ କୌଣସି ତାଲିକାରେ ଦେଖାଯାଏ ନାହିଁ। ମସ୍ତିକକୁ ନିଷ୍କ୍ରିୟ ରଖିବା ପାଇଁ ସମୟ ମିଳେ ନାହିଁ। ଆଜିକାଲି ଡ୍ରାଇଭରମାନେ ଗୁଗଲ ମ୍ୟାପ ବିନା ସାହାଯ୍ୟରେ କୌଣସି ସ୍ଥାନରେ ପହଞ୍ଚି ପାରିବେ ନାହିଁ।

ଅଧିକ ପଢନ୍ତୁ: ବୌଦ୍ଧିକତା ଓ ଓଡ଼ିଶା

କିଛି ବର୍ଷ ପୂର୍ବରୁ ସେମାନେ ତାଙ୍କ ସ୍ମରଣ ଶକ୍ତି ବଳରେ କଟକ ବା ଲଖ୍ନୌ ପରି ପୁରୁଣା ସହରଗୁଡିକର ଛୋଟ ଗଳି ରାସ୍ତାରେ ମଧ୍ୟ ନେଇ ଯାଉଥିଲେ। କିନ୍ତୁ ଏବେ ତାହା ଦେଖିବାକୁ ମିଳେ ନାହିଁ। କୋଭିଡ ସମୟରେ ଆମର କାର୍ଯ୍ୟସ୍ଥଳ ଓ ଘର ଏକ ହୋଇଯାଇଛି। ନିଜ ପାଇଁ କିମ୍ବା ଘରପାଇଁ ସମୟ ରହୁନାହିଁ। ମୋବାଇଲରେ ଦିନ ସାରା ଏକାମରେ ନହେଲେ ସେକାମରେ ଦିନରାତି ମାତି ରହିବାକୁ ପଡୁଛି। ଏପରିକି କ୍ରୀଡ଼ା ଓ ଖେଳ ଇତ୍ୟାଦି ପାଇଁ ମଧ୍ୟ ଆପେଲ୍ ୱାଚ୍ ବା ଅନ୍ୟ କୌଣସି ଫିଟନେସୄ ବ୍ୟାଣ୍ଡର ଉପଯୋଗୀତା ବଢ଼ି ଚାଲିଛି।

ଆମେ କେଉଁଠି ଅଛେ? ନିଜ ସହିତ ଆମେ ଏକା ରହିପାରିବା କି?

ସମୟ ଆସିଯାଇଛି, ଦୁନିଆର ସବୁଠାରୁ ଯୁବା ଜନସଂଖ୍ୟାର ଚିନ୍ତାଧାରାର ଆନୁଷ୍ଠାନିକରଣ କରାଯାଉ। ଏକ ସ୍ୱତନ୍ତ୍ର ଚିନ୍ତନ ମନ୍ତ୍ରାଳୟର ଦାୟିତ୍ୱ ରାଜ୍ୟର ଚିନ୍ତାଧାରା ଶକ୍ତିରେ ବୃଦ୍ଧି ଓ ଶିଶୁକାଳରୁ ଚିନ୍ତନ ପାଇଁ ମାର୍ଗଦର୍ଶନ ହେବା କଥା। କେବଳ ଏପରି ଏକ ମନ୍ତ୍ରାଳୟ ଏ ଦେଶର ଅନୁଦାନ ବୃଦ୍ଧି, ମାନବ ବିକାଶ ଓ ମାର୍ଗଦର୍ଶନରେ ଯୋଗ ଦେବାର କ୍ଷମତା ରଖିଛି। ମାନବ ସଂସାଧନ ଓ ବିକାଶ, ସାମାଜିକ କଲ୍ୟାଣ, ସାମାଜିକ ନ୍ୟାୟ, ମହିଳା ଓ ଶିଶୁ କଲ୍ୟାଣ, ବିଜ୍ଞାନ ମନ୍ତ୍ରାଳୟ ପରି ଅନୁଷ୍ଠାନମାନେ ଉଲ୍ଲିଖିତ କାର୍ଯ୍ୟ ନିର୍ବାହରେ ଅସଫଳ ହୋଇଛନ୍ତି। ପ୍ରାୟ ୭୦-୮୦ ବର୍ଷ କାଳ ଏପରି ଅନୁଷ୍ଠାନ ସମସ୍ୟାର ଚତୁର୍ପାଶ୍ୱରେ ଘୁରିବୁଲିଲେ ସୁଦ୍ଧା ସମାଧାନର କୌଣସି ବାଟ ପାଇନାହାନ୍ତି। ଏଥି ପାଇଁ ନୂତନ ଚିନ୍ତାଧାରାର ଆବଶ୍ୟକତା ବଢ଼ି ଚାଲିଛି। ମଣିଷର ମନ ସୃଜନଶୀଳତା ପାଇଁ ଉଦ୍ଦିଷ୍ଟ କିନ୍ତୁ ଆମେ ତାକୁ ଶ୍ବାସରୁଦ୍ଧ କରି ରଖିଛୁ।

ଚିନ୍ତନକୁ ବିଦ୍ୟାଳୟ, କଲେଜ ଏବଂ କାର୍ଯ୍ୟସ୍ଥଳ ପ୍ରଣାଳୀର ଏକ ମୁଖ୍ୟ ଅଂଶ ଭାବର ଗଢ଼ିବାକୁ ହେବ। କଲେଜ ସ୍ତରରେ ଅନେକ କ୍ଲବ ଓ ଯୁବ ଗୋଷ୍ଠୀ ଅଛି କିନ୍ତୁ ଚିନ୍ତନ ପାଇଁ ମୋଟେ ନାହିଁ। ଆମ ବିଚାର ଚୌଦିଗରେ ଘୁରିବୁଲେ, କେବେ କେବେ ଅଯଥାରେ ମଧ୍ୟ, କିନ୍ତୁ ନିଜ ସହ ବା ନିଜ ବିଚାର ସହ ଆମ ମସ୍ତିଷ୍କ ରହିବାକୁ ନାରାଜ। ଯୁବକମାନେ ସାଥୀମାନଙ୍କ ଚାପରେ ପଡ଼ି କେବଳ ପ୍ରଭାବ ଅନୁସାରେ ନିଜର ଚରିତ୍ର ଗଢିବାରେ ବ୍ୟସ୍ତ ରହିଥାନ୍ତି। ଏପରି କି ଅନ୍ତର୍ମୁଖୀ ପିଲା ମଧ୍ୟ ବହିର୍ମୁଖୀ ହେବାକୁ ବାଧ୍ୟ ହୁଏ।

ନିଜ ସହ ଛଳନା କରିବା ଏବଂ ଅସନ୍ତୁଷ୍ଟ ରହିବା ପିଲାଙ୍କ ପାଇଁ ଏକ ବିଷାଦପୂର୍ଣ୍ଣ ପରିସ୍ଥିତି। ଏହା ଶାରୀରିକ ଏବଂ ମାନସିକ ଆଘାତ ମଧ୍ୟ ପହଞ୍ଚାଇପାରେ। ମୋତେ ବାଣିଜ୍ୟିକ ମହାବିଦ୍ୟାଳୟରେ ପଟି ପଢ଼ା ଯାଇଥିଲା ଯେ ବହିର୍ମୁଖୀ ଲୋକ ମନୋନୀତ ଏବଂ ଆକର୍ଷଣୀୟ ବ୍ୟକ୍ତିତ୍ୱଗଣ ହୋଇଥିବାରୁ ତାଙ୍କୁ ଉଚ୍ଚତର ସମ୍ମାନ ଦେବା ଉଚିତ। କିନ୍ତୁ ପରେ ଦେଖିଲି ଯେ ତାଙ୍କର ‘ଆକର୍ଷଣ’ର ପ୍ରଭାବ ବହୁତ ଶୀଘ୍ର ଉଭେଇଯାଏ ଏବଂ ତାଙ୍କ କୌଶଳର ଅଭାବ ଜଳଜଳ ହେଇ ଦେଖାଯାଏ। ଉପରୋକ୍ତ ପ୍ରଭାବ ଆଗାମୀ ଯୁଗ ପାଇଁ ପୁରାପୁରି ଅନୁପଯୁକ୍ତ। ଅଶୀ ଓ ନବେ ଦଶକରେ ଆମର ସମ୍ପୂର୍ଣ୍ଣ କାର୍ଯ୍ୟ ପ୍ରଣାଳୀ ଏହି ବହିର୍ମୁଖୀ କାର୍ଯ୍ୟଦକ୍ଷତା ଅନୁସାରେ ତିଆରି ହୋଇଥିଲା। ଏହା ଆମର ବ୍ୟକ୍ତିଗତ ସ୍ବଭାବ, ଶାନ୍ତିପୂର୍ଣ୍ଣ ଗଠନମୂଳକ ଉଦ୍ଭାବକ ଚିନ୍ତାଧାରାକୁ କ୍ଷତି ପହଞ୍ଚାଇଛି।

ଅଧିକ ପଢନ୍ତୁ: ଅନାଦର ନୁହେଁ, ଗ୍ରହଣ କରନ୍ତୁ…

ଶାନ୍ତ ତଥା ଚିନ୍ତାଶୀଳ, ସୁଜ୍ଞାତ ଏବଂ କଥିତ ଭାଷାରେ ଶିକ୍ଷାପ୍ରାପ୍ତି କରୁଥିବା ଯୁବସମୂହକୁ ଚିନ୍ତନ ପାଇଁ ଏକ ମୁକ୍ତାକାଶ ଦେବା ଜାଗାରେ ଆମେ ତାଙ୍କୁ ଅବରୁଦ୍ଧ କରି ଏକ ଚିନ୍ତାଶୂନ୍ୟ, ଅହଂକାରୀ ଏବଂ ମହତ୍ୱହୀନ ବ୍ୟକ୍ତିତ୍ବ ଭାବରେ ନିଜକୁ ସମାଜରେ ସ୍ଥାପିତ କରିବା ପାଇଁ ବାଧ୍ୟ କରୁ।

ଭବିଷ୍ୟତରେ ଆମ କାର୍ଯ୍ୟ ହେଉଛି ରାଜ୍ୟ, ଜିଲ୍ଲା ଏବଂ ଉପଜିଲ୍ଲା ସ୍ତରରେ ଚିନ୍ତନର ନୂତନ ଅଧ୍ୟାୟ ସୃଷ୍ଟି କରିବା। ଏହି ଅଧ୍ୟାୟ ଗୁଡିକରେ ଉଭୟ ଅଳ୍ପସଂଖ୍ୟକ ବହିର୍ମୁଖୀ, ଉନ୍ମୁକ୍ତ ଏବଂ ଅନ୍ତର୍ମୁଖୀ ଓ ସୁସ୍ଥିର ଲୋକଙ୍କ ପାଇଁ ସ୍ଥାନ ରହିବ। ହ୍ୟାକଥନଗୁଡିକ କେବଳ କିଛି ଗୋଷ୍ଠୀ ଭିତରେ ସୀମିତ ହୋଇରହିଛି। ଏକ ସୁଚିନ୍ତିତ ଜାତୀୟ ଯୋଜନା ଏବଂ ସରକାରୀ ହସ୍ତକ୍ଷେପ ବିନା ଆମ ପାଖରେ ଚିନ୍ତନ ପାଇଁ ଅବଶିଷ୍ଟ ସମୟ ମଧ୍ୟ ଆଉ ରହିବ ନାହିଁ। ଉଦ୍ଭାବକ ଚିନ୍ତାଧାରାର ବିନାଶ ହେଇଯିବ ଏବଂ ଯୁବକ ମାନେ ସମୟ ସହ ଗତି ନକରି ପଛରେ ରହିଯିବେ।

ଉଦ୍ଭାବନ ପାଇଁ ଉନ୍ମୁକ୍ତ ମନ ଆବଶ୍ୟକ। ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଚିନ୍ତନ ପାଇଁ ସ୍ୱତନ୍ତ୍ର ପାଠ୍ୟ ପ୍ରଣାଳୀ ନିର୍ଦ୍ଧାରିତ ହେବା ଉଚିତ। ସମାଲୋଚନକାରୀ ଚିନ୍ତାଧାରା ଶୀଘ୍ର ଲୋପ ପାଇବାକୁ ଯାଉଛି। ଆଜିର ଧାରାବାହିକ ଓ ଦୃଶ୍ୟ ମନୋରଞ୍ଜନ ଜନତାର ଇଚ୍ଛା ଅନୁସାରେ ହିଁ କାର୍ଯ୍ୟକ୍ଷମ ଏବଂ ତାଙ୍କର ସମାଲୋଚନା କରିବା କ୍ଷମତାକୁ ଶେଷ କରିଥାଏ। ସବୁ ଆମ ସୁବିଧା ଓ ବିଚାର ଅନୁସାରେ ଚାଲିବା କଥା, ନୁହେଁ? ସବୁ ପ୍ରତିଛବି ଆଧାରିତ ଏବଂ ଦ୍ରୁତ ଗତିଯୁକ୍ତ। ସେଥିପାଇଁ ଚିନ୍ତନକୁ, ବହି ପଢ଼ିବାକୁ ଏବଂ ପରିକଳ୍ପନା କରିବାକୁ କମ୍ ସମୟ ଦେବା ହେଉଛି ଆମର ପ୍ରବୃତ୍ତି। ପୁସ୍ତକ ପଠନ ଚିନ୍ତନ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ଯୋଜନା ନିଶ୍ଚିତ ଭାବେ ହେବା ଉଚିତ। ସାର୍ବଜନୀନ ପାଠାଗାରଗୁଡ଼ିକରେ ଜମି ରହିଥିବା ଧୂଳି ସଫା କରି ପୁନଃଜାଗୃତ କରିବାକୁ ହେବ ଏବଂ ସେଗୁଡ଼ିକର ପ୍ରଚାର ମଧ୍ୟ ଆବଶ୍ୟକ। ଯଦି ସଠିକ ଭାବରେ ଏହା କରାଯାଏ, ଏହି ପାଠାଗାରଗୁଡ଼ିକ ଆମର “ବିକାଶ କେନ୍ଦ୍ର” ଭାବରେ ସ୍ଥାନିତ ହୋଇପାରିବେ। ପୁସ୍ତକ ପଠନ ଆମର କଳ୍ପନାକୁ ଶକ୍ତି ପ୍ରଦାନ କରିଥାଏ। ଯୁବପିଢ଼ୀପ୍ରଧାନ ଏହି ଦେଶରେ କଳ୍ପନା ହିଁ ଆମର ସର୍ବଶକ୍ତିଶାଳୀ ମାଧ୍ୟମ। ଚିନ୍ତନକୁ ଏକ ଜାତୀୟ ଅଭ୍ୟାସ ଏବଂ କାର୍ଯ୍ୟାନୁଷ୍ଠାନ କରିବା ଅତ୍ୟନ୍ତ ଆବଶ୍ୟକ।

ଉଦ୍ଭାବନଗୁଡ଼ିକ କେବଳ ଯେ ପ୍ରଯୁକ୍ତିର ସାମ୍ରାଜ୍ୟ ଯାଏ ସୀମିତ ରହିବ ତାହା ନୁହଁ। ଅନ୍ୟ ସୃଜନଶୀଳ ମାଧ୍ୟମକୁ କ’ଣ ଆମେ ଯୋଗ୍ୟ ସମ୍ମାନ ଦେଉଛୁ? ଲେଖାରେ କ’ଣ ନୂତନ ଶୈଳୀ ଆସିଛି ବା ନୃତ୍ୟ ଜଗତରେ କୋଉ ତର୍କବିତର୍କ ଚାଲିଛି, ତା ବିଷୟରେ କେତେ ଲୋକ ଖାତିର କରନ୍ତି? ଏହା ବିରଳ ଓ ବ୍ୟତିକ୍ରମ ହୋଇ ରହିଯାଇଛି। ଏହା ଚଳଚ୍ଚିତ୍ର ପାଇଁ ଅଳ୍ପ ମାତ୍ରାରେ ଉପଲବ୍ଧ କିନ୍ତୁ ତାହା ମଧ୍ୟ ବକ୍ସ ଅଫିସ ବା ଟି.ଭି.ରେ ପ୍ରଦର୍ଶିତ ହେଲା ପରେ ଯାଇ।

ଚିନ୍ତନ ହେଉଛି ଏହାର ପ୍ରତିଷେଧକ ଟିକା ଯାହାକି ଆମ ଅର୍ଥନୀତିକୁ ଅନ୍ୟ ଅପେକ୍ଷା ଅଧିକ ସକ୍ଷମ କରିବ। ଆଜିକା ସମୟରେ ଯେଉଁମାନେ ଅଧିକ ସମୟ ପଢିବାରେ, ଚିନ୍ତା କରିବାରେ ବା କଳ୍ପନା କରିବାରେ ବିତାନ୍ତି, ସେମାନେ ଚିନ୍ତାଶୂନ୍ୟ ଲୋକଙ୍କ ଅପେକ୍ଷା ଅଧିକ ଲାଭ ପାଆନ୍ତି। ଯେଉଁ ଦୁନିଆ ଆମେ ଏବେ ଯାଏ ଗଢ଼ି ସାରିଛୁ ତାହା ଆମ ଚିନ୍ତନର ଫଳ। ଆଗକୁ ଯାହା ଗଢ଼ିବାକୁ ହେବ ତାହା ମଧ୍ୟ ଚିନ୍ତନ ବିନା ଅସମ୍ଭବ। ରବର୍ଟ ଗର୍ଡନ, ଜଣେ ପ୍ରସିଦ୍ଧ ଅର୍ଥଶାସ୍ତ୍ର ବିଶାରଦ, ମହାନ ଉଦ୍ଭାବକମାନଙ୍କ ଯୁଗର ଅନ୍ତିମ କ୍ଷଣ ଦେଖାଯାଉଥିବା ଯୋଗୁ ନିଜ ଦୁଃଖ ପ୍ରକାଶ କରିଛନ୍ତି। ଅର୍ଥଶାସ୍ତ୍ର ବିଶାରଦ ମାନେ ସାଧାରଣତଃ ଉଦ୍ଭାବନ ବା ପ୍ରତିଭାର ପରିମାପ ଭାବେ ସମ୍ପୂର୍ଣ୍ଣ ଉତ୍ପାଦନର ଉପାଦାନ (ଟି.ଏଫ.ପି.)ର ବ୍ୟବହାର କରନ୍ତି। କିଛି ଦିନ ପୂର୍ବରୁ ସେ କହିଥିଲେ ଯେ “ଆମେରିକା ପରି ଦେଶର ଅଗ୍ରସର ଅର୍ଥନୀତିର ବୃଦ୍ଧି ନିଅଣ୍ଟ ହେବାର ମୁଖ୍ୟ କାରଣ ହେଉଛି କମ ଉତ୍ପାଦନ ଶକ୍ତି। ଏହା ଉଦ୍ଭାବନର ଅନ୍ତ ବୋଲି କହିବା ଯଦିଓ ଠିକ ହେବ ନାହିଁ, ଏହା ଭବିଷ୍ୟତର ଉତ୍ପାଦନକାରିତା ଓ ତା’ର ଉପଯୋଗିତାରେ ହ୍ରାସକାରୀ ନିଶ୍ଚୟ। ପୁଣି ନୂତନ ଉଦ୍ଭାବନଗୁଡ଼ିକ ସମାଜର ସମସ୍ତ ବର୍ଗକୁ ଲାଭ ଦେଉଥିବା ମନେ ହୁଏ ନାହିଁ। ଏହା ଉନ୍ନତ ଦେଶଗୁଡ଼ିକରେ ବଢୁଥିବା ଆର୍ଥିକ ଅସମାନତାକୁ ଦର୍ଶାଇଥାଏ।”

ଭାରତରେ ଟି.ଏଫ.ପି. ବୃଦ୍ଧି ୨୦୧୬ରେ ୩.୫ ପ୍ରତିଶତ, ୨୦୧୭ରେ ୧.୬ ପ୍ରତିଶତ ଏବଂ ୨୦୧୮ରେ ୨.୪ ପ୍ରତିଶତ ଥିଲା। ୫ ଲକ୍ଷ କୋଟି ଡଲାର ଆର୍ଥିକ ଅଭିବୃଦ୍ଧିର ଯେଉଁ ଲକ୍ଷ ଆମେ ସ୍ଥିର କରିଛୁ, ତାହା ହାସଲ କରିବା ପାଇଁ ବାସ୍ତବରେ GDP (ଘରୋଇ ଉତ୍ପାଦନ ସମୂହ) ବୃଦ୍ଧି ୮ ପ୍ରତିଶତ ଏବଂ ତା’ ସହ ଟିଏଫପି ୦.୭ ପ୍ରତିଶତ ଅଧିକ ରହିବା ଦରକାର। ବିନା ଚିନ୍ତନରେ ଏପରି ଲକ୍ଷ ଏକ ସ୍ବପ୍ନମାତ୍ର।

ଭଲଟାୟାର କହିଥିଲେ ଯେ ଅବିରତ ଚିନ୍ତନର ଶକ୍ତିକୁ କୌଣସି ଅସୁବିଧା କେବେ ହେଲେ ବାଧା ଦେଇପାରିବ ନାହିଁ। ଯଦି ଇଂରାଜୀ ଶିକ୍ଷା, ଯୋଗ, କଥିତ ଭାଷାର ବ୍ୟବହାର ଓ ସ୍ୱାସ୍ଥ୍ୟ ପରୀକ୍ଷା ଆଦି ବିଦ୍ୟାଳୟରେ ବାଧ୍ୟତାମୂଳକ କରା ହେଇପାରୁଛି ତେବେ ଚିନ୍ତନକୁ ମଧ୍ୟ ସେଇପରି ସ୍ଥାନ ଦେବା ଉଚିତ। କାରଣ ତାହା ହେଉଛି ମଣିଷର ଅଦ୍ଵିତୀୟ ଓ ଅତୁଳନୀୟ ସମ୍ପତି।

ଏହି ମନ୍ତ୍ରଣାଳୟର କାର୍ଯ୍ୟ ଲୋକଙ୍କ ବ୍ୟକ୍ତିଗତ ଚିନ୍ତାଧାରାକୁ ଏକତ୍ର କରି ତାହାକୁ ସାମୂହିକ ମାନବ ପୁଞ୍ଜିରେ ପରିଣତ କରିବା ହେବ। ଏହା ହେଉଛି ସେଇ ପୁଞ୍ଜି ଯାହାର ଉପଯୋଗିତା ଯୁଗଯୁଗ ଯାଏ ସଞ୍ଚିତ ହୋଇ ରହିବ। ଠିକ୍ ଏକ ଅସରନ୍ତି ସାଧନ ପରି।

(ଚାରୁଦତ୍ତ ପାଣିଗ୍ରାହୀ ହେଉଛନ୍ତି ଜଣେ ଲେଖକ ଏବଂ ଭବିଷ୍ୟତବାଦୀ)

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.