Latest Odisha News

BREAKING NEWS

ଶ୍ରୀଗୁଣ୍ଡିଚା ମନ୍ଦିରରେ ତିନିରଥ ପହଞ୍ଚିଲେ, ୧୫ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ

ପୁରୀ : ଅତ୍ୟନ୍ତ ଶୃଙ୍ଖଳାର ସହିତ ବହୁ ପ୍ରତିକ୍ଷୀତ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୁରୀଠାରେ ପାଳିତ ହୋଇଯାଇଛି । ପ୍ରଥମଥର ଲାଗି ପ୍ରାୟ ଦେଢଘଣ୍ଟା ପୂର୍ବରୁ ସେବାୟତ ମାନଙ୍କ ଦ୍ୱାରା ସମସ୍ତ ପ୍ରକାର ପାରମ୍ପରିକ ନୀତି ଅନୁଷ୍ଠିତ ହୋଇ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା ।

ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ରଥଟଣା ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ପ୍ରାୟ ସବୁଥର ରଥଟଣା ନିର୍ଘଣ୍ଟ ସୂଚୀରେ ବିଳମ୍ବ ଘଟିଥାଏ । ଏଥର ରଥଟଣା ଦିନ ୪ଟା ରେ ଟଣାଯିବାର ଥିଲା ମାତ୍ର ଦିନ ୨:୩୫ରେ ରଥଟଣା ଗଲା । ଅନେକ ଭକ୍ତମାନଙ୍କ କହୁଛନ୍ତି ମହାପ୍ରଭୁଙ୍କର ଏହା ଅପୂର୍ବ ଲୀଳା । ରଥରେ ବସିବା ଲାଗି ପହଣ୍ଡିରେ ଯେପରି ମହାପ୍ରଭୁ ଝପଟି ଆସୁଥିଲେ, ଲାଗୁଥିଲା ମହାପ୍ରଭୁ ରଥରେ ଯାତ୍ରା କରିବାକୁ ବେଶ୍ ଉଚ୍ଛନ୍ନ ହୋଇପଡ଼ିଲେଣି ।

ଆଜି ସେବାୟତମାନଙ୍କ ଦ୍ୱାରା ବେଶ୍ ଶାନ୍ତି ଶୃଙ୍ଖଳାର ସହିତ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ହୋଇଛି । ଦେବୀ ସୁଭଦ୍ରା ସକାଳ ୯:୪୫ରେ ପହଣ୍ଡି ହୋଇଥିଲା, ସେହିପରି ବଡ଼ଠାକୁର ଶ୍ରୀବଳଭଦ୍ର ଦିନ ୯:୨୫ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ୯:୫୫ରେ ଆରମ୍ଭ ହୋଇ ପ୍ରାୟ ଦିନ ୧୧:୫୫ରେ ପହଣ୍ଡି ସମାପ୍ତ ହୋଇଥିଲା । ଶ୍ରୀମଦନମୋହନ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷରେ ମଧ୍ୟାହ୍ନ ୧୨:୫୦ରେ ବିଜେ କରିଥିଲେ ।

ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଦିନ ୧:୦୫ ସମୟରେ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ତାଙ୍କର ୬ ଜଣ ଅନୁଗାମୀଙ୍କ ସହିତ ରଥ ଉପରେ ତାଙ୍କର ପୂଜାକାର୍ଯ୍ୟ କରିଥିଲେ ।

ପୁରୀ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବଙ୍କ ଦ୍ୱାରା ଛେରା ପହଁରା ଦିନ ୧:୨୫ରୁ ଆରମ୍ଭ ହୋଇ ସମସ୍ତ ରଥର ଛେରା ପହଁରା ଦିବା ୨:୨୫ ମିନିଟରେ ସମାପ୍ତ ହୋଇଥିଲା ।

ରଥରୁ ଦିବା ୨:୨୫ ମିନିଟରେ ଚାରମାଳ କଢାଯିବା ପରେ ଠିକ୍ ଦିବା ୨:୩୫ ମିନିଟରେ ଶ୍ରୀବଳଭଦ୍ରଙ୍କ ରଥଟଣା ଯାଇଥିଲା ।

ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଦିବା ୨:୩୫ରେ ଟଣା ଆରମ୍ଭ ହେଲା, ସେହିପରି ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନ ଦିନ ୩:୩୫ ମିନିଟରେ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ୪:୧୦ ମିନିଟରେ ଟଣା ଆରମ୍ଭ ହୋଇଥିଲା ।

ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ୬:୦୫ରେ ପହଞ୍ଚିଥିଲା, ଦର୍ପଦଳନ ସନ୍ଧ୍ୟା ୬:୧୦ରେ ଏବଂ ସର୍ବଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସନ୍ଧ୍ୟା ୬:୨୦ରେ ପହଞ୍ଚିଥିଲା ।

ଆଜି ରଥରେ ବିଜେ କରିବେ ଚତୁର୍ଦ୍ଧା ମୂରତୀ । ରବିବାର ସକାଳେ ପହଣ୍ଡି ହୋଇ ଆଡ଼ପମଣ୍ଡପରେ ବିଜେ କରିବେ ଶ୍ରୀଜୀଉମାନେ ।

ଓଡ଼ିଶାର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ବଡ଼ଦାଣ୍ଡରେ ରହି ରଥଯାତ୍ରା ଉପଭୋଗ କରିବା ସହିତ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଡ଼ଃ ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଓଡ଼ିଶା ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହ, ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ବଡ଼ଦାଣ୍ଡରେ ରହି ରଥଯାତ୍ରା ଦର୍ଶନ କରିଥିଲେ ।

ଏବର୍ଷର ରଥଯାତ୍ରା ପୁରୀରେ କଡ଼ା ନିରାପତ୍ତା ର ସହିତ ବେଶ୍ ଶାନ୍ତି ଶୃଙ୍ଖଳାରେ ପାଳିତ ହୋଇଯାଇଛି । ଦୀର୍ଘ ସମୟ ଧରି ପ୍ରବଳ ବର୍ଷାକୁ ଭୃକ୍ଷେପ ନକରି ପ୍ରାୟ ୧୫ ଲକ୍ଷ ଭକ୍ତ ଏହି ରଥଯାତ୍ରାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.