ମହମ୍ମଦ ଇମ୍ରାନ୍ ଅଲୀଙ୍କ ଆଲେଖ୍ୟ
ଚାଷ ଏକ ବହୁ ପୁରାତନ ପାରମ୍ପରିକ କାର୍ଯ୍ୟ। କଥାରେ ଅଛି ଚାଷ କାମ ଯାହାର, କି ଆନନ୍ଦ ତାର। ଅର୍ଥାତ୍ ଚାଷ କାମ ଗୋଟେ ଆନନ୍ଦରେ ଭରା କର୍ମ, ବ୍ୟବସାୟ ତଥା ବୃତ୍ତି ଅଟେ। ମାତ୍ର ସହରାଞ୍ଚଳରେ ଚାଷ କାମ କରିବା ଏକ ସ୍ବପ୍ନ ପରି ଲାଗେ। ଚାଷ ପାଇଁ ଆବଶ୍ୟକୀୟ ଜମି ହେଉ କି ଚାଷ ଉପକରଣ ଏବଂ ଚାଷ ପାଇଁ ଆବଶ୍ୟକୀୟ ସାମଗ୍ରୀ ଏଠାରେ ମିଳିବା ସହଜ ସାଧ୍ୟ ନୁହେ । ମାତ୍ର ରୁଫ୍ ଟପ୍ ଗାର୍ଡେନିଙ୍ଗ ବା ଛାତ ଉପରେ ଚାଷ କରିବାର ପଦ୍ଧତି ଆଜି ସହରୀ ଲୋକଙ୍କୁ ମଧ୍ଯ ଚାଷିରେ ରୂପାନ୍ତରିତ କରିଛି।
ଭୁବନେଶ୍ୱରରେ ଶ୍ରୀଯୁକ୍ତ ମହେଶ୍ୱର ଖିଲାରଙ୍କର ନେତୃତ୍ବରେ ଏବଂ କିଚେନ ଗାର୍ଡେନ ଆସୋସିଏସନ ଉଦ୍ୟମରେ ଅନେକ ଲୋକ ଆଜି ସହରିଆ ଚାଷୀ ପାଲଟିଛନ୍ତି। ସେହିପରି ଗାଁରେ ମଧ୍ୟ ଅଳ୍ପ ଜମି ଥିବା ବ୍ୟକ୍ତି ନିଜ ବାଡିବଗିଚା ମାଧ୍ୟମରେ ନିଜେ ନିଜ ତଥା ପରିବାର ପାଇଁ କିଛିଟା ଚାଷ କରି ପାରୁଛନ୍ତି। ଏହି ସମସ୍ତ ଚାଷକୁ କିଚେନ୍ ଗାର୍ଡେନ ଅବା ପାକଶାଳା ଉଦ୍ୟାନ କୁହାଯାଏ। ଏହି ଚାଷଟି ସାଧାରଣତଃହ ରାସାୟନିକ ପ୍ରକ୍ରିୟାରେ କରିବା ପରିବର୍ତ୍ତେ ଜୈବିକ ବା ପ୍ରାକୃତିକ ଉପାୟରେ କରାଯାଏ। ଏହି ପାକଶାଳା ଉଦ୍ୟାନ କାର୍ଯ୍ୟଟି ଖୁବ୍ ଲୋକପ୍ରିୟ ହେବାରେ ଲାଗିଛି। ଏପରିକି ବର୍ତ୍ତମାନ ପ୍ରତି ବର୍ଷ ଅଗଷ୍ଟ ମାସର ଶେଷ ରବିବାରକୁ ବିଶ୍ଵ କିଚେନ ଗାର୍ଡେନ ଦିବସ ରୂପେ ପାଳନ ମଧ୍ଯ କରାଯାଉଛି। ଏହି ଦିବସ ସର୍ବ ପ୍ରଥମେ ୨୦୦୩ ମସିହାରେ କିଚେନ୍ ଗର୍ଡନର୍ସ ଇଣ୍ଟର ନେସନାଲ ସଙ୍ଗଠନ ଦ୍ଵାରା ପାଳନ କରାଗଲା। ଏହି ଦିବସ ପାଳନ ଦ୍ଵାରା ନିଜର ତଥା ନିଜ ପରିବାର ପାଇଁ ସୁସ୍ଥକର ଖାଦ୍ୟ ଉତ୍ପାଦନ କରୁଥିବା ବ୍ୟକ୍ତି ତଥା କୃଷକଙ୍କୁ ତାଙ୍କର ମହତ ଉଦ୍ୟମ ପାଇଁ ପ୍ରେରଣା ମିଳିଥାଏ। କିଚେନ୍ ଗାର୍ଡେନ କାର୍ଯ୍ୟକ୍ରମ ରେ ସାଧାରଣତଃହ ରୋଷେଇ ଘରୁ ବାହାରୁଥିବା ଆବାବର୍ଜନର ସୁବିନିଯୋଗ କରି ଜଣେ ନିଜ ଛାତ ଉପରେ ବିଭିନ୍ନ ପ୍ରକାରର ପନିପରିବା, ଶାଗ, ଫଳ, ଲେମ୍ବୁ, ଲଙ୍କା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଫଳ ଇତ୍ୟାଦି ଉତ୍ପାଦନ କରୁଛନ୍ତି। ବର୍ତମାନ ଆମ ରାଜ୍ୟଠାରୁ ଆରମ୍ଭ କରି ସାରା ଦେଶରେ କିଚେନ ଗାର୍ଡେନ କାର୍ଯ୍ୟକୁ ଆପଣେଇବାକୁ ଉଦ୍ୟମ ଆରମ୍ଭ ହୋଇଛି। ଦେଶରେ ଥିବା ଗରିବ ତଥା ଅପପୃଷ୍ଟିର ସ୍ଥିତିକୁ ଅନୁଧ୍ୟାନ କଲେ ଏହାର ଆବଶ୍ୟକତା ଅନେକ ବୋଲି ମନେ ହୁଏ। ଏନ୍.ଏଫ୍.ଏଚ୍.ଏସ ( ୨୦୨୦-୨୦୨୧) ଅନୁଯାୟୀ ଆମ ରାଜ୍ୟ ଓଡ଼ିଶାରେ ସମୁଦାୟ ୨୯.୭ ( ସହରରେ ୨୧.୫ ଏବଂ ଗ୍ରାମାଞ୍ଚଳ ରେ ୩୧) ପ୍ରତିଶତ ପିଲା ଆଜିବି କମ ଓଜନର ଶିଶୁ ଅଛନ୍ତି। ସେହିପରି ଗର୍ଭବତୀ ମା ଙ୍କର ରକ୍ତହୀନତା ମଧ୍ୟ ଏକ ବିରାଟ ଆହ୍ବାନ ଅଟେ। ଏସବୁ ସମସ୍ୟାର ନିରାକରଣ ଉତ୍ତମ ତଥା ପୁଷ୍ଟିକର ଖାଦ୍ୟ ବିନା ଚିନ୍ତାକରାଯାଇ ନପାରେ। ଉତ୍କଟ ଦାରିଦ୍ର୍ୟତା ତଥା ଭୂମିହୀନତା ଏହି ସମସ୍ୟାର ଏକ ପ୍ରମୁଖ କାରଣ।
ଏହା ଛଡ଼ା ଅନେକ ଲୋକଙ୍କର ନିଜସ୍ଵ ଜମି ମଧ୍ୟ ନାହିଁ। ଉତ୍କଟ ଦାରିଦ୍ର୍ୟତା ରେ ଉବୁଡୁବୁ ଅନେକ ଛୋଟ ପିଲା ସାଧାରଣ ମିଲ ବା ମଧ୍ୟାହ୍ନ ଭୋଜନ ପାଇଁ ମଧ୍ୟ ସେମାନେ ବିଦ୍ୟାଳୟ ରେ ମିଳୁଥିବା ମଧ୍ୟାହ୍ନ ଭୋଜନ ଉପରେ ହିଁ ନିର୍ଭର କରନ୍ତି। ସେହିପରି ଆଜିବି ସରକାରୀ ରାସନ ନମିଳିଲେ ଅନେକ ଲୋକଙ୍କର ଚୁଲି ଜଳିବା ମୁଷ୍କିଲ। ଏପରି ସ୍ଥିତିର ପୃଷ୍ଟିକର ଖାଦ୍ୟ ବିଷୟରେ କିଏବା କଣ ଚିନ୍ତା କରିପାରିବ? ଭୂମିହୀନ, ନାମମାତ୍ର ଚାଷୀ ହୁଅନ୍ତି କି ସହରରେ ଥିବା ଛାତ ଘରେ ରହୁଥିବା ସହରୀ ଲୋକ ହୁଅନ୍ତି ତ।, ଏଠି ଚାଷଭୂମି ଅଭାବ, ଚାଷ ପାଇଁ ସମସ୍ୟା ପାଲଟେ। ଏହା ବ୍ୟତୀତ ସହରରେ ପନିପରିବା ହେଉ କି ଶାଗ କିମ୍ବା ଲଙ୍କା ତଥା ଧାଣିଆପତ୍ର, ସବୁଜିନିଷ ଆଜି ରାସାୟନିକ ବିଷରେ ପରିପୂର୍ଣ୍ଣ। ସହରରେ ଥିବା ସଚେତନ ନାଗରିକ ଆଜି ନିଜ ଛାତକୁ ଖୁବ୍ ସୁନ୍ଦର ଭାବରେ ଚାଷଭୂମି ରୂପାନ୍ତରିତ କରିଛନ୍ତି। ଭୁବନେଶ୍ୱରର ଜଣାଶୁଣା କିଚେନ୍ ଗର୍ଡନର୍ ଶ୍ରୀମତି ଭାରତୀ କାନୁନଗୋ ତାଙ୍କ ଲେଖା “ଛାତ ଉପରେ ବଗିଚା” ରେ ଉଲ୍ଲେଖ କରିଛନ୍ତି ଯେ ବର୍ତ୍ତମାନ ହୁହୁ ହୋଇ ବଢ଼ୁଥିବା ଦରଦାମ ଗୃହିଣୀଙ୍କ ଊପରେ ଆର୍ଥିକ ଚାପ ପକେଇଛି। ତେଣୁ ନିଜ ଛାତ ଉପରେ ଆମେ ଚାଷ କଲେ ଆମର ଆବଶ୍ୟକତା ପୂରଣ ହେବା ସହିତ ରାସାୟନିକ ସାର ମୁକ୍ତ ଖାଦ୍ୟ ପାଇପାରିବା। ସେହିପରି ପ୍ରସିଦ୍ଧ ଜୈବିକ ଚାଷ ଏକ୍ସପର୍ଟ ଶ୍ରୀଯୁକ୍ତ ଏକାଦଶୀ ନନ୍ଦୀଙ୍କ କହିବାନୁଯାୟୀ ନିଜ ଘରୁ ବାହାରୁଥିବା ପରିବା ଚୋପା ତଥା ଅନ୍ୟାନ୍ୟ ବର୍ଜ୍ୟବସ୍ତୁକୁ ଅଳିଆ ଭାବିବା ପରିବର୍ତ୍ତେ ଆମେ ତାକୁ ଜୈବିକକ୍ଷତ ହିସାବରେ ବ୍ୟବହାର କରୁଛୁଁ। ରାସାୟନିକ ସାର ବିହୀନ ଖାଦ୍ୟ ଖାଇବା ଦ୍ବାରା ସୁସ୍ଥ ରହି ପରୁଛୁଁ। ଏଠି କଥାଟି ସ୍ପଷ୍ଟ ହୋଇଯାଉଛି ଯେ ଆଜି ସହରରେ ଆଳିଆ ଆବର୍ଜନା ଏବଂ ତାର ପରିଚାଳନା ଏକ ବିରାଟ ସମସ୍ୟା ହୋଇ ଛିଡା ହୋଇଛି। ମାତ୍ର କିଚେନ ଗାର୍ଡେନ ମଧ୍ୟମରେ ଆବର୍ଜନାର ସୁବିନିଯୋଗ ଦ୍ଵାରା ପରିବେଶ ସଫାସୁତୁରା ମଧ୍ଯ ରଖା ଯାଇପାରିବ। ଜୈବିକ ବା ପ୍ରାକୃତିକ ଉପାୟରେ ଚାଷ କଲେ ତାହା ପ୍ରକୃତି ବା ଜଳବାୟୁ ପ୍ରତି ମଧ୍ଯ ଖୁବ୍ ଭଲ। ତେଣୁ ଆସନ୍ତୁ ସମସ୍ତେ ଏହି କିଚେନ ଗାର୍ଡେନ ଆନ୍ଦୋଳନରେ ସାମିଲ ହୋଇ ଏକ ନୂଆ ସମ୍ଭାବନା ସୃଷ୍ଟି କରିବା।