ପୁରୀ: ନକଲି ଗୁମାସ୍ତା ସାଜି ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣା ଦର୍ଶନ କରାଇବା ପଡିଲା ମହଙ୍ଗା । ଶ୍ରଦ୍ଧାଳୁଙ୍କଠାରୁ ଜବରଦସ୍ତ ଟଙ୍କା ମାଗିବା, ଟଙ୍କା ନମିଳିବାରୁ ଗାଳିଗୁଲଜ କରିବା ଅଭିଯୋଗରେ ସିଂହଦ୍ୱାର ଥାନା ପୋଲିସ ୧୧ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରିଛି । ସିସିଟିଭି ଫୁଟେଜ ଅନୁଧ୍ୟାନ, ତଥ୍ୟ ଓ ପ୍ରମାଣ ଆଧାରରେ ଏମାନଙ୍କୁ ଗିରଫ କରାଯାଇଛି ।
ଗୁରୁବାର ପୂର୍ବାହ୍ଣରେ ଉତ୍ତରଦ୍ୱାର ପରିକ୍ରମା ମାର୍ଗରେ ୫ଜଣ ନିଜକୁ ଗୁମାସ୍ତା କହି ଶ୍ରଦ୍ଧାଳୁଙ୍କୁ ଠାକୁର ଦର୍ଶନ ଲାଗି ବ୍ୟସ୍ତ ରହିଥିଲେ । ମାତ୍ର ସେମାନଙ୍କ କଥା ଶ୍ରଦ୍ଧାଳୁ ନଶୁଣିବାରୁ ସେମାନଙ୍କୁ ଗାଳିଗୁଲଜ କରୁଥିଲେ । ଏହି ଖବରପାଇ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଚଢାଉ କରିଥିଲା ସିଂହଦ୍ୱାର ପୋଲିସ । ଚଢାଉ ସମୟରେ ପୋଲିସ ୫ ଜଣ ନକଲି ଯାତ୍ରୀ ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଗିରଫ ୫ ଅଭିଯୁକ୍ତ ହେଲେ ନିମାପଡ଼ା ଥାନା ଅଧୀନ ଅରିଷଣ୍ଢ ଗ୍ରାମର ଶଙ୍କର ବିଶ୍ୱାଳ, ବାସେଳିସାହି ଥାନା ଅଧୀନ ମାର୍କଣ୍ଡେଶ୍ୱର ସାହି ରାଧାକାନ୍ତ ଲେନ୍ର ଅରୁଣ ପାତ୍ର, ଜଗନ୍ନାଥବସ୍ତିର ବାବୁଲି ମହାପାତ୍ର, ଚନ୍ଦନପୁର ଥାନା ଅଧୀନ ଶିରୁଳୀମହାବୀରର ସର୍ବେଶ୍ୱର ରାଉତ ଓ ଭଦ୍ରକର ରଞ୍ଜିତ୍ ସାମନ୍ତରାୟ । ଏମାନଙ୍କଠାରୁ ପୁଲିସ ପାଖାପାଖି ୧ ହଜାର ଟଙ୍କା ଜବତ କରିଛି ।
ସେହିପରି ଆଜି ପୋଲିସ ୩ ଜଣ ନକଲି ଯାତ୍ରୀ ଗୁମାସ୍ତାଙ୍କୁ ଗିରଫ କରିଛି । ଆଜି ଗିରଫ ହୋଇଥିବା ୩ ଜଣଙ୍କ ଠାରୁ ନଗଦ ୨୬୨୦ ଟଙ୍କା ଓ ୩ ମୋବାଇଲ ଜବତ କରାଯାଇଛି । ଏମାନଙ୍କ ସହ ଆଉ କାହାର ସଂପୃକ୍ତି ଅଛି, ତାହାର ତଦନ୍ତ କରାଯାଉଥିବା ପୁରୀ ଏସପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।
