Latest Odisha News

BREAKING NEWS

ଅବିଭକ୍ତ କୋରାପୁଟ ଜିଲ୍ଲାରୁ ହଜି ଯାଇଛି ୧୨ ହଜାର ପ୍ରଜାତିର ଦେଶୀ ଧାନ ବିହନ

ରାୟଗଡ଼ା: ରାଜ ରାଜୁଡା ଶାସନ କାଳରେ ଦେଶୀ ଧାନ ବିହନର ବେସ ଚାହିଦା ରହିଥିଲା। ହେଲେ ଧୀରେ ଧୀରେ ରାଜ ରାଜୁଡା ଶାସନ ଲୋପ ପାଇବା ସାଙ୍ଗକୁ ଦେଶୀ ଧାନ ବିହନ ମଧ୍ୟ ବିଲୁପ୍ତ ହେଇଯାଇଛି। ସେତେବେଳର ଜୟପୁର ରାଜତନ୍ତ୍ର ଶାସନ ଅର୍ଥାତ୍ ବର୍ତ୍ତମାନର କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ ରାୟଗଡ଼ ଜିଲ୍ଲାରେ ୧୯୭୦ ମସିହାରେ ପ୍ରାୟ ୧୨ ହଜାର ଦେଶୀ ଧାନ ବିହନର ବ୍ୟବହାର କରୁଥିଲେ ଏହିସବୁ ଅଞ୍ଚଳର ଅଧିବାସୀ। ହେଲେ ଏବେ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ହଜି ଯାଇଛି ୧୨ ହଜାର ପ୍ରଜାତିର ଦେଶୀ ଧାନ ବିହନ। ଏହି ଦେଶୀ ଧାନର ସଂରକ୍ଷଣ କରିପାରୁନି ପାରମ୍ପରିକ କୃଷି ବିକାଶ ଯୋଜନା।

୧୯୯୯ ମସିହାରେ ଲିଭିଙ୍ଗ ଫାଉଣ୍ଡେସନ ନାମକ ଏକ କୃଷି ଭିତ୍ତିକ ସ୍ୱେଚ୍ଛାସେବୀ ସଂଗଠନ କୋରାପୁଟ ଜିଲ୍ଲାର ୫ଟି ଗାଁରେ ଦେଶୀ ଧାନ ବିହନରକୁ ନେଇ ଅନୁଧ୍ୟାନ କରିବା ସମୟରେ ୭୦ କିସମର ଦେଶୀ ଧାନ ବିହନ ଚିହ୍ନଟ କରାଯାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ୨୦୧୩ ମସିହାରେ ପୁଣିଥରେ ସେ ଅଞ୍ଚଳରେ ଦେଶୀ ଧାନ ବିହନରକୁ ନେଇ ଦ୍ୱିତୀୟ ଥର ଅନୁଧ୍ୟାନ କରିବା ସମୟରେ ୪୦ କିସମର ଦେଶୀ ଧାନ ବିହନ ଥିବା ଜଣାପଡିଥିଲା। ମୋଟାମୋଟି ଭାବେ କହିବାକୁ ଗଲେ ୨୦୧୩ ମସିହାରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୨ ହଜାର ଦେଶୀ ଧାନ ବିହନ ବଦଳରେ ରହିଛି ମାତ୍ର ୨୦୦୦ କିସମର ଦେଶୀ ଧାନ ବିହନ ବୋଲି ଜଣାପଡିଛି।

ସବୁଠାରୁ ବଡ କଥା ପାରମ୍ପରିକ ଚାଷ କରିବାକୁ ଆଉ ଆଗ୍ରହ ପ୍ରକାଶ କରୁ ନାହାଁନ୍ତି ମାଳ ଅଞ୍ଚଳର ଚାଷୀ। ପୂର୍ବରୁ ଅବିଭକ୍ତ କୋରାପୁଟର ଭୌଗଳିକ ସ୍ଥିତି, ପାଣିପାଗ, ମାଟିର ଆଦ୍ରତା ସହ ଜଳସେଚନକୁ ଦୃଷ୍ଟିରେ ରାଖି ନିଜ ସାଇତି ଥିବା ପାରମ୍ପରିକ ଦେଶୀ ଧାନବିହନ ବ୍ୟବହାର କରାଯାଉଥିଲା। କିନ୍ତୁ ସମୟାନୁସାରେ ଉତ୍ପାଦନ ବୃଦ୍ଧି ସାଙ୍ଗକୁ ଅଧିକ ଆର୍ଥିକ ଲାଭ ପାଇବା ଆଶାରେ ସରକାରୀ ବିହନ କିମ୍ବା ରାଜ୍ୟ ବାହାର ବିହନ ଉପରେ ନିର୍ଭର କରୁଛନ୍ତି ଏଠିକା ଚାଷୀ। ଯାହା ଫଳରେ ପାଣିପାଗର ଅସ୍ଥିରତା ସାଙ୍ଗକୁ ଅନେକ ସମୟରେ ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହେଉଥ‌ିବା ଚାଷୀ କେବଳ ଲଘୁଚାପ ଜନିତ ବର୍ଷା କିମ୍ବା ସ୍ଵର୍ଗାଧାରର ବର୍ଷା ଉପରେ ନିର୍ଭର କରୁଛି।

ପୁଣି ଏହି ସବୁ ମାସରେ ନିଅଣ୍ଟିଆ ବର୍ଷ ବେଳେ ବେଳେ ଚାଷୀଙ୍କୁ ଚିନ୍ତାରେ ପକାଇଛି। ତେଣୁ ଜଳବାୟୁ ପରିବର୍ତ୍ତନ ସିଧାସଳଖ ଭାବେ କୃଷିକ୍ଷେତ୍ରରେ ପଡ଼ିବା ଯୋଗୁଁ ଚାଷ କାମ ବାଧାପ୍ରାପ୍ତ ହେଉଛି। ପୁଣି ଉତ୍ପାଦନ ହାର ମଧ୍ୟ କମି ଯାଇଛି। ତେଣୁ ଚାଷୀ ଅଧିକ ଉତ୍ପାଦନ ବୃଦ୍ଧି ପାଇଁ ପାରମ୍ପରିକ ବିହନକୁ ଭୁଲି ଶଙ୍କର ଜାତୀୟ ବିହନ ପୂଜା, ଟିକି ମସୁର, ସ୍ବରନା ମସୁଶୀ , ସୃଷ୍ଟି ମସୁରୀ, ମାସୁର, ଲଲାଟ, ପ୍ରତୀକ୍ଷା, ପୂଜା, ସହଭାଗୀ, ୧୦୬୨, ବିପିଟ, ୫୭୦୪, ଦୀକ୍ଷା ଭଳି ଧାନ ବିହନକୁ ପସନ୍ଦ କରୁଛି। ଫଳରେ ମହୁଳ କାଞ୍ଚି, ମୁରାଲିକାମୁ ହଳଦୀ ଗୁଣ୍ଡି, କଂସ ପୁରୀ, ଦିଗନ୍, ଜୟଗୁଡ଼ି, କଳସ, ବନ୍ୟାସାରି ଆମ୍ବ ଟୁଟୁ, ଆମରୁଣ୍ଡି, ବାରମଣି, ଗାଏସି, ଗଜପତି ବୀରଫୁଲ, ଗଳେ, ଝଙ୍ଗିର ଖୁଷ, ଗେହ୍ଲେଇ କଣି, କେନେଥା, ଗୋଛାମେଡ଼।, ନେଟମ ନୃପ୍ରତି ରୋଗ, ପଠି, ପିପିଲ୍ ବାସୁ ରୂପାବାଲି ସୁଗନ୍ଧି, ଠାକୁରଭୋଗ, ଶଙ୍କରି ବଳକେହି, ଭଙ୍ଗା ବାରେହି, ବେନିଆ ସେପରି, ଭାରେଲି, ପଟ୍ଟାଗିଲି ପରା ଖଲି, ଚୂଲା ସପୁରୀ, ଦେଶୀ ସପୁରୀ, ଧ୍ରୁବ ରାଜ, ଚୀନ, ମାଈ, ଅପ ବସୁମତୀ, ତୁମେର ଫୁଲ, ଗୋରା ବଳଦା ମୋରା, ହରିଶଙ୍କର, ଜଳଘଣ୍ଟା, ଜୀରା କରି, କବଳୀ କେଣ୍ଡା, କାଳିଆ, କୁସୁମ, ଲାଲଗୋରୀ, ସମ୍ବାଭୋଗ, ମଲିଫୁଳିଆ ଶଙ୍କର, ଟିକର, ରମା କଲି, ଗୁରୁମାଛି, ଯୁବରାଜ ସୁନା ପଶୀ, ସୋରିଷଫୁଲ, ପୃଥୀରଳ, ନଡ଼ିଆ କଟ।, ମେନକା, ମୁରିଦାନା ଓ ଟୀକା ହଳଦୀ ଭଳି ପାରମ୍ପରିକ ଧାନ ବିହନ ଏବେ ଲୋପ ପାଇବାକୁ ବସିଲାଣି।

ତେବେ କାଶିପୁର ତଥା କଳାହାଣ୍ଡି ଜିଲ୍ଲାର ଚାଷୀ କିଛି ମାତ୍ରାରେ ପାରମ୍ପରିକ ଧାନ ବିହନ ସଂରକ୍ଷଣ ସାଙ୍ଗକୁ ଚାଷ କରୁଥିବା କେଳେ କଲିକତାରୁ ଆସି ବିଷମକଟକର କେରାଣ୍ଡିଗୁଡା ଠାରେ କୃଷି ବିଜ୍ଞାନି ଡ. ଦେବଲ ଦେ ୧୪୬୦ ପ୍ରଜାତିର ଦେଶୀ ପାରମ୍ପରିକ ଧାନ ବିହନକୁ ବଞ୍ଚାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ସବୁଠାରୁ ବଡ କଥା ସୀମାନ୍ତ ଜିଲ୍ଲା ଗୁଡିକରେ ଧୀରେ ଧୀରେ ଧାନ ଚାଷ ହିଁ ଲୋପ ପାଇବାକୁ ବସିଲାଣି। ଜିଲ୍ଲା ପ୍ରଶାସନର ରିପୋର୍ଟ ମୁତାବକ ୨୦୨୦ ମସିହାରେ ୫୫ହଜାର ୧୧୩ ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା ବେଳେ ଚଳିତ ବର୍ଷ ରାୟଗଡାରେ ମୋଟ ୨୦ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଛି। ଲୋପ ପାଇବାକୁ ଯାଉଥିବା ଏହି ପୁରାତନ ଧାନ ବିହନକୁ ସଂରକ୍ଷଣ ସାଙ୍ଗକୁ ଆଧୁନିକ ପ୍ରଣାଳୀରେ ପାରମ୍ପରିକ ଚାଷକୁ ପ୍ରତ୍ସାହନ ଦେବା ପାଇଁ କୃଷି ବିକାଶ ଯୋଜନା କାର୍ଯ୍ୟକାରୀ ହେଉଥିଲେ ସୁଧା ଏହାର ସୁଫଳ ଚାଷୀଙ୍କ ନିକଟରେ ପହଞ୍ଚି ପାରୁନାହିଁ।

Leave A Reply

Your email address will not be published.