ନୂଆଦିଲ୍ଲୀ: ଦୀର୍ଘ ଦଶନ୍ଧି ଧରି ସୁରକ୍ଷାକର୍ମୀକୁ ଚକମା ଦେଇ ଚାଲିଥିଲା। ସୁରକ୍ଷାକର୍ମୀଙ୍କ ଆଖିରେ ଧୂଳି ଦେଇ ଘଟାଉଥିଲା ହିଂସାକାଣ୍ଡ। ତାକୁ କାବୁ କରିବାକୁ ସୁରକ୍ଷାକର୍ମୀଙ୍କ ସବୁ ଉଦ୍ୟମ ଫେଲ ମାରିଥିଲା। ଏପରି କି ତା ସମ୍ପର୍କରେ ସୂଚନା ପାଇଁ ୧ କୋଟି ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା। ନକ୍ସଲ କେନ୍ଦ୍ରୀୟ କମିଟିର ବରିଷ୍ଠ ସଦସ୍ୟ ଜୟରାମ ରେଡ୍ଡୀ ଓରଫ ଚାଲାପତିକୁ କେହି ଧରି ପାରୁ ନଥିଲେ। କିନ୍ତୁ ପତ୍ନୀଙ୍କ ସହ ଗୋଟିଏ ସେଲଫି ଜୟରାମକୁ ମହଙ୍ଗା ପଡ଼ିଛି। ଏହି ସେଲଫି ଯୋଗୁ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛି ଜୟରାମ।
ଦିନକ ତଳେ ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ହୋଇଥିବା ଅପରେସନରେ ୨୦ ଜଣ ମାଓବାଦୀ ନିହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛି ଜୟରାମ। ୨୦୦୮ରେ ଓଡ଼ିଶାର ନୟାଗଡ଼ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଉପରେ ଘାତକ ଆକ୍ରମଣ କରିଥିଲେ ନକ୍ସଲ। ଏଥିରେ ୧୩ ଜଣ ଯବାନ ପ୍ରାଣ ହରାଇଥିଲେ। ଏହି ହମଲାର ମାଷ୍ଟରମାଇଣ୍ଡ ଥିଲା ଜୟରାମ। କେବଳ ଏତିକି ନୁହେଁ, ଏହି ଆକ୍ରମଣରେ ମାଓବାଦୀମାନେ ପୋଲିସ୍ ଠାରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଲୁଟ କରିଥିଲେ।
୨୦୦୮ରୁ ପୋଲିସ୍ ଜୟରାମକୁ ଧରିବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରଖିଥିଲେ ମଧ୍ୟ ତାର ଟେର ପାଇନଥିଲା। ଏପରିକି ସୁରକ୍ଷାକର୍ମୀଙ୍କ ପାଖରେ ତାର ଭଲ ଫଟୋଟିଏ ମଧ୍ୟ ନଥିଲା। ପୋଲିସ୍ ପାଇଁ ଜୟରାମକୁ ଧରିବା ବଡ ଚ୍ୟାଲେଞ୍ଜ ହୋଇଥିବାବେଳେ ପତ୍ନୀ ଅରୁଣା ସହ ଗୋଟିଏ ସେଲଫି ତା’ର ସବୁ ଯୋଜନାକୁ ପଣ୍ଡ କରିଥିଲା।
ସୂଚନା ମୁତାବକ, ୨୦୧୬ରେ ଆନ୍ଧ୍ର ପ୍ରଦେଶର ଏକ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ଜଙ୍ଗଲର ଏକ ପରିତ୍ୟକ୍ତ ସ୍ଥାନରୁ ଗୋଟିଏ ସ୍ମାର୍ଟଫୋନ ମିଳିଥିଲା। ଏହି ଫୋନ ଯାଞ୍ଚ କରିବା ପରେ ଜୟରାମ ଓ ଅରୁଣାର ସେଲଫି ମିଳିଥିଲା।
ଆନ୍ଧ୍ର ପ୍ରଦେଶର ଚିତ୍ତୋରରେ ଜନ୍ମ ଗ୍ରହଣ କରିଥିବା ଜୟରାମ ରେଡ୍ଡୀ, ମାଓ କେନ୍ଦ୍ରୀୟ କମିଟିର ଅନ୍ୟତମ ବରିଷ୍ଠ ସଦସ୍ୟ ଭାବେ କାମ କରୁଥିଲା। ଛତିଶଗଡ଼ର ବସ୍ତର ଅନ୍ତର୍ଗତ ଅବୁଝମଦ ଜଙ୍ଗଲରେ ନିୟମିତ ଏନକାଉଣ୍ଟର ହେବାରୁ, ସେ ସେଠାରୁ ନିଜର କ୍ୟାମ୍ପକୁ ଓଡ଼ିଶା ସ୍ଥାନାନ୍ତର କରିଥିଲା।
ଗୁଇନ୍ଦା ବିଭାଗ ସୂଚନା ପରେ ଉଭୟ ରାଜ୍ୟର ଏସଓଜି ଯବାନମାନେ ସୋମବାର ରାତିରୁ ଅପରେସନ ଆରମ୍ଭ କରିଥିଲେ । ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ କିଛି ଘଣ୍ଟାର ପ୍ରବଳ ଗୁଳି ବିନିମୟ ପରେ ୨୦ ଜଣ ନକ୍ସଲଙ୍କ ମୃତଦେହ ଜଙ୍ଗଲ ମଧ୍ୟରୁ ମିଳିଥିଲା। ଏମାନଙ୍କ ମଧ୍ୟରେ ରହିଛି ଜୟରାମ ରେଡ୍ଡୀ । ଏହାବ୍ୟତୀତ ନିହତ ନକ୍ସଲମାନଙ୍କ ନିକଟରୁ ବିପୁଳ ପରିମାଣର ବନ୍ଧୁକ, ଗୁଳିଗୋଳା ମଧ୍ୟ ଜବତ ହୋଇଛି।
ବ୍ୟୁରୋ ରିପୋର୍ଟ ଓଡ଼ିଶା ସମ୍ବାଦ
Comments are closed.