Latest Odisha News

BREAKING NEWS

ଜମି ପଟ୍ଟା ପାଇବେ ୨୬ ଜିଲ୍ଲାର ୨ ଲକ୍ଷ ୫୦ ହଜାର ଚାଷୀ; ପ୍ରଥମ ଦିନରେ ପାଇଲେ ୧୦ ହଜାର ହିତାଧିକାରୀ

ଭୁବନେଶ୍ବର: ଦୀର୍ଘ ବର୍ଷର ଜମିଜମା ସମସ୍ୟାର ହେଲା ସମାଧାନ । ସିକିମ ସ୍ୱତ୍ୱ ରୟତ ଚାଷୀଙ୍କୁ ମିଳିଲା ଜମି ପଟ୍ଟା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ସ୍ୱତନ୍ତ୍ର ସମାରୋହରେ ପ୍ରଥମ ଦିନରେ ୨୬ ଟି ଜିଲ୍ଲାର ୧୦ ହଜାର ସିକିମ ରୟତ ଚାଷୀମାନଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି । ଏହି ଐତିହାସିକ ପଦକ୍ଷେପ ଫଳରେ ଓଡ଼ିଶାର ପ୍ରାୟ ୨ ଲକ୍ଷ ୫୦ ହଜାର ସିକିମ ରୟତ ଓ ତାଙ୍କ ଉତ୍ତରାଧିକାରୀ ଉପକୃତ ହେବେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଜନସାଧାରଣଙ୍କ ସମସ୍ୟାର ସମାଧାନ ଉପରେ ତାଙ୍କ ସରକାର ସର୍ବାଧିକ ପ୍ରାଥମିକତା ଦେଇଆସିଛି । ସିକିମ ରୟତମାନଙ୍କର ସମସ୍ୟା ବହୁ ଦିନର ସମସ୍ୟା ଥିଲା । ଜମି ଉପରେ ସେମାନଙ୍କ ଅଧିକାର ନ ଥିବାରୁ ସେମାନଙ୍କର ଆର୍ଥିକ ଓ ସାମାଜିକ ଜୀବନ ପ୍ରଭାବିତ ହେଉଥିଲା । ସରକାରଙ୍କ ବିଭିନ୍ନ କୃଷି ବିକାଶ କାର୍ଯ୍ୟକ୍ରମରେ ମଧ୍ୟ ସେମାନେ ଲାଭ ପାଇପାରୁନଥିଲେ । ସିକିମ ରୟତମାନଙ୍କର ଶହ ଶହ ବର୍ଷର ସମସ୍ୟାର ସମାଧାନକୁ ଏକ ଐତିହାସିକ ପଦକ୍ଷେପ ଭାବରେ ବର୍ଣ୍ଣନା କରି ଲୋକମାନଙ୍କର ଖୁସି ହିଁ ତାଙ୍କର ସବୁଠାରୁ ବଡ ପୁରସ୍କାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ’।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5-T ତଥା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଲୋକମାନଙ୍କଠାରୁ ସିକିମ ସ୍ୱତ୍ୱ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ନିବେଦନ ପତ୍ର ପାଇଥିଲେ । ସିକିମ ସ୍ୱତ୍ୱ ଭାବରେ ରେକର୍ଡ ହୋଇଥିବା ଜମିକୁ ଦଖଲକରୁଥିବା ବ୍ୟକ୍ତିମାନଙ୍କୁ ଉପ-ରୟତ କିମ୍ବା ଅଧସ୍ତନ-ରୟତ କୁହାଯାଏ । ଓଡିଶା ଭୂ-ସଂସ୍କାର ଆଇନ, ୧୯୬୦ ଅନୁଯାୟୀ ସିକିମ ଜମିରେ ରୟତି ଘୋଷଣା ନିମନ୍ତେ ଆବେଦନ କରିବାର ଶେଷ ଅବଧି ୧୯୭୭ ମସିହା ପର୍ଯ୍ୟନ୍ତ ଥିଲା ।

ସମସ୍ତ ସିକିମ ଚାଷୀ ଏହି ସମୟ ଅବଧି ଭିତରେ ଆବେଦନ କରିପାରି ନ ଥିଲେ । ଏହି ସବୁ ନିବେଦନ ପତ୍ରକୁ ଅନୁଧ୍ୟାନ କରି ସିକିମ ସ୍ୱତ୍ୱ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ରାଜସ୍ୱ ଟାସ୍କଫୋର୍ସକୁ ଏହା ପ୍ରେରଣ କରାଯାଇଥିଲା । ରାଜସ୍ୱ ଟାସ୍କଫୋର୍ସ ରାଜସ୍ୱ ଆୟୁକ୍ତ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ରାଜସ୍ୱ ବିଭାଗର କାର୍ଯ୍ୟରତ ବରିଷ୍ଠ ଅଧିକାରୀ ତଥା ବିଭିନ୍ନ ବିଶେଷଜ୍ଞ ମାନେ ବ୍ୟାପକ ବିଚାର ବିମର୍ଶ କରି ଓଡିଶା ଭୂ-ସଂସ୍କାର ଆଇନକୁ ସଂଶୋଧନ କରିବା ପାଇଁ ପରାମର୍ଶ ଦେଇଥିଲେ । ଯାହା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ତ୍ୱରିତ ସଂଶୋଧିତ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜସ୍ବ ବିଭାଗ ତରଫରୁ ସ୍ଵତଃସ୍ପୂର୍ତ ଭାବେ ସିକିମ ରୟତ ମାନଙ୍କ ତରଫରୁ ଦରଖାସ୍ତ ଆବେଦନ କରାଯାଇ ବହୁ ସିକିମ ପଟ୍ଟା ସିକିମ ରୟତ କିମ୍ବା ସେମାନଙ୍କର ଉତ୍ତରାଧିକାରୀମାନଙ୍କ ନାମରେ ସଂଶୋଧିତ ହୋଇସାରିଛି ।

Leave A Reply

Your email address will not be published.