ନୂଆଦିଲ୍ଲୀ: ପିଆଜ ରପ୍ତାନୀ ଉପରୁ ବ୍ୟାନ ହଟିବା ଖବର ବ୍ୟାପିବା ପରେ ଆଜି ଅଚାନକ ପିଆଜ ଦର ବୃଦ୍ଧି ପାଇଥିଲା। ଏହାକୁ ନେଇ ସରକାର ସ୍ପଷ୍ଟ କରିଛନ୍ତି ଯେ ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଜାରି ରହିବ। ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ହଟାଯାଇଥିବା ରିପୋର୍ଟକୁ ଗ୍ରାହକ ବ୍ୟାପାର ସଚିବ ରୋହିତ କୁମାର ସିଂ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଜାରି ରହିଛି ଏବଂ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ।
ଉପଭୋକ୍ତା ବ୍ୟାପାର ସଚିବ ରୋହିତ କୁମାର ସିଂ ପିଟିଆଇକୁ କହିଛନ୍ତି ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ହଟାଯାଇ ନାହିଁ। ପ୍ରତିବନ୍ଧକ ଏବେବି ଜାରି ରହିଛି। ସାମ୍ପ୍ରତିକ ପରିସ୍ଥିତିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ସେ କହିଛନ୍ତି ଯେ ଘରୋଇ ଗ୍ରାହକଙ୍କୁ ଉଚିତ ମୂଲ୍ୟରେ ପିଆଜର ପର୍ଯ୍ୟାପ୍ତ ଉପଲବ୍ଧତା ନିଶ୍ଚିତ କରିବା ହେଉଛି ସରକାରଙ୍କ ସବୁଠାରୁ ବଡ ପ୍ରାଥମିକତା। ରୋହିତ କୁମାର ସିଂ କହିଛନ୍ତି, ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଜାରି ରହିବ। ମୂଲ୍ୟକୁ ନିୟନ୍ତ୍ରଣ କରିବା ଏବଂ ଘରୋଇ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି। ୮ ଡିସେମ୍ବର ୨୦୨୩ରେ, ସରକାର ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲେ।
ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ହଟାଇବା ଖବର ଆସିବା ମାତ୍ରେ ହୋଲସେଲ ପିଆଜ ମୂଲ୍ୟ ପ୍ରାୟ ୪୦.୬୨ ପ୍ରତିଶତ ବୃଦ୍ଧି ପାଇ କ୍ୱିଣ୍ଟାଲ ପିଛା ଆଜି ୧୮୦୦ ଟଙ୍କା ଛୁଇଥିଲା। ଯାହା ଗତ ଦୁଇ ଦିନ ତଳେ ଏହାର ଦର ୧୨୮୦ ଟଙ୍କା ରହିଥିଲା। ଆସନ୍ତା ମାସରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଥିବାରୁ ଓ ଆଗାମୀ ଦେଢ ମାସ ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ ସରକାର ଦରବୃଦ୍ଧି ଉପରେ ନିୟନ୍ତ୍ରଣ ରଖିବେ। ଏଭଳି ପରିସ୍ଥିତିରେ ଆସନ୍ତା ୩୧ ମାର୍ଚ୍ଚ ପରେ ପିଆଜ ରପ୍ତାନୀ ଉପରେ ଲାଗିଥିବା କଟକଣା ହଟିବା ସମ୍ଭାବନା ବହୁତ କମ ରହିଛି।
ସେହିପରି ରବି ଋତୁରେ ପିଆଜ ଉତ୍ପାଦନ ବିଶେଷ କରି ମହାରାଷ୍ଟ୍ରରୁ କମ ଉତ୍ପାଦନ ହେବା ସମ୍ଭାବନା ରହିଛି। ୨୦୨୩ର ରବି ଋତୁରେ ପିଆଜ ଉତ୍ପାଦନ ୨.୨୭ କୋଟି ଟନ୍ ବୋଲି ଆକଳନ କରାଯାଇଛି। ତେବେ ଆନ୍ତଃ ମନ୍ତ୍ରୀସ୍ତରୀୟ ଗୋଷ୍ଠୀର ଅନୁମୋଦନ ପରେ ସରକାର ସେମାନଙ୍କ ସମ୍ପର୍କ ତଥା ଅନ୍ୟାନ୍ୟ ଅବସ୍ଥାକୁ ଦୃଷ୍ଟିରେ ରଖି ବନ୍ଧୁତ୍ୱପୂର୍ଣ୍ଣ ଦେଶକୁ ପିଆଜ ରପ୍ତାନି କରିବାକୁ ଅନୁମତି ଦେଇଛନ୍ତି।
Comments are closed.