ନୂଆଦିଲ୍ଲୀ: କେରଳର ପ୍ରସିଦ୍ଧ ସବରିମାଳା ମନ୍ଦିରରେ ବୁଧବାର ମହିଳାଙ୍କ ପ୍ରବେଶ ପରେ ପ୍ରଶାସନ ପକ୍ଷରୁ ସମଗ୍ର ରାଜ୍ୟରେ ହାଇଆଲର୍ଟ ଜାରି ହୋଇଛି।
ମିଳିଥିବା ସୂଚନାନୁଯାୟୀ ଆଜି ଭୋର ପ୍ରାୟ ୩.୪୫ ରେ ପୋଲିସର କଡା ସୁରକ୍ଷାବଳୟରେ ୨ ଜଣ ମହିଳା ଭଗବାନ ଆୟାପ୍ପାଙ୍କ ଦର୍ଶନ ନିମେନ୍ତ ମନ୍ଦିର ମଧ୍ୟରେ ପ୍ରବେଶ କରିଛନ୍ତି। ଏଥିସହିତ ସେମାନଙ୍କ ବୟସ ୫୦ ବର୍ଷ ବୟସରୁ କମ୍ ହେବ ବୋଲି ସୁତ୍ରରୁ ପ୍ରକାଶ ।
ଅନ୍ୟପକ୍ଷରେ ୫୦ ବର୍ଷରୁ କମ୍ ବୟସ୍କ ମହିଳା ସାବରିମାଲା ମନ୍ଦିରରେ ପ୍ରବେଶ କରି ପୂଜାର୍ଚ୍ଚନା କରିବା ଭଳି ଘଟଣା ମନ୍ଦିର ଇତିହାସରେ ପ୍ରଥମ ବୋଲି ଜଣାପଡିଛି।
ଏହି ଘଟଣା ପରେ ସାବରିମାଲା ମନ୍ଦିରରେ ଏବେ ଦର୍ଶନ ବନ୍ଦ କରାଯାଇ ଶୁଦ୍ଧିକରଣ ପ୍ରକ୍ରିୟା ଆରମ୍ଭ କରାଯାଇଛି ଏବଂ ଏହି ଶୁଦ୍ଧିକରଣ ପରେ ପୁଣିଥରେ ଦର୍ଶନ ଆରମ୍ଭ ହେବା ବୋଲି ସୂଚନା ମିଳିଛି। ଏଥିସହିତ ପୋଲିସର ସୁରକ୍ଷା ବଳୟରେ ୨ ଜଣ ମହିଳା ମନ୍ଦିର ମଧ୍ୟରେ ପ୍ରବେଶ କରୁଥିବା ନେଇ ଏକ ଭିଡିଓ ଭାଇରାଲ ହୋଇଥିବା ନଜରକୁ ଆସିଛି ।
ଉଲ୍ଲେଖଯୋଗ୍ୟ ପୂର୍ବରୁ ୨୦୧୮ ମସିହା ଡିସେମ୍ବର ମାସରେ ମଧ୍ୟ ୨ ଜଣ ମହିଳା ସାବରିମାଲା ମନ୍ଦିର ମଧ୍ୟରେ ପ୍ରବେଶ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଭକ୍ତଙ୍କ ବିକ୍ଷୋଭ ଯୋଗୁଁ ସଫଳ ହୋଇପାରିନଥିଲେ ।
ସାବରିମାଲା ମନ୍ଦିରରେ ସବୁ ବର୍ଗର ମହିଳାଙ୍କ ପ୍ରବେଶ ମାମଲାକୁ ନେଇ ପୂର୍ବରୁ ସୁପ୍ରିମ୍କୋର୍ଟର ୫ସଦସ୍ୟ ବିଶିଷ୍ଟ ସାମ୍ବିଧାନିକ ପୀଠ ମନ୍ଦିରରେ ସବୁ ବର୍ଗର ମହିଳା ପ୍ରବେଶ କରିପାରିବେ ବୋଲି ରାୟ ଶୁଣାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଭକ୍ତଙ୍କ ବିକ୍ଷୋଭ ଯୋଗୁଁ ମହିଳାମାନେ ମନ୍ଦିରରେ ପ୍ରବେଶ କରିପାରିନଥିଲେ ।