Latest Odisha News

BREAKING NEWS

ସାଧାରଣ ନା ଦୈବୀ ଲାଉ, ଭକ୍ତଙ୍କୁ ଭୁଆଁ !

ଆନ୍ଧ୍ରପ୍ରଦେଶ: ଖାଇଲେ ଦୈବୀ ଲାଉ ମିଳିବ ସୁଫଳ । କଟିବ ଘାତଚନ୍ଦ୍ର ଦୋଷ, ପ୍ରସନ୍ନ ହେବେ ଲକ୍ଷ୍ମୀ । କିଛି ଏପରି କହି ଚାଲିଥିଲା କୋଟିକୋଟି ଟଙ୍କାର ଲାଉ ବେପାର । ଦେଖିବାକୁ ସାଧାରଣ, ହେଲେ ତାକୁ ଅସାଧାରଣ କହି କିଛି ଲୋକ ଶ୍ରଦ୍ଧାଳୁଙ୍କୁ କାହିଁ କେବେଠୁ ଠକି ଚାଲିଥିଲେ ।

ବେଶ କିଛି ଦିନ ହେଲା ଆନ୍ଧ୍ରପ୍ରଦେଶରେ ଦୈବୀ ଲାଉର ଚର୍ଚ୍ଚା ଜୋର ଧରିଥିଲା । ଖାସ କରି ଶ୍ରୀସାଇଲମ ମନ୍ଦିରକୁ ଆସୁଥିବା ଭକ୍ତମାନେ ଦୈବୀ ଲାଉ ନାଁରେ ଠକାମୀର ଶିକାର ହୋଇଥିଲେ । ଏହି ମାମଲାରେ ଶୁକ୍ରବାର ୨୧ଜଣଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଥିଲା ।

ଏକ ପ୍ରକାର ସ୍ୱତନ୍ତ୍ର ଆକାରର ଲାଉରେ ଦୈବୀ ଶକ୍ତି ଥିବା କହି କିଛି ଲୋକ ଭକ୍ତଙ୍କୁ ଭୁଆଁ ବୁଲାଇ ସେମାନଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକି ନେଇଥିଲେ । ପୋଲିସ ରିପୋର୍ଟ ଅନୁଯାୟୀ ଏକ ଆଶ୍ରମରେ କାମ କରୁଥିବା ଜଣେ ବ୍ୟକ୍ତି ସାଧାରଣ ଲାଉରେ ଦୈବୀ ଶକ୍ତି ଥିବା କହି ଭକ୍ତଙ୍କୁ ବିକ୍ରୟ କରି ମୋଟା ଅଙ୍କର ଅର୍ଥ ଆଦାୟ କରୁଥିଲା ।

ଖାସ କରି ତେଲୁଗୁ ଲୋକଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ଆକାରର ଲାଉକୁ ନେଇ ଅନ୍ଧବିଶ୍ୱାସ ଜନ୍ମିଥିଲା । ବେଲୁନ ଭଳି ଦେଖିବାକୁ ଲାଉଟି କେବଳ ନଲ୍ଲାମଲା ପାହାଡରେ ହୋଇଥାଏ ଓ ଏହାକୁ ଘରକୁ ନେଲେ ଶୁଭ ବୋଲି ଗୁଜବ ଉଠିଥିଲା । ମିଳିଥିବା ସୂଚନା ଅନୁଯାୟୀ କିଛି ଏପରି କହି ଶ୍ରୀସାଇଲମ ମନ୍ଦିରକୁ ଆସୁଥିବା ଭକ୍ତଙ୍କଠାରୁ ଅଭିଯୁକ୍ତମାନେ ମୋଟା ଅଙ୍କର ଅର୍ଥ ହଡପ କରୁଥିଲେ । ଏପରିକି କିଛି ଲୋକଙ୍କୁ ୧ରୁ ୨ କୋଟି ଟଙ୍କା ବିନିମୟରେ ମଧ୍ୟ ସାଧାରଣ ଲାଉକୁ ଅଲୌକିକ କହି ବିକ୍ରୟ କରାଯାଇଥିଲା ।

ତେଲୁଗୁ ଭାଷାରେ ସ୍ୱତନ୍ତ୍ର ଆକାରର ଲାଉକୁ ନାଗା ସୋରାକିୟା କିମ୍ବା ଓଡିଆରେ ସାପୁଆ ଲାଉ କୁହାଯାଏ । ଏହି ଆକାରର ଲାଉକୁ ଖାସ କରି ବାଦ୍ୟଯନ୍ତ୍ର ପ୍ରସ୍ତୁତିରେ ବ୍ୟବହାର କରାଯାଏ । ଗିରଫ ୨୧ଜଣଙ୍କୁ ତେଲେଙ୍ଗାନାରୁ ଗିରଫ କରାଯାଇଥିଲାବେଳେ ସମସ୍ତେ ଅନ୍ନପୁର୍ଣ୍ଣ ଦେବୀ ଆଶ୍ରମମ୍ ର ସଦସ୍ୟ ।

Leave A Reply

Your email address will not be published.