Latest Odisha News

BREAKING NEWS

ତିତଲି ବାତ୍ୟାରେ ୬୦ଲକ୍ଷ ଲୋକ ପ୍ରଭାବିତ, ୨୭୬୫ କୋଟି ଟଙ୍କାର କ୍ଷୟକ୍ଷତି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଗଣମାଧ୍ୟମକୁ ଗୁରୁବାର ଦିନ ସୂଚନା ଦେଇ କହିଛନ୍ତି, ଭୟଙ୍କର ତିତଲି ବାତ୍ୟା ଏବଂ ତା’ପରେ ହୋଇଥିବା ବନ୍ୟାରେ ରାଜ୍ୟର ୧୭ଟି ଜିଲ୍ଲାର ୬୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ।

ଏହି ପ୍ରାକୃତିକ ଦୁର୍ବିପାକରେ ପ୍ରାୟ ୨,୭୬୫ କୋଟି ଟଙ୍କାର କ୍ଷୟକ୍ଷତି ଘଟିଥିବାର ସୂଚନା ଦେଇଛନ୍ତି ଏସଆରସି । ସେ ମଧ୍ୟ ସୂଚନା ଦେଇ କହିଛନ୍ତି, ଏହି ପରିମାଣ କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ବୃଦ୍ଧି ହେବାର ସମ୍ଭାବନା ରହିଛି ।

ହସ୍ତଗତ ହୋଇଥିବା ରିପୋର୍ଟ ଅନୁଯାୟୀ:
ରାଜ୍ୟର ୧୭ଟି ଜିଲ୍ଲା ଅନ୍ତର୍ଗତ ୮,୧୨୫ଟି ଗ୍ରାମପଞ୍ଚାୟତର ମୋଟ ୬୦.୧ ଲକ୍ଷ ଲୋକ ଏହି ବାତ୍ୟା ଏବଂ ତତପରବର୍ତ୍ତୀ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ପ୍ରଭାବିତ ହୋଇଥିବା ମୋଟ ୧୭ଟି ଜିଲ୍ଲା ଗୁଡ଼ିକ ହେଲା – ବାଲେଶ୍ୱର, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୁରଭଞ୍ଜ, ନୟାଗଡ଼, ପୁରୀ, ଅନୁଗୁଳ ଓ ରାୟଗଡ଼ା ।

ଏହି ବାତ୍ୟା ଓ ବନ୍ୟା ପ୍ରଭାବିତ ଜିିଲ୍ଲାର ସମୁଦାୟ ୨.୬୩ ଲକ୍ଷ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଥିବାର ରିପୋର୍ଟ ହସ୍ତଗତ ହୋଇଛି ।

ବାତ୍ୟା ଓ ବନ୍ୟା ପ୍ରଭାବିତ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ୫୬,୯୩୦ଟି ବାସଗୃହ କ୍ଷତିଗ୍ରସ୍ତ ହୋଇଛି, ଏବଂ ସେଥିମଧ୍ୟରୁ ୩୬,୫୦୮ଟି ଘର ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି ।

ଏହାଛଡ଼ା, ୩୪, ୯୫୧ ଗୃହପାଳିତ ପଶୁଙ୍କର ତିତିଲି ବାତ୍ୟାରେ ପ୍ରାଣହାନୀ ଘଟିଛି ।

“ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳରେ ଆମେ ରିଲିଫ ଓ ଉଦ୍ଧାରକାର୍ଯ୍ୟକୁ ପ୍ରାଥମିକତା ଦେଉଛୁ । ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟ ପରୀକ୍ଷା ଲାଗି କ୍ୟାମ୍ପ ସ୍ଥାପିତ ହୋଇଥିବା ବେଳେ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାକୁ ଆମେ ଅଗ୍ରାଧିକାର ଭାବେ ଗୁରୁତ୍ୱ ଦେଉଛୁ , ବୋଲି ଏସଆରସି ବିଷ୍ଣୁପଦ ସେଠୀ କହିଛନ୍ତି ।

ପ୍ରାକୃତିକ ଦୁର୍ବିପାକ ପ୍ରଭାବିତ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ୫୪ଜଣ ଡ଼ାକ୍ତରଙ୍କୁ ନିୟୋଜିତ କରାଯାଇଥିବା କଥା କହିଛନ୍ତି ଏସଆରସି । ୮୬ଟି ରିଲିଫ ସେଣ୍ଟରରେ ୮୨ଟି ଭ୍ରାମ୍ୟମାଣ ହେଲଥ ଟିମ ପ୍ରଭାବିତ ଜନସାଧାରଣଙ୍କୁ ପ୍ରତ୍ୟେକ୍ଷ ଭାବେ ଭେଟିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ ଆସିବା ପୂର୍ବରୁ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ତିତଲି ବାତ୍ୟା ଓ ବନ୍ୟା ପ୍ରଭାବରେ ରାଜ୍ୟରେ କ୍ଷୟକ୍ଷତି ହୋଇଥିବା ଚାଷଜମିର ଫସଲ, ବାସଗୃହର ଆକଳନ କରି ୨,୨୦୦ କୋଟିର ଟଙ୍କାର କ୍ଷତି ହୋଇଥିବା ସୂଚନା ଦେଇଥିଲେ । ତେବେ ୨ ଦିନ ପରେ ଚୂଡ଼ାନ୍ତ କ୍ଷୟକ୍ଷତିର ରିପୋର୍ଟ ଆସିବା ନେଇ ଶ୍ରୀଯୁକ୍ତ ପାଢୀ ସୂଚନା ଦେଇଥିଲେ ।

ତେବେ ସରକାରୀ ଭାବେ ୫୭ ଜଣଙ୍କର ମୃତ୍ୟୁ ମଧ୍ୟରୁ ଗଜପତି ଜିଲ୍ଲାରେ ୩୯ଜଣ, ଗଞ୍ଜାମରେ ୧୨ ଜଣ ଏବଂ କନ୍ଧମାଳରେ ୨ ଜଣ ଏବଂ ଅନୁଗୁଳ, କଟକ, ନୟାଗଡ଼ ଏବଂ କେନ୍ଦୁଝର ଜିଲ୍ଲାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଏସଆରସି ପ୍ରକାଶ କରିଛନ୍ତି ।

ସେ ମଧ୍ୟ ସୂଚନା ଦେଇ କହିଛନ୍ତି, ଆହୁରି ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ, ଅଧିକାଂଶ ମୃତ୍ୟୁ ମାଟି ଅତଡ଼ା ଖସି, ପାଣିରେ ବୁଡ଼ି, କାନ୍ଥ ଧସିଯିବା ଏବଂ ଗଛ ଉପୁଡ଼ିଯିବା ଯୋଗୁଁ ଘଟିଥିବା ପ୍ରକାଶ ।

ଇତିମଧ୍ୟରେ, ଏହି ବାତ୍ୟା ଓ ବନ୍ୟାରେ ମୃତକଙ୍କ ପରିବାରକୁ ପୂର୍ବରୁ ଘୋଷିତ ୪ଲକ୍ଷ ଟଙ୍କା ପରିବର୍ତ୍ତେ ୧୦ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।

Leave A Reply

Your email address will not be published.