ଦଶରଥପୁର: ଲଘୁଚାପ ପ୍ରଭାବରେ ଗତକାଲି କେନ୍ଦୁଝରରେ ବର୍ଷା ହେବାରୁ ବୈତରଣୀ ନଦୀ ଜଳସ୍ତର ବଢ଼ିବାରେ ଲାଗିଛି । ଆଜି ଦିନ ୧୨ ଟାରେ ଆଖୁଆପଦା ଠାରେ ବୈତରଣୀ ନଦୀ ବିପଦ ସଂକେତ ୧୮. ୩୩ ମିଟର ରହିଥିବାବେଳେ ବର୍ତମାନ ୧୭. ୮୨ ରେ ପହଞ୍ଚିଛି । ଯାହା ଫଳରେ ଦଶରଥପୁର ବ୍ଲକକୁ ଆଉ ଏକ ବନ୍ୟା ମାଡି ଆସୁଛି। ତେବେ ଦଶରଥପୁରକୁ ସପ୍ତମ ବନ୍ୟା ଆସୁଥିବାବେଳେ ବୈତରଣୀ ଶାଖା କାଣୀ ନଦୀର ତରପଦା ପଞ୍ଚାୟତ ଡୋଭାଵିଲ – ପାଟଣା ଏବଂ କଣ୍ଟପଡା ଠାରେ ଥିବା ମୁକୁଳା ଘାଇ ଦେଇ ବନ୍ୟା ଜଳ ପ୍ରବେଶ କରି ପୁଣି ବିଭିନ୍ନ ପଞ୍ଚାୟତ ଜଳମଗ୍ନ ହେବା ଆଶଙ୍କା ଦେଖା ଦେଲାଣି ।
ସୂଚନାଥାଉକି, ଜୁଲାଇ ୬ରେ ପ୍ରଥମ ବନ୍ୟାରୁ ଦଶରଥପୁର ପ୍ରଭାବିତ ଆରମ୍ଭ ହୋଇଥିଲା ଓ ଆଜକୁ ୫୬ ଦିନରେ ପହଂଚିଛି। କିନ୍ତୁ ଜୁଲାଇ ୨୮ ଠାରୁ ୪ ଟି ଘାଇ ହେବା ପରେ ଲୋକେ ନଦୀ ବନ୍ଧ ଉପରେ, ଛାତ ଉପରେ, ଆଶ୍ରମ ସ୍ଥଳୀରେ ଏବଂ ବନ୍ଧୁଙ୍କ ଘରେ ବିପନ୍ନମାନେ ରହୁଛନ୍ତି। ଏଯାବତ ୩୪ ଦିନ ହେବ ଘରକୁ ଫେରି ନାହାନ୍ତି। ଏହା ଭିତରେ ପୁଣି ଆସୁଛି ୭ ମ ବନ୍ୟା । ଏପଟେ ବୈତରଣୀ ନଦୀ ଜୟନ୍ତରା ମହାପାତ୍ର ସାହି ଘେରି ବନ୍ଧରେ ମଧ୍ୟ ଦୁଇଟି ମୁକୁଳା ଘାଇ ରହିଛି।
ତେବେ ଘାଇ ମରାମତି ହୋଇ ନଥିବା କାରଣରୁ ଦଶରଥପୁରବାସୀଙ୍କ ଚିନ୍ତା ବଢାଇଛି ।

